Kalinga TV
ଭୁବନେଶ୍ବର/ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଐତିହ୍ୟସ୍ଥଳରେ କଡ଼ାକଡ଼ି ପାଳନ ହେଉନି ଆମ୍ସାର(ଆର୍କୋଲଜିକାଲ ମନୁମେଣ୍ଟସ୍ ସାଇଟ୍ସ୍ ଆଣ୍ଡ ରିମେନ୍ସ୍ ଆକ୍ଟ) ଆଇନ। ବେଆଇନ ନିର୍ମାଣକାରୀଙ୍କୁ ପୁଲିସ କେବଳ କାରଣ ଦର୍ଶାଅ ନୋଟିସ୍ ଦେଇ ବସିଯାଉଛି। ଏଣୁ ଐତିହ୍ୟସ୍ଥଳ ନିକଟ ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି। ସଂରକ୍ଷିତ ଶିଶୁପାଳଗଡ଼ ଅଂଚଳରେ ସର୍ବାଧିକ ବେଆଇନ ନିର୍ମାଣ ଜାରି ରହିଛି। ତୁରନ୍ତ ଏହି ସବୁ ବେଆଇନ ନିର୍ମାଣକୁ ଚିହ୍ନଟ କରି ଉଚ୍ଛେଦ କରିବାକୁ ଆଜି ପୁଲିସ କମିସନର ଓ ଏଏସ୍ଆଇ ଡିଜିଙ୍କ ନିକଟରେ ଅଭିଯୋଗ ହୋଇଛି। ଅରୁଣ କୁମାର ମହାପାତ୍ର, କାଳନ୍ଦୀ ମାଲିଆ, ସନ୍ତୋଷ କୁମାର ବେହେରା ପ୍ରମୁଖ ଏ ନେଇ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ, ରାଜଧାନୀର ବଡ଼ଗଡ ଥାନା ଅଧୀନରେ ୬ଟି, ଶ୍ରୀଲିଙ୍ଗରାଜ ଥାନା ଅଧୀନରେ ୧୯ଟି, ବାଲିଅନ୍ତା ଥାନା ଅଧୀନରେ ଗୋଟିଏ ଏଏସ୍ଆଇ ଅଧୀନ ମନ୍ଦିର ଥିବା ବେଳେ ଖଣ୍ଡଗିରି ଓ ଧଉଳି ଥାନା ଅଧୀନରେ ଗୋଟିଏ ଲେଖାଏ ଐତିହ୍ୟ ସ୍ଥଳୀ ରହିଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ନିୟମ ଅନୁଯାୟୀ ପ୍ରାଚୀନ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥଳ ଅବଶେଷ (ସଂଶୋଧନ ଓ ବୈଧୀକରଣ) ଅଧିନିୟମ ୨୦୧୦ ଧାରା ୨୦(କ) ଓ (ଖ) ଅନୁଯାୟୀ, କୌଣସି କେନ୍ଦ୍ରୀୟ ସଂରକ୍ଷିତ ସ୍ଥଳ ବା ସ୍ମାରକ ସୀମାଠାରୁ ଚତୁଃପାର୍ଶ୍ୱ ସର୍ବନିମ୍ନ ୧ଶହ ମିଟର ଓ ଏହାଠାରୁ ଚତୁଃପାର୍ଶ୍ୱ ସର୍ବନିମ୍ନ ୨ଶହ ମିଟର ଅଞ୍ଚଳକୁ ଯଥାକ୍ରମେ ଖନନ ଓ ନୂତନ ନିର୍ମାଣ ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳ ଘୋଷିତ ହୋଇଛି। ତେବେ କୌଣସି ନିୟମ ନମାନି ସାଧାରଣ ଲୋକ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ ଆମ୍ସାର ଆକ୍ଟ ନ ମାନି କାମ କରୁଛନ୍ତି। ଅବୈଧ ନିର୍ମାଣ ନେଇ ପ୍ରାୟ ୩୦ରୁ ଊର୍ଧ୍ବ ଅଭିଯୋଗ କମିସନରେଟ୍ ପୁଲିସ ପାଖରେ ପଡ଼ି ରହିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ଏନେଇ ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ କୁହିଛନ୍ତି, ଶହେ ମିଟର ପରିଧି ମଧ୍ୟରେ କୌଣସି ସ୍ଥାୟୀ, ଅସ୍ଥାୟୀ ନିର୍ମାଣ କାମ ଆଦି ନ କରାଇବାକୁ ପଦକ୍ଷେପ ନିଆଯିବ। ଘଟଣାସ୍ଥଳରେ ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏ ନେଇ ଏଏସ୍ଆଇ ଭୁବନେଶ୍ବର ସର୍କଲ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି,ଏଏସ୍ଆଇ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଉଛି।
Follow Us