ରାଜଧାନୀରେ ପରିମଳ ବ୍ୟବସ୍ଥାର ପିଛା ଛାଡ଼ୁନି ବିବାଦ, ଆଗକୁ ଅଡୁଆ ବଢ଼ିବାର ଆଶଙ୍କା

ମୁଣ୍ଡବିନ୍ଧା ବଢ଼ାଉଛି ବେଆଇନ ପାର୍କିଂ

The New Indian Express

ଭୁବନେଶ୍ବର: ନୂଆ ପରିମଳ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ତ୍ରୁଟି ଯୋଗୁ ବିବାଦ ପିଛା ଛାଡ଼ୁନି। ହାଇକୋର୍ଟ ବିଏମ୍‌ସି ପରିମଳ ପ୍ୟା‌କେଜ୍‌ ନମ୍ବର ୫ ଓ ୮ରୁ ମଞ୍ଜୁ ସର୍ଭିସ୍‌କୁ ବିଦା କରିବା ପରେ ନୂଆ ଅଡ଼ୁଆ ଛିଡ଼ା ହୋଇଛି। ଏବେ ଏହି ପ୍ୟାକେଜ୍‌ରେ ନୂଆର ଟେଣ୍ଡର ହେବ କି ଟେଣ୍ଡର ପ୍ରକ୍ରିୟାରେ ଦୁଇ ନମ୍ବରରେ ଥିବା ସଂସ୍ଥାକୁ ସଫେଇ ଦାୟିତ୍ବ ଦିଆଯିବ ତାହାକୁ ନେଇ ବିଏମ୍‌ସିରେ ମାନସମନ୍ଥନ ଚାଲିଛି। ନଗର ଉନ୍ନୟନ ବିଭାଗ ଓ ବିଏମ୍‌ସି ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ ଏବେ ପରିମଳ ବିବାଦରେ ବିଏମ୍‌ସି ଛନ୍ଦି ହୋଇପଡ଼ିଛି। ଆଗକୁ ଆହୁରି ଅଡ଼ୁଆ ବଢ଼ିବାର ଆଶଙ୍କା ସ୍ପଷ୍ଟ ଦେଖାଯାଉଛି।

ଟେଣ୍ଡର ସର୍ତ୍ତ ମୁତାବକ, ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଆବେଦନକାରୀ ଏଭଳି ଠକେଇ କଲେ, ତଥ୍ୟ ଲୁଚାଇଲେ, କର୍ତ୍ତୃପକ୍ଷଙ୍କୁ ଭୂଆଁ ବୁଲାଇବାକୁ ଉଦ୍ୟମ କଲେ, ସମଗ୍ର ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କଲେ ସମ୍ପୃକ୍ତ ସଂସ୍ଥାକୁ ବିଏମ୍‌ସି କଳା ତାଲିକାଭୁକ୍ତ କରିପାରେ କିମ୍ବା ୫ ବର୍ଷ ପର୍ଯ୍ୟନ୍ତ କୌଣସି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ଚିତ କରିପାରିବ। ମଞ୍ଜୁ ସର୍ଭିସ ଏଭଳି ଅନିୟମିତତା କରିଥିବା କୋର୍ଟ ପ୍ରମାଣିତ କରିବା ପରେ ଏବେ ବିଏମ୍‌ସି ଚିନ୍ତାରେ ପଡ଼ିଛି। ତଥ୍ୟ ଲୁଚାଇବା ଓ ଟେଣ୍ଡର ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ବିଏମ୍‌ସି ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ବିଏମ୍‌ସି କି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି ରହିଛି। ତେବେ ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବିଏମ୍‌ସି ଉପରେ ପ୍ରବଳ ଚାପ ରହିଥିବା ଚର୍ଚ୍ଚା ଚାଲିଛି।

ମଞ୍ଜୁ ସର୍ଭିସ୍‌ ବିଦା ହେବା ପରେ ଧରାପଡ଼ିଲା ଅଧିକାରୀଙ୍କ ଅପାରଗତା
ପୂରା ଟେଣ୍ଡର୍‌ ପ୍ରକ୍ରିୟାରେ ମାଳମାଳ ତ୍ରୁଟି
ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଅକଳରେ ବିଏମ୍‌ସି
ରାଉରକେଲା ମହାନଗର ନିଗମ ଟେଣ୍ଡରରୁ ବାଦ୍‌ ପଡ଼ିଲା ‘ଆୱାର୍‌ଲ୍ୟାଣ୍ଡ’
କେବେ କାର୍ଯ୍ୟାନୁଷ୍ଠାନ ନେବ ବିଏମ୍‌ସି?

ଅନ୍ୟପଟେ ନୂଆ ପ୍ୟାକେଜ୍‌ରେ କାମ ଆରମ୍ଭ କରିଥିବା ‘ଆୱାରଲ୍ୟାଣ୍ଡ’ ସଂସ୍ଥାକୁ ନେଇ ବିବାଦ ମୁଣ୍ଡ ଟେକିଛି। ରାଉରକେଲା ମହାନଗର ନିଗମ (ଆରଏମ୍‌ସି)ରେ ଏହି ସଂସ୍ଥା ପରିମଳ ଟେଣ୍ଡରରେ ଭାଗ ନେଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା କି ପରିମଳ ବ୍ୟବସ୍ଥାରେ ସଂସ୍ଥା ନିଜର ଅଭିଜ୍ଞତା ଥିବା ଦର୍ଶାଇଥିବା ବେଳେ ୱାର୍କ ଅର୍ଡରରେ କେବଳ ଶ୍ରମିକ ଯୋଗାଇବା କାମ କରୁଥିବା ଦର୍ଶାଯାଇଥିଲା। ଏଣୁ କେବଳ ଶ୍ରମିକ ଯୋଗାଉଥିବା ସଂସ୍ଥା ପରିମଳ ବ୍ୟବସ୍ଥାରେ କାମ କରିପାରିବ ନାହିଁ ବୋଲି ଦର୍ଶାଇ ଆରଏମ୍‌ସି ଟେଣ୍ଡର ପ୍ରକ୍ରିୟାରୁ ବାଦ୍‌ ଦେଇଥିଲା। ଏହି ସଂସ୍ଥା ଏବେ ବିଏମ୍‌ସିର ନୂଆ ପ୍ୟାକେଜ୍‌ ବ୍ୟବସ୍ଥାରେ ସଫେଇ କାମ କରୁଛି। କିନ୍ତୁ କାମ କରିବା ପାଇଁ ସଂସ୍ଥା ପ୍ରସ୍ତୁତ ନ ଥିବାରୁ ପରିମଳ ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ନିଜର ପର୍ଯ୍ୟାପ୍ତ ଗାଡ଼ି ନଥିବାରୁ ବିଏମ୍‌ସି ନିଜ ଗାଡ଼ି ଯୋଗାଇ ସଂସ୍ଥାକୁ ସାହାଯ୍ୟ କରୁଛି। ତଥାପି ଶତ ପ୍ରତିଶତ ଆବର୍ଜନା ଉଠି ପାରୁନାହିଁ।

ସମଗ୍ର ପରିମଳ ଟେଣ୍ଡର ପ୍ରକ୍ରିୟାଟି ଦୋଷଯୁକ୍ତ ଥିବାରୁ ଏଭଳି ସମସ୍ୟା ଲଗାତର ସୃଷ୍ଟି ହେଉଛି। ଦିନକୁ ଦିନ ନୂଆ ଅଡ଼ୁଆ ରାଜଧାନୀ ପରିମଳ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ନୂଆ ସଂସ୍ଥା ଶତପ୍ରତିଶତ କାର୍ଯ୍ୟ କରିପାରୁନଥିବାରୁ ବିଏମ୍‌ସି ପୁରୁଣା ସଂସ୍ଥାଙ୍କ ଅବଧି ବଢ଼ାଇ ଚାଲିଛି। ଏମ୍‌ସିସି ଶତପ୍ରତିଶତ କାର୍ଯ୍ୟକ୍ଷମ ହୋଇନଥିବାରୁ ସହରରୁ ବାହାରୁଥିବା ଆବର୍ଜନା ଏମ୍‌ସିସିକୁ ଯାଇପାରୁ ନାହିଁ। ଫଳରେ ଆବର୍ଜନା ଟିଟିଏସ୍‌କୁ ଯାଉଛି। ଟିଟିଏସ୍‌ ପୂର୍ଣ୍ଣ ହୋଇ ଆବର୍ଜନା ରାସ୍ତା ଉପରେ ଗଦା ହୋଇଛି। ସେପଟେ ଧାର୍ଯ୍ୟ ସମୟରେ ଭୁଆସୁଣି ଡମ୍ପିଂ ୟାର୍ଡକୁ ଆବର୍ଜନା ବୋହିବା ବନ୍ଦ ନ ହେଲେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ହେବ ନାହିଁ। ଏଭଳି ସ୍ଥିତି‌ରେ ନୂଆ ପ୍ୟାକେଜ୍‌ ଟେଣ୍ଡରରେ ରହିଥିବା ତ୍ରୁଟିକୁ ସଜାଡ଼ିବାକୁ ବିଏମ୍‌ସି ନାକେଦମ୍ ହେଉଛି। ବାୟୋମାଇନିଂ କଥା ଚିନ୍ତା କରିବାକୁ ବି ସମୟ ପାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe