ତିନି କୃଷି ଆଇନ କାର୍ଯ୍ୟକାରୀ ପାଇଁ ଷଡ଼୍‌ଯନ୍ତ୍ର

Advertisment

ନିଜସ୍ତରରୁ ଧର୍ମାନ୍ଧତାକୁ ବିରୋଧ ପାଇଁ ମେଧାଙ୍କ ଆହ୍ବାନ, ଆମ ଭବିଷ୍ୟତ କେତେ ସୁରକ୍ଷିତ ପୁସ୍ତକ ଉନ୍ମୋଚିତ

ନିଜସ୍ତରରୁ ଧର୍ମାନ୍ଧତାକୁ ବିରୋଧ ପାଇଁ ମେଧାଙ୍କ ଆହ୍ବାନ, ଆମ ଭବିଷ୍ୟତ କେତେ ସୁରକ୍ଷିତ ପୁସ୍ତକ ଉନ୍ମୋଚିତ

ତିନି କୃଷି ଆଇନ କାର୍ଯ୍ୟକାରୀ ପାଇଁ ଷଡ଼୍‌ଯନ୍ତ୍ର

ଭୁବନେଶ୍ବର: ସଂସଦର ପଛ ପଟରୁ ତିନି କୃଷି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଛନ୍ତି କେନ୍ଦ୍ର ସରକାର। ଆଦାନି ଗ୍ରୁପ ଯେଉଁଭଳି ଭାବରେ ଗୋଦାମ ପ୍ରସ୍ତୁତ କରି ରଖିଛି ଏଥିରୁ ଏଫସିଆଇର ଘରୋଇକରଣ ପାଇଁ ସବୁପ୍ରକାର ପ୍ରଚେଷ୍ଟା କରାଯାଉଛି ବୋଲି ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଚାଷୀ ସଙ୍ଗଠନ ମଧ୍ୟରେ ବିଭାଜନ ନୁହେଁ ବରଂ ଏକତାର ଆବଶ୍ୟକତା ରହିଛି। ଆଦାନି, ଅମ୍ବାନି ଯେଉଁଭଳି ଭାବରେ ଦେଶର ମୁଖ୍ୟ ସମ୍ପଦ ଅକ୍ତିଆର କରିବାକୁ ବସିଛନ୍ତି ତେଣୁ ନ୍ୟୁନତମ ନୁହେଁ ବରଂ ଚାଷୀ ସର୍ବୋଚ୍ଚତମ ସହାୟକ ମୂଲ୍ୟର ଦାବି କରିବାକୁ ହେବ। ଲୋହିଆ ଏକାଡେମିରେ ଆୟୋଜିତ ଲୋକଶକ୍ତି ଅଭିଯାନର ଆବାହକ ତଥା ବିଭିନ୍ନ ଜନ ଆନ୍ଦୋଳନର ଅଗ୍ରଣୀ ନେତା ପ୍ରଫୁଲ୍ଲ ସାମନ୍ତରାଙ୍କ ଲିଖିତ ପୁସ୍ତକ ଆମ ଭବିଷ୍ୟତ କେତେ ସୁରକ୍ଷିତ ଉନ୍ମୋଚନ ଅବସରରେ ଏହା କହିଛନ୍ତି ନର୍ମଦା ବଚାଓ ଆନ୍ଦୋଳନର ନେତ୍ରୀ ମେଧା ପାଟେକର।

କାର୍ଯ୍ୟକ୍ରମରେ ମେଧା ପାଟେକରଙ୍କ ବହି ନର୍ମଦା ଘାଟିସେ ବହୁଜନ ଗାଥାଏଁର ମଧ୍ୟ ଉନ୍ମୋଚନ ହୋଇଥିଲା। ବୀରେନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମେଧା ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଆନ୍ଦୋଳନଜୀବୀର ଆଖ୍ୟାକୁ ସେ ଗର୍ବର ସହିତ ସ୍ବୀକାର କରନ୍ତି। ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ତାଙ୍କ ଭଳି ଅନେକ ଆନ୍ଦୋଳନଜୀବୀ ହେବାରେ ଗର୍ବ ଅନୁଭବ କରନ୍ତି। ଆଜି ବିଶ୍ବରେ ପ୍ରତିବର୍ଷ ୧୫ କୋଟି ଗଛ କାଟି ଦିଆଯାଉଛି। ପ୍ରକୃତି ସହିତ ଏହା ଠାରୁ ବଡ଼ ଅତ୍ୟାଚାର କ’ଣ ହୋଇପାରେ। ଆମକୁ ୧ ଟଙ୍କିଆ ଚାଉଳ କି ଚାଷୀଙ୍କୁ ୬ ହଜାର ଟଙ୍କା ଭଳି ମାଗଣା ଯୋଜନାର ଆବଶ୍ୟକତା ନାହିଁ।

ବରଂ ଉପଯୁକ୍ତ ପାରିଶ୍ରମିକ ସହିତ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ଦେଇଦିଅ ସବୁ ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ପ୍ରକୃତି ସହିତ ଜଡ଼ିତ ବ୍ୟକ୍ତିହିଁ ଆଜି ସର୍ବାଧିକ ପୀଡ଼ିତ। କୋଇଲା ସଙ୍କଟ ନେଇ ସରକାରଙ୍କ ଉଦ୍‌ବେଗ କହିବା ଆଳରେ ଏକ ବଡ଼ ଷଡ଼୍‌ଯନ୍ତ୍ର ରହିଛି। ଆଦାନି ଗ୍ରୁପ ଅଷ୍ଟ୍ରେଲିଆର କୋଇଲା ଖଣି କ୍ରୟ ପରେ କୋଇଲାକୁ ନେଇ ସରକାର କାନ୍ଦ ବେଶି ବଢ଼ିଛି। ଆଜି ଦେଶର ପ୍ରାକୃତିକ ସଂସାଧାନ ଯେଉଁଭଳି ଆଦାନି, ଅମ୍ବାନି ଗ୍ରୁପକୁ ଟେକି ଦିଆଯାଇଛି ଏଭଳି ସ୍ଥିତିରେ ସମତାର ଆନ୍ଦୋଳନର ନିହାତି ଆବଶ୍ୟକତା ରହିଥିବା କହିଥିଲେ। ଏଥିସହିତ ଦେଶରେ ବଢ଼ୁଥିବା ଧର୍ମାନ୍ଧତା ବିରୋଧରେ ନିଜ ଗଳିରୁ ଲଢ଼େଇ କରିବାକୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ମନୋରଞ୍ଜନ ମହାନ୍ତି, ସମଦୃଷ୍ଟି ସମ୍ପାଦକ ସୁଧୀର ପଟ୍ଟନାୟକ ମଞ୍ଚାସୀନ ଥିଲେ। ପ୍ରଫୁଲ୍ଲ ସାମନ୍ତରା ପ୍ରାରମ୍ଭିକ ସୂଚନା, ବିଘ୍ନେଶ୍ବର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe