ଭୁବନେଶ୍ୱର ବିଇଓଙ୍କ ବଦଳିକୁ ନେଇ ବିବାଦ, ୬୪ ଜଣ ଓଇଏସ୍‌ ଗ୍ରୁପ ବି ଅଧିକାରୀଙ୍କ ପଦୋନ୍ନତି

ପ୍ରମୁଖ ପଦରେ ଥିବା ବ୍ୟକ୍ତିଙ୍କ ରୋଷର ଶିକାର ନେଇ ଚର୍ଚ୍ଚା

ଓଏଏସ୍ ସ୍ତରରେ ଅଦଳବଦଳ

Odisha Sun Times

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୬୪ ଜଣ ଓଡ଼ିଶା ଶିକ୍ଷା ସେବା(ଓଇଏସ୍) ଗ୍ରୁପ ବି ଅଧିକାରୀଙ୍କର ଓଇଏସ୍‌(ଏସବି)(ଗ୍ରୁପ ଏ)(ଜୁନିଅର)କୁ ପଦୋନ୍ନତି ହୋଇଛି। ଓଆରଏସସି ରୁଲ ୨୦୧୭ ଅନୁଯାୟୀ ଏମାନେ ଆଡହକ ବେସିସରେ ଲେବୁଲ-୧୨ ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବେ। ପଦୋନ୍ନତି ହୋଇଥିବା ୬୪ ଜଣ ଓଇଏସଙ୍କ ମଧ୍ୟରେ ୪୬ ଜଣ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୂଳ ପଦରେ ରହିଥିବା ବେଳେ କେତେଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସବୁଠାରୁ ବଡ଼ କଥା ହେଲା ପଦୋନ୍ନତି ପରେ ଭୁବନେଶ୍ୱର ବିଇଓ ସସ୍ମିତା ମାଳୀଙ୍କୁ ୟୁନିଟ-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଭାବେ ବଦଳି କରାଯାଇଛି। ଗୋଟିଏ ପଟେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ ଅଧୀନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡ୍‌-୧୯ ସହ ଲଢ଼େଇ କରୁଥିବା ବେଳେ ଏଭଳି ରାତିଅଧିଆ ବଦଳି ପଛର କାରଣ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ସ୍ଥାନରେ କଟକ ସଦର ବିଇଓ ସନ୍ତୋଷ କୁମାର ରାଉତଙ୍କୁ ନିଯୁକ୍ତି ଦିଆଯାଇଛି। ୟୁନିଟ-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିବା ନିରୂପା ବେହେରାଙ୍କୁ ଜଟଣୀ ବିଇଓ ଭାବେ ବଦଳି କରାଯାଇଛି। ଯଦି ଦେଖାଯାଏ ତେବେ ୯ ଜଣଙ୍କ ପଦବିରେ ଏପାଖ ସେପାଖ କରାଯାଇଛି। ନହେଲେ ଅନ୍ୟମାନେ ଯେଉଁଠି ଥିଲେ ସେଠାରେ ରହିବେ ବୋଲି ପଦୋନ୍ନତି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଏଭଳି ବଦଳି ପଛର କାରଣ କ’ଣ ବୋଲି ପ୍ରଶ୍ନ ଉଠିଛି। କିଛି ଦିନ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କହିଥିଲେ ଯେଉଁମାନେ ଯେଉଁଠି କାର୍ଯ୍ୟ କରୁଛନ୍ତି ପଦୋନ୍ନତି ପରେ ସେଠାରେ ହିଁ ରହିବେ। କୋଭିଡ୍‌-୧୯ ପରିଚାଳନାରେ ଡିଇଓ, ବିଇଓ, ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିବାରୁ କୌଣସି ପରିବର୍ତ୍ତନ ହେବନାହିଁ। ତେବେ କେଉଁ କାରଣ ପାଇଁ ଭୁବନେଶ୍ବର ବିଇଓଙ୍କୁ ପଦରୁ ହଟାଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ’ଣ ପାଇଁ ଓ କେଉଁ ତ୍ରୁଟି ଲାଗି ଅନ୍ୟତ୍ର ବଦଳି କରାଗଲା ତାହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆଲୋଚନା ଆରମ୍ଭ ହୋଇଛି। କୁହାଯାଉଛି ଯେ ବିଭାଗର ପ୍ରମୁଖ ପଦରେ ଥିବ ଜଣେ ବ୍ୟକ୍ତି ପୂର୍ବ ରାଗ ସୁଝାଇବା ପାଇଁ ଏଭଳି କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଭୁବନେଶ୍ୱରର ଏକ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ରହିଥିବାରୁ ପ୍ରତି କଥାରେ ତାଙ୍କୁ ପଚାରି କାମ କରିବାକୁ ସେ ବିଇଓଙ୍କୁ ଚାପ ପକାଉଥିଲେ। ତେବେ ଶ୍ରୀମତୀ ମାଳି ତାଙ୍କ କଥା ଶୁଣୁ ନ ଥିବାରୁ ଏବେ ରୋଷର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe