କରୋନା ଛଡ଼େଇ ନେଲା ପୂଜା ରୋଜଗାର

Advertisment
କରୋନା ଛଡ଼େଇ ନେଲା ପୂଜା ରୋଜଗାର

ଭୁବନେଶ୍ବର: ଅଗ୍ରପୂଜ୍ୟଙ୍କ ପୂଜାରୁ ଅନେକଙ୍କ ରୋଜଗାରର ବାଟ ଖୋଲେ। ଟେଣ୍ଟ୍‌ ହାଉସ୍‌, ଫୁଲ ବ୍ୟବସାୟୀମାନଙ୍କୁ ୨ ମାସ ଆଗରୁ ବରାଦ ହୋଇଯାଏ। ମେଲୋଡି କଳାକାରମାନେ ପ୍ରସ୍ତୁତିରେ ଲାଗି ପଡ଼ନ୍ତି। ବାଦ୍ୟଯନ୍ତ୍ର ପରିବେଷଣ କରି ଚଳୁଥିବା କଳାକାରମାନେ ରୋଜଗାର ପାଇଁ ଏହି ଦିନକୁ ଚାହିଁ ବସିଥାଆନ୍ତି। ମାତ୍ର କରୋନା ଏଥର ସବୁ ବିଗାଡ଼ି ଦେଇଛି। ପୂଜା ପେଣ୍ଡାଲ୍‌ରେ ପୂଜା ବନ୍ଦ ହୋଇଯାଇନି ଯେ ପୂଜାକୁ ଆଶ୍ରା କରି ଚଳୁଥିବା ବ୍ୟକ୍ତିବିଶେଷଙ୍କ ରୋଜଗାର ବନ୍ଦ ହୋଇଯାଇଛି। ରାଜଧାନୀରେ ଗଣେଶ ପୂଜାକୁ ନେଇପ୍ରତିଯୋଗିତା ଦେଖିବାକୁ ମିଳେ। କିଏ ଲାଇଟ୍‌ରେ ତ କିଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପରସ୍ପରକୁ ବାଜିମାତ୍‌ କରିବାକୁ ଲାଗିପଡ଼ନ୍ତି। ଏଥର କିନ୍ତୁ ସେ ଉତ୍ସାହ ନାହିଁ। କରୋନା ଖାଲି ଭୟର ବାତାବରଣ ଖେଳାଇ ଦେଇନାହିଁ, ବରଂ ପୂଜା ଆଡ଼ମ୍ବର ସହକାରେ ଆୟୋଜନ କରିବା ପାଇଁ ଯେଉଁ ଚାନ୍ଦାର ଆବଶ୍ୟକତା ପଡ଼େ ତାହା ବି ଏଥର ସଂଗ୍ରହ ହୋଇପାରିବ ନାହିଁ। କେବଳ ଯାହା ପୂଜାକୁ ବଞ୍ଚେଇ ରଖିବା ପାଇଁ ଛୋଟ ମୂର୍ତିଟିଏ ଆଣି ପୂଜା ଚଳେଇ ନେବାକୁ ଆୟୋଜକ କମିଟିମାନେ ମନସ୍ଥ କରିଛନ୍ତି।

ପୂଜା ଋତୁରେ ବି ରୋଜଗାର ଯିବ
ଗଣେଶ ପୂଜାରେ ଆମେ ୧୦ଟି କାମ ପାଉ। ଏହା ଅସ୍ଥାୟୀ ଭାବେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରୋଜଗାରର ସୁଯୋଗ ଦିଏ। ଏଥର କିନ୍ତୁ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେବାକୁ ଅନୁମତି ମିଳିନଥିବାରୁ ହାତ ବାନ୍ଧି ବସି ରହିଛୁ। କିଛି ଉପାୟ ନାହିଁ। ହେଲେ ଯେଉଁମାନେ ନିୟମିତ କାମ କରି ଆସୁଛନ୍ତି ସେମାନେ ନିଜର ଗୁଜରାଣ ପାଇଁ ଆର୍ଥିକ ସହାୟତା ଲୋଡ଼ୁଛନ୍ତି। ବାହାଘର, ଉତ୍ସବ ଓ ସଭା ସମିତି ବନ୍ଦ ହୋଇଯାଇଥିବାରୁ ଆମ ପାଖରେ ବି ଏତେ ସଞ୍ଚୟ ନାହିଁ। ତେଣୁ ସେମାନଙ୍କ ଆବଶ୍ୟକତା ମେଣ୍ଟାଇବା ସମ୍ଭବ ହେଉନାହିଁ।
ପ୍ରିୟବ୍ରତ ମଲ୍ଲିକ (ଉର୍ବଶୀ ଟେଣ୍ଟ୍‌ ହାଉସ ମୁଖ୍ୟ)

ପ୍ରଥମରୁ କଷଣ ଦେଲା କରୋନା
ଗଣେଶ ପୂଜାରେ ୧୨ରୁ ୧୫ଟି କାମ ମିଳେ। ମେଲୋଡି ଦଳରେ ୧୫ରୁ ୨୦ ଜଣ ସଦସ୍ୟ କାମ କରୁଥିବା ବ‌େଳେ ଏଇ ସିଜିନରେ ସେମାନେ ଭଲ ଆୟ କରନ୍ତି। ଏଇଠୁ ନିୟମିତ କାମ ମିଳୁଥିବାରୁ ବାଦ୍ୟଯନ୍ତ୍ର ଶିଳ୍ପୀ ଓ କଣ୍ଠଶିଳ୍ପୀମାନେ ରୋଜଗାର ପାଇଯାଆନ୍ତି। ବଡ଼ କଳାକାରମାନେ ସିନା ଗୋଟେ କାର୍ଯ୍ୟକ୍ରମ ପାଇଁ ୩୦ରୁ ୪୦ହଜାର ଟଙ୍କା ନିଅନ୍ତି କିନ୍ତୁ ‌ଅନ୍ୟ କଳାକାରମାନେ କାର୍ଯ୍ୟକ୍ରମ ପିଛା ୧୫୦୦ ଟଙ୍କା ପାଆନ୍ତି। ତେଣୁ ଏତକ ବି ଏଥର ମିଳିବ ନାହିଁ। ୧୬ ବର୍ଷ ଧରି ମେଲୋଡି ଚଳାଉଥିଲେ ବି ଏମିତି ଦୁର୍ଦ୍ଦିନ କେବେ ସାମ୍ନା କରିବାକୁ ପଡ଼ିନଥିଲା। ଭଗବାନଙ୍କୁ ଡାକିବି, ଆଗକୁ ବି ଏମିତି ସମୟ ନଆସୁ।
ଗୋପାଳକୃଷ୍ଣ ପାତ୍ର (ପରିଚାଳକ, ସୁର୍‌ ତାଲ୍‌ ଅର୍କେଷ୍ଟ୍ରା)

୨ଲକ୍ଷ ଜାଗାରେ ଏଥର ୨୦ ହଜାର ଟଙ୍କାର ଫୁଲ ମଗାଇବୁ
ଗଣେଶ ପୂଜାରେ ଛୋଟବଡ଼ କାମ ହୋଇ ୧୫ରୁ ୨୦ଟି ହୋଇଯାଏ। ପ୍ରତିବର୍ଷ ପୂଜା ବେଳେ ଦେଢ଼ରୁ ୨ଲକ୍ଷ ଟଙ୍କାର ଫୁଲ ମଗାଯାଉଥିବା ବ‌େଳେ ଏବେ କିଛି ବି ଅର୍ଡର ଆସିନାହିଁ। ତେଣୁ କେବଳ ଘରୋଇ ପୂଜାକୁ ଦୃଷ୍ଟିରେ ରଖି ୨୦ ହଜାର ଟଙ୍କାର ଫୁଲ ମଗାଇବାକୁ ସ୍ଥିର କରିଛୁ। ଏପର୍ଯ୍ୟନ୍ତ ଦୋକାନ ଖୋଲିବା ସ୍ବାଭାବିକ ହୋଇପାରୁନି‌। ତେଣୁ ପୂଜା ବଜାରରେ ଏଥର ରୋଜଗାର କଥା ଭୁଲି ଯାଇଛୁ।
ଦିଲ୍ଲୀପ କୁମାର ସାହୁ (ମଣ୍ଟୁ ଫ୍ଲୋରିଷ୍ଟ୍‌ର ମୁଖ୍ୟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe