କମିସନରେଟ୍‌ ପୁଲିସ୍‌ର ‘ଦାଦାବଟିକୁ ନା’ ଅଭିଯାନ : ଆଉ ୪ ଗିରଫ

‘ଦାଦାବଟିକୁ ନା’ ମିସନ୍‌ : ଗିରଫ ହେଲେ ୬ ଦାଦା

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ‘ଦାଦାବଟିକୁ ନା’ ମିସନ୍‌ରେ କମିସନରେଟ୍‌ ପୁଲିସ୍‌ ଆଜି ୪ଜଣ ତଥାକଥିତ ଦାଦାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ପୁଲିସ୍‌ ଜଣକୁ ଗିରଫ କରିଥିବା ବେଳେ ଖଣ୍ଡିଗିରି, ଏୟାରଫିଲଡ୍‌ ଓ ଏୟାରଫିଲଡ୍‌ ଥାନା ପୁଲିସ୍‌ ଜଣେ ଲେଖାଏଁ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫ କରିଥିବା ଅଭିଯୁକ୍ତ ହେଲା, ନୀଳାଦ୍ରିବିହାର କନ୍ୟାଶ୍ରମ ବସ୍ତି ନିକଟରେ ରହୁଥିବା ଦୀପକ କୁମାର ନାୟକ(୨୨)। ସେ ବିଡିଏ ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଦାଦାବଟି ମାଗୁଥିଲା। ଗତ ରାତିରେ ଦୀପକ ଅନ୍ୟ ୨ ସହଯୋଗୀଙ୍କ ସହ ପହଞ୍ଚି ହୋଟେଲ୍ କର୍ମଚାରୀଙ୍କୁ ଖାଦ୍ୟ ମାଗିଥିଲା। ମାତ୍ର ହୋଟେଲ୍ ବନ୍ଦ ହୋଇ ଯାଇଥିବାରୁ ସେଲସ୍‌ମ୍ୟାନ୍ ସେମାନଙ୍କୁ ଖାଦ୍ୟ ଦେଇନଥିଲେ। ପରେ ସେମାନେ ହୋଟେଲ୍ ମାଲିକଙ୍କୁ ପୂଜା ଚାନ୍ଦା ମା‌ଗିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ହୋଟେଲ ମାଲିକ ଏ ସମ୍ପର୍କରେ ପୁଲିସ୍‌କୁ ଫୋନ୍‌ରେ ସୂଚନା ଦେବାରୁ ଯୁବକମାନେ ଲୁହା ପାଇପ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପିସିଆର୍ ପହଞ୍ଚିବା ଦେଖି ଦୁଇଜଣ ଯୁବକ ବାଇକ୍ ନେଇ ଫେରାର୍ ହୋଇଯାଇଥିଲେ। ମାତ୍ର ଦୀପକ ଧରା ପଡ଼ି ଯାଇଥିଲା।

ସେହିପରି ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ହେଲା ବାପି ମଙ୍ଗରାଜ। ତା’ ନାମରେ ୧୦ରୁ ଊର୍ଧ୍ବ ସଂଗିନ୍‌ ମାମଲା ରହିଛି। ସୌଭାଗ୍ୟନଗର ରାସ୍ତାରେ ଥିବା‌ ଉଠାଦୋକାନ ଓ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରୁ ସେ ଦାଦାବଟି ଆଦାୟ କରିବା ସହ ଧମକଚମକ ଦେଉଥିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe