କରୋନା କଟକଣାର ପ୍ରଭାବ: ରାଜଧାନୀରେ କମିଛି ଅପରାଧ

Advertisment
କରୋନା କଟକଣାର ପ୍ରଭାବ: ରାଜଧାନୀରେ କମିଛି ଅପରାଧ

India Today

ଭୁବନେଶ୍ବର: ‘କରୋନା’ ଟେନ୍‌ସନ୍‌ ଏବେ ସମସ୍ତଙ୍କୁ ଘାରିଛି। ଲକ୍‌ଡାଉନ୍‌ ଫଳରେ ଏବେ ସମସ୍ତେ ଘରେ ରହୁଛନ୍ତି। ଏଭଳି ସ୍ଥିତିରେ ଅପରାଧ ସଂଖ୍ୟା ମଧ୍ୟ ଥମି ଯାଇଛି। ମାର୍ଚ୍ଚ ୨୦ ତାରିଖଠାରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୮ ଦିନ ଧରି ଭୁବନେଶ୍ବରର କମିସନରେଟ୍‌ ପୁଲିସ ଅଞ୍ଚଳର କୌଣସି ଥାନାରେ ଗୋଟିଏ ହେଲେ ଚୋରି ମାମଲା ରୁଜୁ ହୋଇନାହିଁ। ତେବେ ତିନିଦିନ ତଳେ ୟୁନିଟ୍‌-୨ ମାର୍କେଟ୍‌ର ଏକ ଡ୍ରେସ୍‌ ଦୋକାନରୁ ଚୋରି କଲା ବେଳେ ସ୍ଥାନୀୟ ଲୋକ ଚୋରକୁ ଧରି ନିସ୍ତୁକ ମାଡ଼ ମାରିଥିବା ଏକମାତ୍ର ନଜିର ରହିଛି। ଗତ ୮ ଦିନ ମଧ୍ୟରେ କ୍ୟାପିଟାଲ ଥାନାରେ ଏହି ଗୋଟିଏ ଚୋରି ଉଦ୍ୟମ ମାମଲା ରୁଜୁ ହୋଇଛି। ତେବେ କେବଳ ଚୋରି ନୁହେଁ, ବରଂ ସମସ୍ତ ପ୍ରକାରର ଅପରାଧ କମିଛି। ଦୁଷ୍କର୍ମ, ଡକାୟତି, ଛିନ୍‌ତାଇ, ସିନ୍ଧିଚୋରି ଭଳି ଅପରାଧ ସଂଘଟିତ ହୋଇନାହିଁ। ୨୦୧୮ ମସିହାରେ ଭୁବନେଶ୍ବର କମିସନରେଟ୍‌ ଅଞ୍ଚଳରେ ରହିଥିବା ୨୧ ଥାନାରେ ୧୫୫୫ଟି ଚୋରି ମାମଲା ରୁଜୁ ହୋଇଥିଲା। ଅର୍ଥାତ୍‌ ମାସକୁ ହାରାହାରି ୧୨୯ ଓ ଦିନକୁ ପାଖାପାଖି ୪ଟି ଚୋରି ମାମଲା ହୋଇଥିଲା। ୨୦୧୯ ମସିହାରେ ୧୯୦୫ଟି ମାମଲା ରୁଜୁ ହୋଇଥିଲା। ଅର୍ଥାତ୍‌ ମାସକୁ ୧୫୮ଟି ଚୋରି ମାମଲା ଓ ଦିନକୁ ପାଖାପାଖି ୫ଟି ଚୋରି ହେଉଥିଲା।

ଏହି ପରିସଂଖ୍ୟାନକୁ ହିସାବକୁ ନେଲେ ଏବେ ୮ ଦିନ ଭିତରେ ୪୦ଟି ଚୋରି ମାମଲା ହେବା କଥା। ହେଲେ କ‌ରୋନା କଟକଣା ଯୋଗୁଁ ଗୋଟିଏ ହେଲେ ଆପରାଧିକ ମାମଲା ରୁଜୁ ହୋଇ ନାହିଁ। ୨୦୧୯ ମସିହାରେ ୪୯ ଡକାୟତି ମାମଲା ରୁଜୁ ହୋଇଥିଲା। ଅର୍ଥାତ୍‌ ମାସକୁ ୪ଟି ଓ ୭ ଦିନକୁ ଗୋଟିଏ ମାମଲା ହେଉଥିଲା। କିନ୍ତୁ ବିଗତ ୮ ଦିନରେ ଗୋଟିଏ ହେଲେ ମାମଲା ହୋଇନାହିଁ। କରୋନା ଲକ୍‌ଡାଉନ୍‌ ପ୍ରଭାବରେ ଚୋର ତ ଘରୁ ବାହାରି ପାରୁ ନାହାନ୍ତି, ସେଥିରେ ପୁଣି ଲୋକମାନେ ନିଜ ଘରେ ରହୁଥିବାରୁ ଚୋରମାନେ ଚୋରି କରିବାର କୌଣସି ସୁଯୋଗ ବି ପାଉ ନାହାନ୍ତି। କିନ୍ତୁ ଏବେ ପରିସ୍ଥିତି ଦୁର୍ବିସହ ହେବାରେ ଲାଗିଛି। ଯେଉଁମାନେ ପ୍ରତ୍ୟହ ପରିଶ୍ରମ କରି ଖଟି ଖାଉଥିଲେ, ସେମାନଙ୍କର ରୋଜଗାର ବନ୍ଦ ହୋଇଯାଇଛି। ତେଣୁ ଏବେ ସେମାନେ ଗାଁକୁ ଯିବାକୁ ଉଚିତ୍‌ ମନେ କରି ରାଜଧାନୀ ଛାଡ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe