ତଥାପି ହାରିନାହାନ୍ତି କଣ୍ଡକ୍ଟର ମମିତା, ପଇଡ଼ ବିକି ଘର ଚଳାଉଛନ୍ତି

Advertisment
ତଥାପି ହାରିନାହାନ୍ତି କଣ୍ଡକ୍ଟର ମମିତା, ପଇଡ଼ ବିକି ଘର ଚଳାଉଛନ୍ତି

ଭୁବନେଶ୍ୱର: ଝିଅର ଭବିଷ୍ୟତ ଗଢ଼ିବା ସହ ପେଟ ପୋଷିବା ପାଇଁ ସେ ଅବିରତ ସଂଗ୍ରାମ କରି ଚାଲିଛନ୍ତି। ମହାମାରୀ କରୋନା ସଂକଟ ବେଳେ ଅଭାବ, ଦୁର୍ଦ୍ଦଶା ଓ ସମସ୍ୟା ଭିତରେ ସେ ହାର୍ ମାନିନାହାନ୍ତି। ବରଂ ନୂଆ ନୂଆ ସମସ୍ୟା ତାଙ୍କୁ ଅଧିକ ଶକ୍ତିଶାଳୀ କରି ଠିଆ କରାଇଛି। ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ ଓ ନିଷ୍ଠାର ସହ କାମ କଲେ, ତାଙ୍କ ପେଟ ଅପୋଷା ରହିବ ନାହିଁ ବୋଲି ସେ ବୁଝିଛନ୍ତି। ଏବେ ବି ରାଜଧାନୀର ରାଜରାସ୍ତାରେ ଚାଲିଛି ତାଙ୍କ ଜୀବନ ସଂଗ୍ରାମ। ପଇଡ଼ ବିକି ବଡ଼ କଷ୍ଟରେ ଝିଅର ପାଠପଢ଼ା ଖର୍ଚ୍ଚ ତୁଲାଉଛନ୍ତି ଓ ପେଟକୁ ଦାନା ଯୋଗାଡ଼ କରୁଛନ୍ତି। ଏହା ହେଉଛି ୟୁନିଟ୍‌-୪ ବୁଦ୍ଧ ମନ୍ଦିର ନିକଟରେ ରାଜପଥ କଡ଼ରେ ପଇଡ଼ ବିକୁଥିବା ମମିତା ମହାନ୍ତିଙ୍କ ସଂଘର୍ଷର କାହାଣୀ।

ପାରିବାରିକ କଳହ କାରଣରୁ ଘର ଛାଡ଼ି ଝିଅକୁ ସାଙ୍ଗରେ ଧରି ନୟାଗଡ଼ କାଠିପଡ଼ା ଗ୍ରାମରୁ ମମିତା ଭୁବନେଶ୍ବର ଆସିଥିଲେ। ପୁରୁଣା ଭୁବନେଶ୍ବର ରବି ଟକିଜ୍ ନିକଟ ନୂଆଗାଁରେ ଘର ଭଡ଼ା ନେଇ ରହିଲେ। ଏକ ଘରୋଇ ସ୍କୁଲରେ ଝିଅର ନାମ ଲେଖାଇଥିଲେ। ରୋଜଗାର ପାଇଁ ବାଟ ଖୋଜୁ ଖୋଜୁ ତାଙ୍କୁ ‘ମୋ ବସ୍‌’ରେ ଅସ୍ଥାୟୀ ଭାବେ କଣ୍ଡକ୍ଟର ନିଯୁକ୍ତି ମିଳିଥିଲା। ଦୀର୍ଘ ଦୁଇ ବର୍ଷ ଧରି ଭଲ ମହିଳା କଣ୍ଡକ୍ଟର ଭାବେ ସେ ନିଷ୍ଠାର ସହ ଯାତ୍ରୀଙ୍କୁ ସେବା ଯୋଗାଇଥିଲେ। ସେଥିପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ଦୁହିତା’ କାର୍ଯ୍ୟକ୍ରମରେ ସେ ଶ୍ରେଷ୍ଠ କଣ୍ଡକ୍ଟର ଭାବେ ପୁରସ୍କୃତ ହୋଇଥିଲେ। ତେବେ କରୋନା ମହାମାରୀ ସବୁ କିଛି ଓଲଟପାଲଟ କରିଦେଲା। କରୋନା କଟକଣା ପାଇଁ ବସ୍‌ ଚଳାଚଳ ବନ୍ଦ ହୋଇଗଲା। ‘ମୋ ବସ୍’ର ଅସ୍ଥାୟୀ କର୍ମଚାରୀ ହୋଇଥିବାରୁ ଦରମା ମିଳିଲା ନାହିଁ। ତେଣୁ ଘର ଚଳେଇବାରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ବେଳାଏ ଖାଇଲେ ଆର ବେଳା ଉପାସ ରହିବା ସ୍ଥିତି ଉପୁଜିଲା। ତେଣୁ ଗତ ଫ‌େବ୍ରୁଆରି ମାସରେ ସେ ‘ମୋ ବସ୍‌’ ଚାକିରି ଛାଡ଼ିଦେ‌ବାକୁ ବାଧ୍ୟ ହେଲେ। ଏହା ପରେ ସେ କିଛି ମାସ ପାଇଁ ବିଏମ୍‌ସି ପାର୍କିଂରେ ଏଜେଣ୍ଟ ଓ ପରେ ସୁପରଭାଇଜର ଭାବେ କାମ କଲେ। କିନ୍ତୁ କରୋନା ପୁଣି ତାଙ୍କ ପେଟକୁ ନାତ ମାରିଲା। ସଂକ୍ରମଣ ବଢ଼ିବାରୁ ଲକ୍‌ଡାଉନ୍‌ ଲାଗୁ ହେଲା।

ଫଳରେ ବଜାର ହାଟ ପୁଣି ବନ୍ଦ ହୋଇଗଲା। ଫଳରେ ପାର୍କିଂ ସଂସ୍ଥା ବି ସାମୟିକ ଭାବେ ବନ୍ଦ ହୋଇଗଲା। ତେଣୁ ପୁଣି ରୋଜଗାର ହରାଇଲେ ମମିତା। ତେବେ ସେ ସଂଘର୍ଷରୁ ଓହରି ଗଲେ ନାହିଁ। ରୋଜଗାର ପାଇଁ ରାସ୍ତା ଖୋଜିଲେ। ଶେଷରେ ଇଣ୍ଟରନେଟ୍‌ ମାଧ୍ୟମରେ ଏକ ଅତ୍ୟାଧୁନିକ ପଇଡ଼ କଟା ମେସିନ୍‌ ବାବଦରେ ଜାଣିବାକୁ ପାଇଲେ। ଖୁବ୍‌ କମ ସମୟରେ ଓ କମ୍ ପରିଶ୍ରମରେ ପଇଡ଼କୁ କାଟି ପାରୁଥିବା ଏହି ମେସିନ୍ କିଣିଲେ। ଏବେ ରାମ ମନ୍ଦିର ରାସ୍ତାରେ ବୁଦ୍ଧ ମନ୍ଦିର କଡ଼ରେ ତାଙ୍କ ପଇଡ଼ ପସରା ଖୋଲିଛି। ତାଙ୍କ ଆଚରଣ ଓ ବ୍ୟବହାର ଗ୍ରାହକମାନଙ୍କୁ ଆକର୍ଷିତ କରୁଛି। ଦୁଃସମୟରେ ଭାଙ୍ଗି ନପଡ଼ି ଧୈର୍ଯ୍ୟ ଓ ଭଗବାନଙ୍କ ଉପରେ ବିଶ୍ୱାସ ରଖି କାମ କଲେ, ସବୁ କଷଣ ଦୂର ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe