ବଡ଼ଗଡ଼ ସରକାରୀ ଉଚ୍ଚବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‌ ଉଦ୍‌ଘାଟିତ

ବଡ଼ଗଡ଼ ସରକାରୀ ଉଚ୍ଚବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‌ ଉଦ୍‌ଘାଟିତ

ଭୁବନେଶ୍ବର: ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବଡ଼ଗଡ଼ ସରକାରୀ ଉଚ୍ଚବିଦ୍ୟାଳୟରେ ଏକ କମ୍ପ୍ୟୁଟର ଲାବ୍‌ ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ହୃଦାନନ୍ଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଲାବ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ଲାବ୍ ପାଇଁ ଆବଶ୍ୟକ ୨୦ଟି କମ୍ପ୍ୟୁଟର ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତରଫରୁ ଯୋଗାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଏଥିପାଇଁ ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଡେପୁଟି ଗଭର୍ଣ୍ଣର ହାରୁନ୍ ରସିଦ୍ ଖାଁ ଙ୍କ ସହାୟତା ଓ ଯୋଗାଯୋଗ ଅବିସ୍ମରଣୀୟ। କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା ଓ ସ୍ଥାନୀୟ କର୍ପୋରେଟର୍ ଅଜିତ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ବର ସହ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ଶୁଭଙ୍କର ସାହୁ ଓ ସୂର୍ଯ୍ୟସ୍ମିତା ନାୟକଙ୍କୁ ବିଦ୍ୟାଳୟର ମୋ ସ୍କୁଲ୍ କମିଟି ତରଫରୁ ସମ୍ବର୍ଦ୍ଧନା ସହିତ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ମୋ ସ୍କୁଲର ସଭାପତି ମାନସ ରଞ୍ଜନ ମହାପାତ୍ରଙ୍କ ନିଜ ତରଫରୁ ପ୍ରଦାନ କରିଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତରଫରୁ ଏକ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିତ୍ତୀୟ ସଂସ୍ଥା ତଥା ବିତ୍ତୀୟ ପରିଚାଳନା ଓ ସତର୍କତା ସମ୍ବନ୍ଧରେ ଆଲୋଚନା କରାଯାଇ ଏକ କୁଇଜ୍ ଅୟୋଜନ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋଜା ମଞ୍ଜରୀ ସାହୁ, ମୋ ସ୍କୁଲ୍ କମିଟିର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସଂପାଦକ ତଥା ବିଦ୍ୟାଳୟର ମେଣ୍ଟର୍ ପ୍ରତାପ ଜେନା, ସଦସ୍ୟ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe