ବନ୍ଦ ହେଲା କମ୍ୟୁନିଟି ହଲ୍‌ ପ୍ରକଳ୍ପ! ପୋତା ‌ହେଲାନି ବିପଜ୍ଜନକ ଖାଲ

Advertisment
ବନ୍ଦ ହେଲା କମ୍ୟୁନିଟି ହଲ୍‌ ପ୍ରକଳ୍ପ! ପୋତା ‌ହେଲାନି ବିପଜ୍ଜନକ ଖାଲ

ଭୁବନେଶ୍ବର : ଆରମ୍ଭରୁ ବନ୍ଦ ହୋଇଗଲା କମ୍ୟୁନିଟି ହଲ୍‌ ନିର୍ମାଣ। କିନ୍ତୁ ଏଥିପାଇଁ ଖୋଳା ହୋଇଥିବା ଖାଲ ସେମିତି ରହିଛି। ପ୍ଲିନ୍ଥ ପତ୍ତନ ପର୍ଯ୍ୟନ୍ତ ଖୋଳା ହୋଇ ରହିଥିବା ଖାଲ ଏବେ ସ୍ଥାନୀୟ ଲୋକମାନଙ୍କ ସହ ବୁଲା ଗୋରୁଗାଈଙ୍କ ପାଇଁ ମରଣଯନ୍ତା ପାଲଟିଛି। ବିଏମ୍‌ସି ୧୦ ନମ୍ବର ୱାର୍ଡ ଭୋଟପଡ଼ା ଖେଳ ପଡ଼ିଆରେ ହେବାକୁ ଥିବା କମ୍ୟୁନିଟି ହଲ୍‌ ପ୍ରକଳ୍ପ ବନ୍ଦ ହେବା ପରେ ଏମିତି ଅବସ୍ଥାରେ ପଡ଼ିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଭୋଟପଡ଼ା ଗ୍ରାମ, ନ୍ୟୁ-କଲୋନି, ମେଗା ଆପାର୍ଟମେଣ୍ଟ, ଆବାସିକ କଲୋନି ଆଦି ପାଇଁ ଏକ କମ୍ୟୁନିଟି ହଲ୍‌ର ଆବଶ୍ୟକତା ଥିବାରୁ ୪ ବର୍ଷ ତଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୧୭ ଅଗଷ୍ଟ ୨୯ରେ ‘ସ୍ବାୟତ୍ତ ଶାସନ ଦିବସ’ ଅବସରରେ ତତ୍କାଳୀନ ମେୟର ଅନନ୍ତ ନାରାୟଣ ଜେନା, ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହାର ଶିଳାନ୍ୟାସ କରାଯାଇଥିଲା। ଏହି ପ୍ରକଳ୍ପର ନିର୍ମାଣ ପାଇଁ ସେତେବେଳେ ୧ଲକ୍ଷ ୯୫ ହଜାର ଟଙ୍କା ବ୍ୟୟ କରାଯାଇଥିଲା। ହେଲେ ହଠାତ୍ ନିର୍ମାଣ କାମ ବନ୍ଦ ହୋଇଗଲା। ପ୍ଲିନ୍ଥ ପତ୍ତନ ପର୍ଯ୍ୟନ୍ତ କାମ ହେବା ପରେ ବନ୍ଦ ହୋଇଗଲା। ମାତ୍ର ଖୋଳାଯାଇଥିବା ଅଂଶକୁ ମାଟି ବା ବାଲି ପକାଇ ପୋତାଗଲା ନାହିଁ। ଫଳରେ ସେଠାରେ ଏବେ ପୋଖରୀ ଭଳି ପାଣି ଜମି ରହୁଛି। ଗାଈଗୋରୁ ପଡ଼ି ପ୍ରାଣ ହରାଉଛନ୍ତି। ଏମିତିକି ଏହି ଖାଲ ସ୍ଥାନୀୟ ପିଲାଙ୍କ ପାଇଁ ବିପଦର କାରଣ ହୋଇଛି। ଏବେ ସେଠାରେ ବଣ ଜଙ୍ଗଲ ହୋଇଯାଇଥିବାରୁ ଖାଲ ବାହାରକୁ ଜଣାପଡ଼ୁନାହିଁ ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଗତ ଚାରି ବର୍ଷ ଭିତରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପଇସାଟିଏ ମିଳି ନାହିଁ। ଶିଳାନ୍ୟାସ କରିଥିବା ନେତାମାନେ ଏବେ ବି ବିଭିନ୍ନ କ୍ଷମତାରେ ଅଛନ୍ତି। ମାତ୍ର ଏହି ପ୍ରକଳ୍ପ ପ୍ରତି ସେମାନଙ୍କ ନିଘା ନାହିଁ। ତେଣୁ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଆରମ୍ଭରୁ ବ୍ୟୟ ହୋଇଥିବା ସରକାରୀ ଅର୍ଥ ପାଣିରେ ପଡ଼ିଲା ଓ ଲୋକଙ୍କ ହିତ ପାଇଁ ହେଉଥିବା ପ୍ରକଳ୍ପ ଏବେ ବିପଦର କାରଣ ହୋଇଛି। ‌ତେଣୁ ପ୍ରକଳ୍ପ ନିର୍ମାଣ କରାଯାଉ ନହେଲେ ଖାଲ ସବୁକୁ ପୋତି ଦିଆଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe