ବିବାଦରେ ଲୋକକଳା କାର୍ଯ୍ୟକ୍ରମ: ଆର୍ଥିକ ଅନିୟମିତତା ଅଭିଯୋଗ, ବିଭାଗୀୟ ତଦନ୍ତ ଜାରି

Advertisment

ପ୍ରକଳ୍ପ ସଂଯୋଜକଙ୍କୁ ପ୍ରତ୍ୟାହାର ପାଇଁ ୟୁନିସେଫ୍‌କୁ ଲେଖିଲା ସଂସ୍କୃତି ବିଭାଗ, ଲୋକକଳା କାର୍ଯ୍ୟକ୍ରମ ବନ୍ଦ, କଳାକାରଙ୍କ ଅସନ୍ତୋଷ

ପ୍ରକଳ୍ପ ସଂଯୋଜକଙ୍କୁ ପ୍ରତ୍ୟାହାର ପାଇଁ ୟୁନିସେଫ୍‌କୁ ଲେଖିଲା ସଂସ୍କୃତି ବିଭାଗ, ଲୋକକଳା କାର୍ଯ୍ୟକ୍ରମ ବନ୍ଦ, କଳାକାରଙ୍କ ଅସନ୍ତୋଷ

ବିବାଦରେ ଲୋକକଳା କାର୍ଯ୍ୟକ୍ରମ: ଆର୍ଥିକ ଅନିୟମିତତା ଅଭିଯୋଗ, ବିଭାଗୀୟ ତଦନ୍ତ ଜାରି

Career Guide

ଭୁବନେଶ୍ବର: ଲୋକକଳାର ପ୍ରଚାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଗଠନ କରାଯାଇଥିବା ‘ରାଜ୍ୟ କଳାସଂସ୍କୃତି ସଂଘ’ ଓ ‘କଳାକାର ମହାସଂଘ ପ୍ରକୋଷ୍ଠ’ ଏବେ ବିବାଦରେ ଛନ୍ଦି ହୋଇପଡ଼ିଛି। ପ୍ରକଳ୍ପ ସଂଯୋଜକଙ୍କ ନାମରେ କୋଟିଏରୁ ଅଧିକ ଟଙ୍କାର ଅନିୟମିତତା ହୋଇଥିବାର ଗୁରୁତର ଅଭିଯୋଗ ଆସିଛି। ଏହାକୁ ନେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଖୋଳତାଡ଼ କରିଛନ୍ତି। ଏହି ପ୍ରଶାସନିକ ବିବାଦଟି ଏତେ ଗୁରୁତର ଆକାର ଧାରଣ କରିଛି ଯେ ତାହା ତୁଟିବାର ନାଁ ଧରୁନି। ଫଳରେ ଲୋକକଳାର ପ୍ରଚାର, ପ୍ରସାର ଏକପ୍ରକାର ଠପ୍ ହୋଇଯାଇଛି। ଏହା ମଧ୍ୟରେ ପ୍ରକଳ୍ପ ସଂଯୋଜକଙ୍କୁ ପ୍ରତ୍ୟାହାର କରିନେବା ପାଇଁ ୟୁନିସେଫ୍‌କୁ ସଂସ୍କୃତି ବିଭାଗ ଚିଠି ଲେଖିଛି। ଲୋକକଳାର ପ୍ରଚାର ପ୍ରସାର ତଥା ଲୋକକଳା କଳାକାରମାନଙ୍କ ଜୀବିକା ବଞ୍ଚେଇ ରଖିବା ପାଇଁ ୨୦୧୧ ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକକଳା ପ୍ରକୋଷ୍ଠ ଉଦ୍‌ଘାଟନ କରିଥିଲେ। ଲୋକକଳାର ବିକାଶ ପାଇଁ ସଂସ୍କୃତି ବିଭାଗକୁ ୟୁନିସେଫ୍ ବୈଷୟିକ, ଆର୍ଥିକ ଓ ମାନବ ସମ୍ବଳ ସହାୟତା ଯୋଗାଇ ଦେଇଥିଲା। କାର୍ଯ୍ୟକ୍ରମର ତଦାରଖ ପାଇଁ ୟୁନିସେଫ ଦ୍ୱାରା ପ୍ରକଳ୍ପ ସଂଯୋଜକ ନିଯୁକ୍ତ କରାଯାଇଥିଲା। ପ୍ରତିବର୍ଷ ତାଙ୍କ ନିଯୁକ୍ତି କାର୍ଯ୍ୟ ଓ ଲକ୍ଷ୍ୟ ହାସଲର ତର୍ଜମା ପରେ ଚୁକ୍ତିନାମା ନବୀକରଣ କରାଯିବାର ବ୍ୟବସ୍ଥା ହୋଇଥିଲା।

‌‌‌‌ବେଶ୍‌ କିଛି ବର୍ଷ କାମ ସୁରୁଖୁରୁରେ ଚାଲିଲା। ଜିଲ୍ଲା, ନଗର ଓ ବ୍ଲକ୍‌ସ୍ତରରେ ଲୋକକଳା ସଂଘ ଗଠିତ ହୋଇ ଲୋକକଳାର ପ୍ରଚାରପ୍ରସାର ଢେର୍‌ ହୋଇଥିଲା। ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକକଳା କଳାକାର/ ଲୋକକଳା ଦଳମାନଙ୍କୁ ନିଜ କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ମିଳିଲା। ଏଥିଯୋଗୁଁ ବିଲୁପ୍ତପ୍ରାୟ ଅନେକ ଲୋକକଳା ପୁନର୍ଜୀବନ ପାଇବା ସହ କଳାକାର ତାହାକୁ ଜୀବିକା ହିସାବରେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କଲେ। ଜୁନ୍ ୧୪ ତାରିଖକୁ ଲୋକକଳା ଦିବସ ଭାବେ ପାଳନ କରାଗଲା। ଏମିତିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଅନ୍ୟ ସବୁ ଏକାଡେମି ଭଳି ଲୋକକଳା ଏକାଡେମି ଗଠନ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ଏକ ବିଶେଷଜ୍ଞ କମିଟି ପ୍ରାରମ୍ଭିକ ପର୍ଯ୍ୟାୟରେ ଆବଶ୍ୟକ ହେଉଥିବା ସମସ୍ତ କାଗଜପତ୍ର ବାଇ-ଲ’ ଇତ୍ୟାଦି ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏବେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ବହୁ ବେନିୟମ କାମ ଓ ଆର୍ଥିକ ଅନିୟମିତତାର ଅଭିଯୋଗ ଉଠିଛି। ଖୋଦ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏକ ସମୀକ୍ଷା କରି ଏହି ଅନିୟମିତତା ଧରିଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ନିଜେ ବିଭାଗୀୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟ କଳାସଂସ୍କୃତି ସଂଘ(ଆର୍‌କେଏସ୍ଏସ୍) ଓ କଳାକାର ମହାସଂଘ ପ୍ରକୋଷ୍ଠ(ଏଏଫ୍‌ସି)ର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରୁ ଜଣାପଡ଼ିଥିଲା ଯେ ଲୋକକଳା କାର୍ଯ୍ୟକ୍ରମର କୌଣସି କ୍ୟାସ୍‌ବୁକ୍ ଲିଖିତ ଆକାରରେ ରଖାଯାଉନାହିଁ। ପ୍ରକଳ୍ପ ସଂଯୋଜକ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଅଗ୍ରିମ ଆକାରରେ ନେଇଛନ୍ତି। ଏହା କେବଳ ନିର୍ଦ୍ଦେଶକଙ୍କ ନୋଟ୍‌ସିଟ୍ ଭିତ୍ତିରେ ନିଆଯାଇଛି। ଏହାର କୌଣସି ହିସାବ ଓ କାଗଜପତ୍ର ପ୍ରକଳ୍ପ ସଂଯୋଜକ ରଖିନାହାନ୍ତି। ଏହା ଏକ ଗୁରୁତର ଆର୍ଥିକ ଅନିୟମିତତା ବୋଲି ଦର୍ଶାଯାଇଛି। ପୂର୍ବରୁ ନେଇଥିବା ୧ କୋଟି ୪୦ ଲକ୍ଷ ଟଙ୍କାର ଅଗ୍ରିମ ନ ଫେରାଇଲେ ତାଙ୍କୁ କୌଣସି ଅଗ୍ରିମ ନ ଦେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେଲା ଯେ ୟୁନିସେଫ୍ ଦ୍ବାରା ନିଯୁକ୍ତ ପ୍ରକଳ୍ପ ସଂଯୋଜକ ସରକାରୀ ଅଧିକାରୀ ହୋଇ ନଥିଲେ ମଧ୍ୟରେ ବିଭିନ୍ନ ସରକାରୀ ଫାଇଲ୍ ତାଙ୍କ ପାଖକୁ ଯାଉଛି, ଯାହା କି ସମ୍ପୂର୍ଣ୍ଣ ବେଆଇନ। ୟୁନିସେଫ୍ ସହଯୋଗରେ ହୋଇଥିବା ପିଏମ୍‌ୟୁର ଏକ ଅଂଶ ଭାବେ ପ୍ରକଳ୍ପ ସଂଯୋଜକ କାମ କରୁଛନ୍ତି। ତେଣୁ ସେ କୌଣସି ସରକାରୀ ଫାଇଲ୍‌ ଉପରେ ପଦକ୍ଷେପ ନେଇପାରିବେ ନାହିଁ ବୋଲି ସଚିବ ନିର୍ଦ୍ଦେଶ ଦେଇଥିଲେ।

ଏଏଫ୍‌ସିକୁ ସରକାର ୪ କୋଟି ଟଙ୍କାର କର୍ପସ୍ ପାଣ୍ଠି ଦେଇଛନ୍ତି। ଏହାର ସୁଧ ବାବଦକୁ ଅର୍ଥ କଳାକାରଙ୍କ ହିତ ପାଇଁ ଖର୍ଚ୍ଚ ହେବ। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଏକ କୋଟି ଟଙ୍କାର ୪ଟି ଫିକ୍ସ୍‌ଡ୍‌ ଡିପୋଜିଟ୍ କରାଯାଇଛି। କିନ୍ତୁ ବୈଠକରେ ସେହି ଫିକ୍ସ୍‌ଡ୍‌ ଡିପୋଜିଟ୍‌ର ସାର୍ଟିଫିକେଟ୍ ଦେଖାଯାଇ ପାରି ନ ଥିଲା। ଏହାକୁ ତୁରନ୍ତ ବାହାର କରିବା ସହ ୪କୋଟି ଟଙ୍କାକୁ ଗୋଟିଏ ଫିକ୍ସ୍‌ଡ୍‌ ଡିପୋଜିଟ୍ କରି କୌଣସି ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରକଳ୍ପ ସଂଯୋଜକ ୯ ଜଣ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ରଖିଥିବା କୁହାଯାଇଥିଲା। କିନ୍ତୁ ସେମାନଙ୍କ ନିଯୁକ୍ତି ନେଇ କୌଣସି ଫାଇଲ୍ ବୈଠକରେ ଉପସ୍ଥାପନ କରାଯାଇପାରି ନ ଥିଲା। ଏହାକୁ ନେଇ ସଚିବ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଯେଉଁ ‌ଯେଉଁ ଅନିୟମିତତା ବୈଠକରେ ଧରାପଡ଼ିଥିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। କିଛି ଦିନ ବିଭାଗରେ ଖୋଳତାଡ଼ ଚାଲିଲା ପରେ ଶେଷରେ ଗତକାଲି ପ୍ରକ‌ଳ୍ପ ସଂଯୋଜକଙ୍କୁ ଫେରାଇନେବା ପାଇଁ ୟୁନିସେଫ୍‌କୁ ଚିଠି କରାଯାଇଛି। ପ୍ରଶାସନିକସ୍ତରରେ ଏସବୁ ପ୍ରକ୍ରିୟା ଚାଲୁଥିବା ବେଳେ ଏପଟେ ଲୋକକଳାର ପ୍ରଚାର, ପ୍ରସାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ମାସିକ ଲୋକକଳା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଜୁନ୍‌ ୧୪‌ରେ ଲୋକକଳା ଦିବସ ପାଳନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ଲୋକକଳା ସଂଘଗୁଡ଼ିକର ଅବସ୍ଥା କ’ଣ ହେବ, ତାହା ମଧ୍ୟ ଏବେ ସନ୍ଦେହରେ। ଏହାକୁ ନେଇ କିଛି କଳାକାର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକକଳା କାର୍ଯ୍ୟକ୍ରମର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନୂଆ ଢାଞ୍ଚାରେ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳୁଛି। କିନ୍ତୁ କଳାକାରଙ୍କ ହିତ ଦୃଷ୍ଟିରୁ ଏହି ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe