ଭୁବନେଶ୍ୱର: ରାଜଧାନୀରେ ବଢ଼ି ଚାଲିଛି ପ୍ଲାଷ୍ଟିକ୍ଆବର୍ଜନା ଭାର। ବିଫଳ ହୋଇଛି ସଚେତନତା ଓ ଏନ୍ଫୋର୍ସମେଣ୍ଟ। ଏକକ ବ୍ୟବହାର ପ୍ଲାଷ୍ଟିକ୍ଏତେ ମାତ୍ରାରେ ବଢ଼ିଚାଲିଛି ଯେ ଗତ ୩ ବର୍ଷ ଭିତରେ ପ୍ଲାଷ୍ଟିକ୍ଆବର୍ଜନା ପରିମାଣ ବଢ଼ିବଢ଼ି ବାର୍ଷିକ ୨୦ହଜାର ଟନ୍ଛୁଇଁଲାଣି। ଯାହା ରାଜ୍ୟରେ ଥିବା ୧୧୫ ମହାନଗର ନିଗମ ଓ ପୌରାଞ୍ଚଳ ଭିତରେ ସର୍ବାଧିକ। ଭୁବନେଶ୍ବର ମହାନଗର ନିଗମ ତଳକୁ ରହିଛି କଟକ ମହାନଗର ନିଗମ ଓ ଅନ୍ୟ ମହାନଗର ନିଗମ। କିନ୍ତୁ ଏଠାରେ ସୃଷ୍ଟି ହେଉଥିବା ଆବର୍ଜନା ପରିମାଣ ରାଜଧାନୀ ଭୁବନେଶ୍ବରର ପ୍ରାୟ ଅଧା। ତଥ୍ୟ ଦେଖିଲେ, ଗତ ୩ ବର୍ଷ ଭିତରେ ୫ହଜାର ୧୧୭ ଟନ୍ ଅଧିକ ଆବର୍ଜନା ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଧୀନସ୍ଥ ଅଞ୍ଚଳରୁ ସୃଷ୍ଟି ହୋଇଛି। କେବଳ ୨୦୨୨-୨୩ରୁ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୪ହଜାର ୫୦୦ ମେଟ୍ରିକ୍ଟନ୍ପ୍ଲାଷ୍ଟିକ୍ଆବର୍ଜନା ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ବାହାରିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ତଥ୍ୟ ରାଜଧାନୀବାସୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ବଡ଼କଥା ହେଉଛି, ରାଜଧାନୀରୁ ନିର୍ଗତ ଆବର୍ଜନାର ୬୦ ପ୍ରତିଶତ ହେଉଛି ପ୍ଲାଷ୍ଟିକ୍ଆବର୍ଜନା। ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ବଦଳରେ ପ୍ଲାଷ୍ଟିକ୍ଆବର୍ଜନା ସ୍ଥିତିରେ ରାଜଧାନୀ ଭୁବନେଶ୍ବର ଚିତ୍ର ବିଗିଡ଼ିଲାଣି।
ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟ ଅନୁଯାୟୀ, ୨୦୨୨-୨୩ ମସିହାରେ ରାଜଧାନୀରୁ ଦୈନିକ ୫୨୦ ମେଟ୍ରିକ୍ଟନ୍ଆବର୍ଜନା ବାହାରୁଥିଲା। ଏଥିରୁ ଦୈନିକ ୨୫୫ ମେଟ୍ରିକ୍ଟନ୍ପ୍ରକ୍ରିୟାକରଣ ହୋଇପାରୁଥିଲା।
ଏବେ ରାଜଧାନୀ(ବିଏମ୍ସି ଅଞ୍ଚଳ)ରୁ ୮୨୦ ମେଟ୍ରିକ୍ଟନ୍ଆବର୍ଜନା ବାହାରୁଛି। ଯେଉଁଥିରୁ ୪୨୦ ଟନ୍ଆବର୍ଜନା ପ୍ରକ୍ରିୟାକରଣ ହୋଇପାରୁଛି। ଏଥିରେ ପ୍ରାୟ ୧୮୦ରୁ ୨୦୦ ମେଟ୍ରିକ୍ଟନ୍ପ୍ଲାଷ୍ଟିକ୍ଆବର୍ଜନା ରହୁଛି। ବାର୍ଷିକ ପ୍ଲାଷ୍ଟିକ୍ଆବର୍ଜନା ତଥ୍ୟ ଦେଖିଲେ, ୨୦୨୧-୨୨ ମସିହାରେ ରାଜଧାନୀରୁ ବାର୍ଷିକ ୧୪ହଜାର ୫୩୮ ମେଟ୍ରିକ୍ଟନ୍ ପ୍ଲାଷ୍ଟିକ୍ଆବର୍ଜନା ବାହାରିଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ହଜାର ୧୧୧ ମେଟ୍ରିକ୍ଟନ୍ପ୍ଲାଷ୍ଟିକ୍ଆବର୍ଜନା ବାହାରିଥିଲା। ୨୦୨୧-୨୨ ବର୍ଷ ତୁଳନାରେ ୨୦୨୨-୨୩ରେ ପ୍ଲାଷ୍ଟିକ୍ଆବର୍ଜନା ପରିମାଣ ୫୭୩ ମେଟ୍ରିକ୍ଟନ୍ଅଧିକ ଥିଲା। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ଲାଷ୍ଟିକ୍ଆବର୍ଜନା ପରିମାଣ ୧୯ହଜାର ୬୫୫ ମେଟ୍ରିକ୍ଟନ୍ରେ ପହଞ୍ଚିଛି। ୨୦୨୨-୨୩ ବର୍ଷ ତୁଳନାରେ ୨୦୨୩-୨୪ରେ ପ୍ଲାଷ୍ଟିକ୍ଆବର୍ଜନା ୪ହଜାର ୫୪୪ ମେଟ୍ରିକ୍ଟନ୍ବଢ଼ିଛି। ଏହି ତଥ୍ୟ ହସ୍ତଗତ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି। ଏନ୍ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବାକୁ କହୁଛି। କିନ୍ତୁ ଭୁବନେଶ୍ବର ମହାନଗର ନିଗମ ଏ ଦିଗରେ ସେତେଟା ତତ୍ପରତା ଦେଖାଉ ନଥିବାରୁ ପ୍ଲାଷ୍ଟିକ ଆବର୍ଜନା ଭାର ଦିନକୁ ଦିନ ବଢ଼ିଚାଲିଛି। ଯାହା ଆଗାମୀ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।
ପ୍ଲାଷ୍ଟିକ୍ ନିଷେଧ ନିୟମକୁ ଫୁ’ପରାମର୍ଶ କମିଟି ବୈଠକ ବସୁନି କି ଚଢ଼ଉ ହେଉନି
ରାଜ୍ୟ ସରକାର ୮ ବର୍ଷ ତଳେ ପଲିଥିନ୍କଟକଣା ନିୟମ ଜାରି କରିଥିଲେ। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍କୁ ସଂପୂର୍ଣ୍ଣ ନିଷେଧ କଲେ ଓ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ। କିନ୍ତୁ ଅମାନିଆମାନେ ଏହି ନିୟମକୁ ଫୁ’ କରି ଦେଇଛନ୍ତି। କଟକଣାର ୮ ବର୍ଷ ପରେ ବି ରାଜ୍ୟରେ ସ୍ଥିତିରେ ସୁଧାର ଆସିପାରିନି। ରାଜଧାନୀ ଭୁବନେଶ୍ବର ଏହାର ଜ୍ବଳନ୍ତ ଉଦାହରଣ। ବଜାରଘାଟ, ସବୁଠି ମାଳ ମାଳ ପଲିଥିନ୍। ଯେଉଁଥିପାଇଁ ଦିନକୁ ଦିନ ପ୍ଲାଷ୍ଟିକ୍ଆବର୍ଜନାର ଭାର ଏଠାରେ ବଢ଼ିଚାଲିଛି। ସେ ୟୁନିଟ୍୧ ହାଟ ହେଉ କି ୟୁନିଟ୍୪ ଅବା ବିଏମ୍ସି ଅଞ୍ଚଳରେ ଥିବା ଅନ୍ୟ ୨୦ରୁ ଅଧିକ ହାଟ, ସବୁଠି ସ୍ଥିତି ସମାନ। ଏଥିପାଇଁ ଗଠିତ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ ବି ସ୍ଥାଣୁ ପାଲଟିଛି। ଆଖିଦୃଶିଆ ଚଢ଼ଉ ହେଉ ନଥିବାରୁ ଅବାଧରେ ସବୁଠି ପଲିଥିନ୍ରେ ସାମଗ୍ରୀ ଦିଆଯାଉଛି। ସେପଟେ ଯେତେବେଳେ ବି ଚଢ଼ଉ ହେଉଛି, ଟିମ୍ମୂଳକୁ ନ ଯାଇ ଛୋଟ ଛୋଟ ଦୋକାନୀଙ୍କଠାରୁ ପଲିଥିନ୍ଜବତ କରିବା ସହ ଜରିମାନା କରି ବାହାବା ନେଉଛି। କିନ୍ତୁ ଯେଉଁମାନେ ଏହି ବେଆଇନ୍ ପଲିଥିନ୍ଉତ୍ପାଦନ କରି ବଜାରକୁ ଛାଡ଼ୁଛନ୍ତି, ସେମାନଙ୍କୁ ହାତ ମାରୁନି।
ରାଜ୍ୟରେ ୨୦୧୮ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀରେ ପଲିଥିନ୍ମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପ୍ରଥମ କରି ଭୁବନେଶ୍ବର ମହାନଗର ନିଗମ ସହ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ମହାନଗର ନିଗମ ଓ ପୁରୀ ପୌରାଞ୍ଚଳକୁ ପଲିଥିନ୍ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଥିଲେ। ୫୦ ମାଇକ୍ରନ୍ ମାନ ତଳକୁ ଥିବା ପଲିଥିନ୍ନିଷେଧ କରାଯାଇଥିଲା। ୨୦୦ ମିଲିଲିଟର ପାଣି ବୋତଲ୍ ବିକ୍ରି ନିଷିଦ୍ଧ କରାଗଲା। ହୋଟେଲ, ଜଳଖିଆ ଦୋକାନ, ଭୋଜିଭାତରେ ଥର୍ମୋକଲ୍ପ୍ଲେଟ୍ବ୍ୟବହାର ନିଷିଦ୍ଧ ହୋଇଥିଲା। ସେହି ଅନୁସାରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ବ୍ୟବହାର ନ କରିବାକୁ ବ୍ୟାପକ ସଚେତନତା ଓ ଚଢ଼ଉ ଜୋରଦାର ହେଲା। ଏହା ଦେଖି ଦୋକାନୀ ବି କାଗଜ ଠୁଙ୍ଗାରେ ସାମଗ୍ରୀ ଦେବା ଆରମ୍ଭ କରି ଦେଇଥିଲେ। କିନ୍ତୁ ଆଉ ପୂର୍ବଭଳି ଚଢ଼ଉ ନ ହେବାରୁ ଏହି ନିୟମକୁ କେହି ମାନିଲେନି। ଏଣୁ ସ୍ଥିତି ଏପରି ଯେ ଏବେ ପ୍ରତି ହାଟରେ ପ୍ରତି ଦୋକାନରେ ପଲିଥିନ୍ରେ ଗ୍ରାହକଙ୍କୁ ସାମଗ୍ରୀ ଦିଆଯାଉଛି। ସର୍ବାଧିକ ପଲିଥିନ୍ବ୍ୟବହାର ଜଳଖିଆ, ହୋଟେଲ୍, ପନିପରିବା ଦୋକାନରେ ଦେଖିବାକୁ ମିଳୁଛି। ଦହିବରା, ଜଳଖିଆ ଦୋକାନୀମାନେ ପୂର୍ବଭଳି ଥର୍ମୋକଲ୍ରେ ଜଳଖିଆ ଦେଉଛନ୍ତି। ଏପରିକି ଗ୍ରୋସରି ଦୋକାନୀମାନେ ଖୁଲମଖୁଲା ନିଷିଦ୍ଧ ପଲିଥିନ୍ବିକ୍ରି କରୁଛନ୍ତି। ପାଉଚ୍ପାଣି ବି ବଜାରରେ ପର୍ଯ୍ୟାପ୍ତ ଉପଲବ୍ଧ ହେଉଛି।
ଏ ଉପରେ ନଜର ରଖିବାକୁ ରାଜ୍ୟ ପରାମର୍ଶଦାତା କମିଟି ବି ଗଠନ କରାଯାଇଛି। ଜିଲ୍ଲାସ୍ତରରେ ଓ ମହାନଗର ନିଗମ ସ୍ତରରେ ବି ସ୍ବତନ୍ତ୍ର କମିଟି ରହିଛନ୍ତି। ପ୍ରତି ୬ ମାସରେ ବୈଠକ ବସି ଆବଶ୍ୟକ ପରାମର୍ଶ ଓ ପଦକ୍ଷେପ ନେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି କମିଟିର ବୈଠକ ବସୁନି କି ସ୍ଥିତି ଅନୁଧ୍ୟାନ କରାଯାଉନି। ବିଏମ୍ସି ଅତିରିକ୍ତ କମିସନର୍କୈଳାସ ଚନ୍ଦ୍ର ଦାସ ଗଣମାଧ୍ୟମକୁ କହିଛନ୍ତି, ପ୍ଲାଷ୍ଟିକ୍ ବିରୋଧରେ ବିଏମ୍ସି ରଣନୀତିରେ ପରିବର୍ତ୍ତନ କରିବାକୁ ଯାଉଛି। ଆଗାମୀ ଦିନରେ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ଗୁଡ଼ିକୁ ଟାର୍ଗେଟ୍କରାଯିବ। ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନରେ ଦୋକାନୀଙ୍କୁ ଧରିବା ଓ ଦଣ୍ଡିତ କରିବା ଅଦ୍ୟାବଧି ଫଳପ୍ରଦ ହୋଇନି। ନିୟମିତ କାର୍ଯ୍ୟାନୁଷ୍ଠାନ ଓ ସଚେତନତା ସହିତ ଯୋଗାଣକାରୀ ଓ ଉତ୍ପାଦନକାରୀଙ୍କ ଉପରେ ଲଗାମ ଲଗାଇବାକୁ ବିଏମ୍ସି ଚିନ୍ତା କରୁଛି। ଉତ୍ପାଦନ ୟୁନିଟ୍ଗୁଡ଼ିକ ବିଏମ୍ସି ବାହାରେ ରହିଛି ଏବଂ ଏହା ଖୋର୍ଦ୍ଧା ପ୍ରଶାସନ ଅଧୀନରେ ଥିବାରୁ ଜିଲ୍ଲା ପ୍ରଶାସନର ସାହାଯ୍ୟ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2025/10/31/untitled-10-2025-10-31-08-28-02.jpg)