କଣ୍ଡକ୍ଟରଙ୍କୁ ଆକ୍ରମଣ ଅଭିଯୋଗରେ ଧାରଣା: ୨ଘଣ୍ଟା ମୋ’ ବସ ଚଳାଚଳ ଠପ୍‌

କଣ୍ଡକ୍ଟରଙ୍କୁ ଆକ୍ରମଣ ଅଭିଯୋଗରେ ଧାରଣା: ୨ଘଣ୍ଟା ମୋ’ ବସ ଚଳାଚଳ ଠପ୍‌

ଭୁବନେଶ୍ବର: ଆଜି ଜଣେ ମୋ’ ବସ୍‌ କଣ୍ଡକ୍ଟରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ମୋ’ ବସ୍‌ କର୍ମଚାରୀମାନେ ଧାରଣାରେ ବସିଥିଲେ। ଫଳରେ ପ୍ରାୟ ୨ ଘଣ୍ଟା ଧରି ମୋ’ ବସ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। କ୍ୟାପିଟାଲ୍‌ ଥାନା ପୁଲିସ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା। ପୁଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ସୂଚନାନୁସାରେ ୧୬ ନମ୍ବର ରୁଟ୍‌ରେ ଚାଲିଥିବା ମୋ’ ବସ୍‌ରେ ଅନୁଗୁଳର ସୁନୀତା ଦାସ ଓ ତାଙ୍କ ସ୍ବାମୀ ବାଣୀବିହାରରୁ ଉଠିଥିଲେ। ସେମାନେ ରାମମନ୍ଦିର ଛକରେ ଓହ୍ଲାଇବାର ଥିଲା। କିନ୍ତୁ ସୁନୀତାଙ୍କ ସ୍ବାମୀ ବସ୍‌ରୁ ଓହ୍ଲାଇବା ପଡ଼ିଥିଲେ ସିନା ସୁନୀତା ଠିକ୍‌ ସମୟରେ ଓହ୍ଲାଇପାରିନଥିଲେ। ମୋ’ ବସ୍‌ ଛାଡ଼ିଦେଇଥିଲା ଏବଂ ସୁନୀତାଙ୍କୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଯାଏଁ ନେଇଯାଇଥିଲା।

ସୁନୀତାଙ୍କ ସ୍ବାମୀ ବସ୍‌କୁ ପିଛା କରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପହଞ୍ଚି ବସ୍‌ ଚାଳକଙ୍କୁ ଗାଳିମନ୍ଦ କରିଥିଲେ। ମୋ’ ବସ୍‌ କଣ୍ଡକ୍ଟର ଦେବାଶିଷ ନନ୍ଦ ସୁନୀତାଙ୍କ ସ୍ବାମୀଙ୍କୁ ବୁଝାଇବାକୁ ଉଦ୍ୟମ କଲାବେଳେ କଥା କଟାକଟି ହୋଇଥିଲା। ଏମିତିରେ ସେମାନେ ହାତାହାତି ପର୍ଯ୍ୟନ୍ତ ଯାଇଥିଲେ। ସୁନୀତାଙ୍କ ସ୍ବାମୀଙ୍କ ମୁଥ ମାଡ଼ରେ କଣ୍ଡକ୍ଟର ଦେବାଶିଷଙ୍କ ମୁହଁ ଫାଟି ରକ୍ତ ବାହାରିଥିଲା। ଗଣ୍ଡଗୋଳ ଦେଖି ନିକଟସ୍ଥ ଡିପୋରୁ ମୋ’ ବସ୍‌ କର୍ମଚାରୀମାନେ ଘଟଣାସ୍ଥଳକୁ ଧାଇଁ ଆସି ପ୍ରତିବାଦ କରିଥିଲେ। ୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ମୋ’ ବସ୍‌ କର୍ମଚାରୀମାନେ ବସ୍‌ ସବୁ ବନ୍ଦ କରି ଧାରଣା ଦେଇଥିଲେ। ଫଳରେ ଶହଶହ ବସ୍‌ ଯାତ୍ରୀ ପ୍ରବଳ ଗରମରେ ବଡ଼ କଲବଲ ହୋଇଥିଲେ। କ୍ୟାପିଟାଲ ଥାନା ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେବା ପରେ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe