ଶିଶୁପାଳଗଡ଼ ସୁରକ୍ଷା ବିରୋଧରେ ଷଡ଼ଯନ୍ତ୍ର!

Advertisment

କୁଆଡ଼େ ଗଲା ୫୬୧ ଏକର ଜମି? ଆମ୍‌ସାର ଆକ୍ଟ ଲାଗୁ କରିବାକୁ ବିକ୍ଷୋଭ

କୁଆଡ଼େ ଗଲା ୫୬୧ ଏକର ଜମି? ଆମ୍‌ସାର ଆକ୍ଟ ଲାଗୁ କରିବାକୁ ବିକ୍ଷୋଭ

ଶିଶୁପାଳଗଡ଼ ସୁରକ୍ଷା ବିରୋଧରେ ଷଡ଼ଯନ୍ତ୍ର!

ପୁରୁଣା ଭୁବନେଶ୍ବର: ଐତିହାସିକ କ୍ଷେତ୍ର ଶିଶୁପାଳଗଡ଼ର ସୁରକ୍ଷା ବିରୋଧରେ ବିରାଟ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି। ଏହି ଗଡ଼ର ୫୬୨ ଏକର ଜମିରୁ ମାତ୍ର ୭୭୫ ଡିସିମିଲି ଜମିକୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ମ‌ାପଚୁପ କରି ଦଖଲ କରିଥିବା ବେଳେ ବାକି ୫୬୧ ଏକରରୁ ଅଧିକ ଜମି କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଆନସିଏଣ୍ଟ୍‌ ମନୁମେଣ୍ଟସ୍‌ ଆଣ୍ଡ୍‌ ଆର୍କିଓଲୋଜିକାଲ୍‌ ସାଇନ୍ସ୍‌ ଆଣ୍ଡ ରିମେନ୍ସ୍‌(ଆମ୍‌ସାର୍) ଆକ୍ଟକୁ ଚୁଲିକୁ ‌ଠେଲି ଦେଇ ଏଏସ୍‌ଆଇ ମାଫିଆମାନଙ୍କ ହାତକୁ ଉକ୍ତ ୫୬୧ ଏକର ଗଡ଼ ଜମି ଟେକି ଦେବାକୁ ଷଡ଼ଯନ୍ତ୍ର କରୁଛି କି ବୋଲି ପ୍ରଶ୍ନ ଉଠାଇଛି ଏକାମ୍ର ଜନ ଜାଗରଣ ମଞ୍ଚ। ଗଡ଼ ଜମିକୁ କଂକ୍ରିଟ୍‌ ଜଙ୍ଗଲରେ ପରିଣତ ନ କରିବାକୁ ଦାବି କରି ଆଜି ମଞ୍ଚ ପକ୍ଷରୁ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ମଞ୍ଚର ଅଭିଯୋଗ ଅନୁସାରେ, ୧୯୪୮ ମସିହାରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ଡ. ବି.ବି ଲାଲ୍‌ଙ୍କ ନେତୃତ୍ୱରେ ପ୍ରଥମେ ଶିଶୁପାଳଗଡ଼ ଖନନ ହୋଇଥିଲା ଓ ମାଟି ତଳେ ଲୁକ୍କାୟିତ ୨୫୦୦ ବର୍ଷ ତଳର ସଭ୍ୟତା କଥା ପଦାକୁ ଆସିଥିଲା। ପରେ ଭାରତ ସରକାର ୧୯୫୦ ମସିହା ନଭେମ୍ବର ୨୫ରେ ଗେଜେଟ୍‌ ନୋଟିଫିକେସନ୍‌ ନଂ-୩୪ ଜାରି କରି ମୋଟ୍‌ ୫୬୨.୬୮୧ ଡିସିମିଲି ଜମିକୁ ଐତିହ୍ୟକ୍ଷେତ୍ର ବୋଲି ଘୋଷଣା କରିଥିଲେ। ଆମ୍‌ସାର ଆଇନ ଅନୁସା‌ରେ ଏହା ଏକ ନିଷିଦ୍ଧାଞ୍ଚଳ। ମାତ୍ର ପରେ ସେଠାରେ ଜବରଦଖଲ ବୃଦ୍ଧି ପାଇଲା ଓ ନିଷିଦ୍ଧାଞ୍ଚଳ ହୋଇଥିବା ସତ୍ତ୍ବେ ଉକ୍ତ ଜମିବାଡ଼ି କିଣାବିକା ବି ଚାଲିଲା। ଶେଷରେ ଶିଶୁପାଳଗଡ଼ର ପ୍ରମୁଖ ଅଞ୍ଚଳ ରାମପାର୍ଟ କାନ୍ଥକୁ ଲଗାଇ ଗୃହ ନିର୍ମାଣ ହେଲା। ଏହାକୁ ବିରୋଧ କରି ସାମାଜିକ ଅନୁଷ୍ଠାନ ‘ଅଙ୍କୁଶ’ର ସମ୍ପାଦକ ଆଇନଜୀବୀ ଅରୁଣ କୁମାର ମହାପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପରେ ଓଡ଼ିଶା ଇତିହାସରେ ପ୍ରଥମ କରି ଆମସାର୍ ଆକ୍ଟରେ ଧଉଳି ଥାନା ପୁଲିସ ମାମଲା ୮୦/୨୧ ରୁଜୁ କରିଥିଲା। ହେଲେ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସି ପଡ଼ିଲା। ନିକଟରେ ଭୁବନେଶ୍ୱର ତହସିଲ ପକ୍ଷରୁ ଏଠାରେ ମାପଚୁପ କରାଯାଇଥିଲା। ଭୁବନେଶ୍ବର ତହସିଲ ଓ ଏଏସ୍ଆଇ ପକ୍ଷରୁ ହୋଇଥିବା ମାପଚୁପରେ କେବଳ ରେକର୍ଡଭୁକ୍ତ ୭୭୫ ଡିସିମିଲି ଅଞ୍ଚଳକୁ ମାପି ଦେଲେ ଓ ସେତିକି ଜମିକୁ ତାରବାଡ଼ ଘେରାଇବାକୁ ଉଦ୍ୟମ ଆରମ୍ଭ ହୋଇଛି।

ପରିତାପର କଥା, ଇତିହାସରେ ବର୍ଣ୍ଣିତ ଫାଶୀ ଖୁଣ୍ଟ, ରାଣୀ ଗାଡ଼ିଆ, ରାମପାର୍ଟ ଅଞ୍ଚଳ ଓ ପୂର୍ବରୁ ହୋଇଥିବା ଖନନ ଅଞ୍ଚଳକୁ ମାପ କରାଗଲା ନାହିଁ। ତେଣୁ ବାକି ୫୬୧ ଏକର ଜମି ହଡ଼ପ କରିବାକୁ ବାଟ ପ୍ରସ୍ତୁତ ହୋଇଯାଇଛି ବୋଲି ସଙ୍ଗିନ୍‌ ଅଭିଯୋଗ ଅଣାଯାଇଛି। ଏଏସ୍‌ଆଇର ଏହି ଉଦାସୀନତା ବିରୋଧ‌ରେ ଆଇନଜୀବୀ ଅରୁଣ କୁମାର ମହାପାତ୍ର ଜନସ୍ବାର୍ଥ ମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆଜି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଅର୍ଥ ବିଭାଗ ପ୍ରମୁଖ ସଚିବ, ଏଏସ୍ଆଇ ଅଧୀକ୍ଷକ ଓ ଭୁବନେଶ୍ବର ବ୍ଲକ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ନୃସିଂହ ମହାପାତ୍ର, ମୃତ୍ୟୁଞ୍ଜୟ ମହାନ୍ତି, ଲିଙ୍ଗରାଜ ହାତୀ, ରାଜେଶ ମିଶ୍ର, ଉପନ ଦାସ, ବିଜୟ ଭଟ୍ଟାଚାର୍ଯ୍ୟ, ଜିତେନ୍ଦ୍ର ବେହେରା, ଦିଲ୍ଲୀପ ସୁବୁଦ୍ଧି, ସ୍ବପ୍ନାରାଣୀ ସାମଲ, ସଂଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ବିନୋଦିନୀ ସେନାପତି ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ। ଏନେଇ ଏଏସ୍‌ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକଙ୍କ କହିବା କଥା, ଆଗକୁ ପୁଣି ମାପଚୁପ କରାଯିବ ଓ ଐତିହାସିକ ଗଡ଼ର ଆଉ କିଛି ଜମି ପୁନରୁଦ୍ଧାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe