୨ ବର୍ଷ ବିତିଲା, ଆରମ୍ଭ ହୋଇପାରିଲାନି ଶୁଣାଣି

ଜଟଣୀ ଲୋକ କଲୋନି ଦୁଷ୍କର୍ମ ଘଟଣା

ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶ ଉପରେ ଅଙ୍କୁଶ

ଭୁବନେଶ୍ୱର: ଜାନୁଆରି ୨୧, ୨୦୧୬। ଜଟଣୀ ଥାନା ଅଧୀନ ରେଳପଥ ଲୋକ କଲୋନିରେ ଘଟିଥିଲା ବହୁ ଚର୍ଚିତ ଦୁଷ୍କର୍ମ ଘଟଣା। ସେତେବେଳେ ଏ ଘଟଣା ସାରା ରାଜ୍ୟରେ ଚର୍ଚାର ବିଷୟ ଥିଲା। ଅଭିଯୁକ୍ତର ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଜଟଣୀ ଓ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତତ୍କାଳୀନ ପୁଲିସ କମିସନର୍‌ ତଥା ବର୍ତମାନର ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଏକ ରେଡ୍‌ଫ୍ଲାଗ୍‌ ପର୍ଯ୍ୟାୟର ମାମଲା ବୋଲି ଘୋଷଣା କରିଥିଲେ। ଏପରିକି ମାମଲାର ତଦାରଖ କରିବାକୁ ଜଣେ ହୋଲ୍‌ଡିଂ ଆଇଓ( ଏଚ୍‌ଓ) ନିଯୁକ୍ତି ପାଇଥିଲେ। ୬୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବାକୁ ତତ୍କାଳୀନ ପୁଲିସ କମିସନର୍‌ ନିର୍ଦେଶ ଦେଇଥିଲେ। ନାବାଳିକାଙ୍କ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବା ସହିତ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଆଜି ଏହି ଘଟଣାକୁ ୨ ବର୍ଷ ପୂରିଛି। କିନ୍ତୁ ଏଯାଏ ଏହି ବହୁଚର୍ଚିତ ମାମଲାର ଶୁଣାଣି ଆରମ୍ଭ ହୋଇ ପାରିନାହିଁ। ଫଳରେ ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବାକୁ ସବୁବେଳେ ଗୁରୁତ୍ୱ ଦେଉଥିବା ପୁଲିସ ବିଭାଗ ସତେ ଯେମିତି ଏହି ମାମଲାରେ ଫେଲ୍‌ ମାରିଛି। ଦିଲ୍ଲୀର ନିର୍ଭୟା ଘଟଣାକୁ ବଳି ଯାଇଥିଲା ଏହି ଅମାନୁଷିକ ଦୁଷ୍କର୍ମ। ଜଣେ ଦୁର୍ଦାନ୍ତ ଡକାୟତ ଜଟଣୀ ରେଳପଥ ଲୋକୋ କଲୋନିରେ ଡକାୟତି କରିବାକୁ ଆସି ଘଟାଇଥିଲା ଦୁଷ୍କର୍ମ। ଘରେ ପଶି ଶୋଇଥିବା ଜଣେ ୭ ବର୍ଷର ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ଗୋଟିଏ ସ୍ଥାନରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ବାରମ୍ବାର ବେହୋସ ହୋଇ ଯାଉଥିଲେ ମଧ୍ୟ ଅଭିଯୁକ୍ତ ନାବାଳିକାର ମୁହଁରେ ପାଣି ଛିଞ୍ଚି କରି ଚାଲିଥିଲା ଦୁଷ୍କର୍ମ ପରେ ଦୁଷ୍କର୍ମ। ଫଳରେ ନାବାଳିକାର ଗୁପ୍ତାଙ୍ଗରେ ଲାଗିଥିଲା ଗଭୀର ଆଘାତ। ଗୁରୁତର ଅବସ୍ଥାରେ ନାବାଳିକାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଭର୍ତି କରାଯାଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଦୁଷ୍କର୍ମକାରୀର ବାପାକୁ ବାଡେଇ ବାଡେଇ ଗୁରୁତର କରି ଦେଇଥିଲେ। ଡିସିପି ସତ୍ୟବ୍ରତ ଭୋଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ତଦାରଖ ଥିଲେ।

ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଦଳୀୟ କର୍ମୀମାନେ ହସ୍ପିଟାଲ୍‌ ପହଞ୍ଚି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନାବାଳିକାର ଚିକିତ୍ସା ରାଜ୍ୟ ସରକାର ବହନ କରନ୍ତୁ ବୋଲି ଦାବି କରିଥିଲେ। ନାବାଳିକାଙ୍କ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବା ସହିତ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଜଟଣୀ ପୁଲିସ ଅଭିଯୁକ୍ତ ଅହିରାଜ ନାଏକକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ସେହି ରାତିରେ ପୁଲିସ ତାକୁ ତା’ ଖୋର୍ଧା ଘରୁ ଗିରଫ କରିଥିଲା। ଏବେ ଅହିରାଜ ଝାରପଡ଼ା ଜେଲ୍‌ରେ। ମାମଲା ଏବେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ। କିନ୍ତୁ ତଦନ୍ତକାରୀ ଅଫିସରଙ୍କ ତଥ୍ୟ ଓ ପ୍ରମାଣ ସଂଗ୍ରହ କରି କୋର୍ଟରେ ଜିମା ଦେବାକୁ ବିଳମ୍ବ କରୁଥିବାରୁ ମାମଲାର ଶୁଣାଣି ଏଯାଏ ଆରମ୍ଭ ହୋଇ ପାରିନାହିଁ। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି। ଏହି ମାମଲାର ସ୍ୱତନ୍ତ୍ର ଅନୁଧ୍ୟାନ ପାଇଁ ଜଣେ ଏଚ୍‌ଓଙ୍କୁ ନିଯୁକ୍ତି ମିଳିଥିଲା। ତାଙ୍କ କାମ ଥିଲା, ତଦନ୍ତକାରୀ ଅଫିସର, ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଓ କୋର୍ଟ ମଧ୍ୟରେ ସମନ୍ଵୟ ରଖି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇବା। କିନ୍ତୁ ଏଚ୍‌ଓ ଜଣକ ତାଙ୍କ ଭୂମିକା ତୁଲାଇଲେ କି ନାହିଁ ଜଣାପଡ଼ିନି। ବିଚାର ପ୍ରକ୍ରିୟା ମଧ୍ୟ ବିଳମ୍ବ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe