ବଜ୍ରପାତ ପରେ ବଢ଼ିଲା ଚିନ୍ତା: ସବୁ ମନ୍ଦିରରେ ଲାଗିବ ବଜ୍ରପାତ ନିରୋଧକ, ଆର୍ଥିଂ ଯୋଗୁ ବଡ଼ କ୍ଷୟକ୍ଷତିରୁ ବର୍ତ୍ତିଲା ଲିଙ୍ଗରାଜ ମନ୍ଦିର

ଗତକାଲି ଲିଙ୍ଗରାଜ ମନ୍ଦିର ଉପରେ ବଜ୍ରପାତ ପରେ ଏବେ ସବୁ ମନ୍ଦିରରେ ଆର୍ଥିଂ ଆରେଷ୍ଟର୍‌ ଲାଗିବ ବୋଲି କେନ୍ଦ୍ର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ପ୍ରକାଶ କରାଯାଇଛି।

Settlement of disputes between Lingaraj temple sevayata

Settlement of disputes between Lingaraj temple sevayata

ପୁରୁଣା ଭୁବନେଶ୍ୱର: ଗତକାଲି ଲିଙ୍ଗରାଜ ମନ୍ଦିର ଉପରେ ବଜ୍ରପାତ ପରେ ଏବେ ସବୁ ମନ୍ଦିରରେ ଆର୍ଥିଂ ଆରେଷ୍ଟର୍‌ ଲାଗିବ ବୋଲି କେନ୍ଦ୍ର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ପ୍ରକାଶ କରାଯାଇଛି। ଅନ୍ୟପକ୍ଷରେ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ବଜ୍ରପାତ ବୃଦ୍ଧି ପାଉଥିବାରୁ ମନ୍ଦିର ନିକଟରେ ତାଳ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମଧ୍ୟ ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଗତକାଲି ଲିଙ୍ଗରାଜ ମନ୍ଦିର ଉପରେ ବଜ୍ରପାତ ଫଳରେ ମନ୍ଦିର  ପରିସରରେ ୨୦ଟି ସିସିଟିଭି ପୋଡ଼ିଯାଇଥିଲା। ଗର୍ଭଗୃହରେ ଥିବା ଲାଇଟ୍‌ ମଧ୍ୟ ଫାଟିଯାଇଥିଲା।  ତେବେ ଏହି ବଜ୍ରପାତ ଯୋଗୁ ମନ୍ଦିର ଚୂଳରେ କିଛି କ୍ଷୟକ୍ଷତି ହୋଇନାହିଁ। ମନ୍ଦିରରେ ଆର୍ଥିଂ ଆରେଷ୍ଟର୍‌ ଥିବା କାରଣରୁ ବଡ଼ କ୍ଷୟକ୍ଷତିକୁ ରୋକାଯାଇ ପାରିଛି ବୋଲି ଏଏସ୍‌ଆଇ ଅଧିକାରୀ କହିଛନ୍ତି। ଏଏସ୍ଆଇ ଭୁବନେଶ୍ବର ଜୋନ୍‌ ମୁଖ୍ୟ ନନ୍ଦ କିଶୋର ସ୍ବାଇଁଙ୍କ ସହ ଏକ ଟିମ୍‌ ଆଜି ମନ୍ଦିରରେ ପହଞ୍ଚି ସମର୍ଥା ସେବାୟତଙ୍କ ନିକଟରୁ ଗତକାଲିର ବଜ୍ରପାତ ଘଟଣା ସମ୍ପର୍କରେ ବୁଝିଥିଲେ। 

ଏଏସ୍‌ଆଇ ପକ୍ଷରୁ  ଗତ ଏପ୍ରିଲ ମାସରେ ଲିଙ୍ଗରାଜ ମନ୍ଦିର ଦଧିନଉତି ଉପରେ ଚାରିପଟେ ତଥା ମନ୍ଦିର ପତାକା ନିକଟରେ ଆର୍ଥିଂ ଆରେଷ୍ଟର୍‌ (ବଜ୍ରପାତ ନିରୋଧ ବ୍ୟବସ୍ଥା) କରାଯାଇଛି। ଫଳରେ ଗତକାଲିର ବଜ୍ରପାତରେ ମନ୍ଦିରର କିଛି ବଡ଼ କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମୁଖ୍ୟ ମନ୍ଦିରକୁ ଛାଡ଼ିଦେଲେ ଅନ୍ୟ ସବୁ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନାହିଁ। ସେହିପରି ବାସୁଦେବ ମନ୍ଦିର, କପିଳେଶ୍ବର ମନ୍ଦିର, ରାମେଶ୍ବର ମନ୍ଦିର, ନାଗେଶ୍ବର ମନ୍ଦିର, ଗୋସାଗରେଶ୍ବର ମନ୍ଦିର, ସୂକ୍ଷ୍ମେଶ୍ବର ମନ୍ଦିର, ଡାକରା ବିଭୀଷଣେଶ୍ବର ମନ୍ଦିର, ଉତ୍ତରେଶ୍ବର ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନାହିଁ। ତେବେ ଏକାମ୍ର କ୍ଷେତ୍ରର ମୈତ୍ରେଶ୍ବର, ଜମେଶ୍ବର, ରାମେଶ୍ୱର ମନ୍ଦିର, ଲକ୍ଷ୍ମଣେଶ୍ୱର ମନ୍ଦିର, ଭରତେଶ୍ୱର, ଶତୃଘ୍ନେଶ୍ୱର ମନ୍ଦିର ସମେତ ଅନେକ ମନ୍ଦିରର ଆର୍ଥିଂ ପାଇଁ ବ୍ୟୟବରାଦ କରାଯାଇଥିବା ଶ୍ରୀ ସ୍ବାଇଁ କହିଛନ୍ତି। 

ସୂଚନାଯୋଗ୍ୟ, ପୁରୁଣା ଭୁବନେଶ୍ୱରରେ ମୋଟ୍ ୧୯୯ଟି ମନ୍ଦିର ରହିଛି। ସେଗୁଡ଼ିକ ମଧ୍ୟରେ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରୁଥିବା ମନ୍ଦିରଗୁଡ଼ିକ ହେଲା ମତ୍ରୈଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର, ଲକ୍ଷ୍ମଣେଶ୍ୱର ମନ୍ଦିର, ଭରତେଶ୍ୱର ଓ ଶତୃଘ୍ନେଶ୍ୱର ମନ୍ଦିର। ପ୍ରାୟ ନବମ ଓ ଦଶମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରମାନଙ୍କର କଳାକୃତି ହିଁ ପର୍ଯ୍ୟଟକମାନଙ୍କୁ ଟାଣି ଆଣିଥାଏ। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୨୪ଟି ମନ୍ଦିର ଥିବାବେଳେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୧୨ଟି ମନ୍ଦିର ତଥା ଐତିହ୍ୟସ୍ଥଳୀ ରହିଛି। ସମସ୍ତ ଐତିହ୍ୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଅଧିକାଂଶ ମନ୍ଦିରରେ ଆର୍ଥିଙ୍ଗ୍ ବ୍ୟବସ୍ଥା ହୋଇନାହିଁ। ଏପଟେ ଇନ୍‌ଟାକ୍‌ ରାଜ୍ୟ ସଂଯୋଜକ ଡା. ବିଶ୍ୱଜିତ୍‌ ମହାନ୍ତି ମନ୍ଦିର ପରିସରରେ ତାଳ, ନଡ଼ିଆ ଏବଂ ଅନ୍ୟାନ୍ୟ ଉଚ୍ଚ ପ୍ରକାରର ଗଛ ତୁରନ୍ତ ରୋପଣ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ବଜ୍ରପାତ ପରେ ଅଧିକାଂଶ ମନ୍ଦିରରେ ଫାଟ ସୃଷ୍ଟି ହୁଏ ଓ ବର୍ଷା ପାଣି ଗଳିବା ଆଶଙ୍କା ଉପୁଜେ। ସେହିପରି ଇନ୍‌ଟାକ୍‌ ଭୁବନେଶ୍ବର ଚାପ୍ଟର ସଂଯୋଜକ ଅନୀଲ ଧିର କହିଛନ୍ତି ଯେ, ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆରମ୍ଭ ବେଳେ ମନ୍ଦିର ନିକଟବର୍ତ୍ତୀ ପୁରୁଣା ଗଛଗୁଡ଼ିକର ଅବାଧ କଟାଯାଇଛି। ଏହି ଗଛ ଗୁଡ଼ିକ ଏକପ୍ରକାର ପ୍ରାକୃତିକ ସୁରକ୍ଷା ଜାଲ ଥିଲ।। ଏହିସବୁ ଗଛ ମଧ୍ୟରୁ ଅନେକ ବଜ୍ରପାତ ଆଘାତ ପାଇଥିଲେ। ତେଣୁ ମନ୍ଦିର ଗୁଡ଼ିକରୁ ବଜ୍ରପାତ ଦୂରେଇ ଯାଇଥିଲା। ମନ୍ଦିର ନିକଟରେ ତାଳ, ନଡ଼ିଆ ଆଦି ଗଛ ଲଗାଇବା ଉପରେ ସେ ମଧ୍ୟ ଗୁରୁତ୍ବ ଆରୋପ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe