କମିସନରେଟ୍‌ ପୁଲିସର ଅସଜଡ଼ା ଭିତ୍ତିଭୂମି : ସିସି କ୍ୟାମେରାଯୁକ୍ତ ୩୦ ପିସିଆର୍‌ ଅଚଳ

Advertisment
କମିସନରେଟ୍‌ ପୁଲିସର ଅସଜଡ଼ା ଭିତ୍ତିଭୂମି : ସିସି କ୍ୟାମେରାଯୁକ୍ତ ୩୦ ପିସିଆର୍‌ ଅଚଳ

ଭୁବନେଶ୍ୱର : ଅପରାଧ ମୁକାବିଲାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ସବୁଥିରେ ଫେଲ୍ ମାରିଛି କମିସନରେଟ୍‌ ପୁଲିସ। ଅସଜଡ଼ା ଭିତ୍ତିଭୂମି ହିଁ କମିସନରେଟ୍‌ ପୁଲିସର ଏହି ବିଫଳତାର କାରଣ। ଗୋଟିଏ କି ଦୁଇଟି ନୁହେଁ, ଅନେକ କ୍ଷେତ୍ରରେ ପୁଲିସର ଭିତ୍ତିଭୂମି ଅସଜଡ଼ା ଅବସ୍ଥାରେ ପଡ଼ିରହିଛି। ଅପରାଧ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ରକ୍ଷା କରିବା ଓ ଭିଭିଆଇପିଙ୍କ ସୁରକ୍ଷା ଲାଗି ରାଜଧାନୀ ପାଇଁ ଦୁଇଟି ଡିସିପି ପ୍ରସ୍ତାବର ଫାଇଲ୍‌ ଗତ ତିନି ବର୍ଷ ବିଭାଗୀୟ ଦପ୍ତରରେ ପଡ଼ି ପଡ଼ି ସେଥିରେ ଧୂଳି ଜମି ଗଲାଣି। ଏବେ ଆଉ ଏକ ଦିଗ ସାମ୍ନାକୁ ଆସିଛି। ତାହା ହେଉଛି ପିସିଆର୍ ଭ୍ୟାନ୍। ଏହି ପିସିଆର ଭ୍ୟାନ୍ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଥିଲେ ହେଁ ତାହାକୁ ଜାଣିଶୁଣି ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି। ପିସିଆର୍‌ ଭ୍ୟାନ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇପଡ଼ିଥିବା ବେଳେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଦାୟିତ୍ବରେ ଥିବାରୁ ଏହି ସେବା ଦୁର୍ବଳ ହୋଇପଡ଼ିଲାଣି ବୋଲି ଅଭିଯୋଗ ହେଉଛି।

ଅପରାଧ ରୋକିବା ପାଇଁ ରାସ୍ତାଘାଟରେ କଡ଼ା ପାଟ୍ରୋଲିଂ କରିବା, ଅପରାଧ ଘଟୁଥିବା ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନରେ ଶୀଘ୍ର ପହଞ୍ଚିବା ଲକ୍ଷ୍ୟ ନେଇ ଏହି ସେବା ଆରମ୍ଭ ହୋଇଥିଲା। ଏବେ ରାଜଧାନୀରେ ୩୫ଟି ପିସିଆର୍‌ ଭ୍ୟାନ୍‌ ବୁଲୁଛି। କିନ୍ତୁ କୌଣସି ପିସିଆର୍‌ ଭ୍ୟାନ୍‌ରେ ଦକ୍ଷ ଅଧିକାରୀ ନାହାନ୍ତି। କାମଚଳା ପାଇଁ ଅବସରପ୍ରାପ୍ତ ସେନା କିମ୍ବା ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଗୋଟିଏ ସିଫ୍ଟରେ ଏହି ଏସପିଓ(ସ୍ପେସାଲ ପୁଲିସ ଅଫିସର) ରହୁଥିବା ବେଳେ ଅନ୍ୟ ସିଫ୍ଟରେ ହାବିଲଦାରରେ କାମ ଚଳୁଛି। ତେଣୁ କେଉଁ ପରିସ୍ଥିତିରେ କ’ଣ ପଦକ୍ଷେପ ନେବାକୁ ହେବ, ସେମାନେ ନିଷ୍ପତ୍ତି ନେଇପାରୁନାହାନ୍ତି। ସେଥିପାଇଁ ବହୁ ସମୟରେ ସମସ୍ୟା ଉପୁଜୁଛି। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ସେବାରେ କାହିଁକି ଏସପିଓଙ୍କୁ ନିଯୁକ୍ତି କରାଯାଇଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।

publive-image

ସେହିପରି ଘଟଣାସ୍ଥଳରେ ଅପରାଧୀକୁ ଠାବ କରିବା, ଅସାମାଜିକଙ୍କୁ ଚିହ୍ନଟ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ଲାଗି ୫ବର୍ଷ ତଳେ ପିସିଆର ଭ୍ୟାନ୍‌ରେ ସିସି କ୍ୟାମେରା ଖଞ୍ଜା ଯାଇଥିଲା। ଘଟିଥିବା ଅପରାଧ କିମ୍ବା ଗଣ୍ଡଗୋଳର ଚିତ୍ର ଉତ୍ତୋଳନ କରିବା ଯୋଜନା ଥିଲା। କିନ୍ତୁ ଏବେ ମାତ୍ର ୫ଟି ପିସିଆର୍‌ ଭ୍ୟାନ୍‌ରେ ସିସି କ୍ୟାମେରା ଅଛି। ବାକି ୩୦ଟିରେ ସିସି କ୍ୟାମେରା ନାହିଁ। ପୂର୍ବରୁ ସିସି କ୍ୟାମେରା ଥିବା ୩୦ ପିସିଆର୍‌ ଭ୍ୟାନ୍‌ ପୂରା ଅଚଳ ହୋଇ ଖତ ଖାଉଛି। ଏଥିସହ ଚଳିତ ବର୍ଷ ସେମିତି କୌଣସି ମାମଲାରେ ପିସିଆର୍‌ ଭ୍ୟାନ୍ ଅପରାଧୀଙ୍କୁ କାବୁ କରିପାରିନାହିଁ। ଗୋଟିଏ ବି ଲୁଟେରା ପିସିଆର୍‌ ଭ୍ୟାନ୍‌ ହାତରେ ଧରାପଡ଼ି ନାହାନ୍ତି। କେବଳ କିଛି ଅସହାୟ ଓ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ମାତ୍ର ଲୁଟ୍‌, ଛିନତାଇ, ଚୋରି ଭଳି ଘଟଣାରେ ଅପରାଧୀଙ୍କୁ ଧରିବା ଦିଗରେ ପିସିଆର୍‌ ଭ୍ୟାନ୍‌ ଫେଲ୍ ମାରିଥିବାରୁ ଏହି ସେବା କେତେ ଦୁର୍ବଳ ହୋଇଗଲାଣି, ଜଳଜଳ ହୋଇ ଦେଖାଯାଉଛି।

ସୂଚନାନୁସାରେ, ରାଜଧାନୀର ୨୦ଟି ଥାନା ପାଇଁ ୩୫ଟି ପିସିଆର ଭ୍ୟାନ୍ ଚାଲୁଛି। ଖଣ୍ଡଗିରି ଥାନା ଅଧୀନରେ ସର୍ବାଧିକ ୩ଟି ପିସିଆର ଭ୍ୟାନ୍ ରହିଥିବା ବେଳେ ପ୍ରମୁଖ ଥାନାଗୁଡ଼ିକରେ ଦୁଇଟି ଲେଖାଏଁ ରହୁଛି। ଏହି ପିସିଆର ଭ୍ୟାନରେ ଜଣେ ଏସପିଓ, ଜଣେ ହୋମଗାର୍ଡ ଡ୍ରାଇଭର, ଜଣେ ହୋମଗାର୍ଡ ଓ ଜଣେ କନଷ୍ଟେବଳ ରହୁଛନ୍ତି। ୩ଟି ସିଫ୍ଟରେ କର୍ମଚାରୀ ଡ୍ୟୁଟି କରୁଛନ୍ତି। ଯେଉଁ ସିଫ୍ଟରେ ଏସପିଓ ରହୁନାହାନ୍ତି, ସେହି ସିଫ୍ଟରେ ଜଣେ ହାବିଲଦାର ଦାୟିତ୍ବରେ ରହୁଛନ୍ତି। କମିସନରେଟ୍‌ ପୁଲିସର ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗରେ ରହୁଛି ପିସିଆର ଭ୍ୟାନ୍। କଣ୍ଟ୍ରୋଲ ରୁମକୁ ଦିନକୁ ପ୍ରାୟ ୩ ହଜାର ଫୋନ୍ କଲ୍ ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe