ବିଜେବିରେ ବି ପଶିଲା କରୋନା, ଜୁନିଅର କଲେଜର ଜଣେ ଛାତ୍ରୀ ଆକ୍ରାନ୍ତ

Advertisment

ହଷ୍ଟେଲ ଉପ‌ରେ ନଜର ରଖିବାକୁ ନିର୍ଦେଶ, ରମାଦେବୀର ୧୯୮ ଜଣଙ୍କ ରିପୋର୍ଟ ନେଗେଟିଭ୍‌

ହଷ୍ଟେଲ ଉପ‌ରେ ନଜର ରଖିବାକୁ ନିର୍ଦେଶ, ରମାଦେବୀର ୧୯୮ ଜଣଙ୍କ ରିପୋର୍ଟ ନେଗେଟିଭ୍‌

+୩ ମେଧା ତାଲିକା ପ୍ରକାଶ ପାଇଲା: ସର୍ବାଧିକ ଛାତ୍ରଛାତ୍ରୀଙ୍କ ପସନ୍ଦ ବିଜେବି

ଭୁବନେଶ୍ବର : ଶିକ୍ଷାନୁଷ୍ଠାନରେ ମାଡ଼ି ଚାଲିଛି କରୋନା। ଗୋଟିଏ ପରେ ଗୋଟିଏ ଘରୋଇ ବିଦ୍ୟାଳୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେତେକ ସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏକ୍ସଆଇଏମ୍‌ବି, ଏନ୍‌ଆଇଟି, ଆଇଆଇଟି, ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇସାରିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜଣେ ମହିଳା ପ୍ରଫେସର୍‌ ତିନି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି ବିଜେବି ଜୁନିଅର କଲେଜର ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ବାଣିଜ୍ୟ ବିଭାଗର ଦ୍ବିତୀୟ ବର୍ଷର ଉକ୍ତ ଛାତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି। ଛାତ୍ରୀଜଣକ କ୍ୟାମ୍ପସ ବାହାରେ ରହୁଥିଲେ ଏବଂ ନିୟମିତ ଭାବେ କ୍ଲାସକୁ ଆସୁ ନଥିଲେ। ତଥାପି ତାଙ୍କ ସହ କେଉଁମାନେ ମିଶିଥିଲେ କି ନାହିଁ, ତାହାର ଅନୁଧ୍ୟାନ କରାଯାଉଛି। ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ପ୍ରିବୋର୍ଡ ପରୀକ୍ଷାରେ ଭାଗ ନ ନେବା ଲାଗି ସମ୍ପୃକ୍ତ ଛାତ୍ରୀଙ୍କୁ କୁହାଯାଇଛି। ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ନ ଦେବାକୁ କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ ହଷ୍ଟେଲଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ଆଗକୁ କରୋନା ସଂକ୍ରମଣ ଭୟଙ୍କର ରୂପ ନେବାର ଆଶଙ୍କା ଥିବାରୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ବିଶେଷକରି ଗତ ସପ୍ତାହେ ହେଲା ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ସ୍ଥିତି ଦେଖି ହଷ୍ଟେଲ ବନ୍ଦ କରିବା ଦିଗରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ବିଦ୍ୟାଳୟଗୁଡ଼ିକରେ କରୋନା କଟକଣା ଯେପରି ଠିକ୍‌ ଭାବେ ପାଳନ କରାଯାଏ, ସେଥିପ୍ରତି ନଜର ରଖିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ପରାମର୍ଶ ଦିଆଯାଇଛି। ଆଗକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବାକୁ ଥିବାରୁ ସେମାନେ ଯେପରି ଆକ୍ରାନ୍ତ ନ ହୁଅନ୍ତି, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଇତିମଧ୍ୟରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଓସେପା ଯୁଗ୍ମ ନିର୍ଦ୍ଦେଶକ ୪ଟି ସୀମାନ୍ତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରି ସ୍ଥିତି ପରଖିଛନ୍ତି।

ରମାଦେବୀ ବିଶ୍ବବିଦ୍ୟାଳୟର ଜଣେ ମହିଳା ପ୍ରଫେସର୍‌ କରୋନା ଚିହ୍ନଟ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବା ୧୯୮ଜଣ ଶିକ୍ଷକ ଓ ଅଣଶିକ୍ଷକଙ୍କ କରୋନା ପରୀକ୍ଷା କରାଯାଇଥିଲା। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତା’ ପରେ ବି ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀଙ୍କ ନମୁନା ପରୀକ୍ଷା କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଏମ୍‌ସିକୁ ଅନୁରୋଧ କରିଥିବା ଜଣାପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ପୂର୍ବରୁ ଶିକ୍ଷକ, ଅଣଶିକ୍ଷକ ଓ କର୍ମଚରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ତେବେ ରିପୋର୍ଟ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ବିଏମ୍‌ସି ପକ୍ଷରୁ କୌଣସି ବି ସୂଚନା ଦିଆଯାଇନାହିଁ। ଭୁବନେଶ୍ବର ପଟିଆ ଅଞ୍ଚଳର ଏକ ଘ‌ରୋଇ ବିଦ୍ୟାଳୟରୁ ଲଗାତାର ୩ ଦିନ ହେଲା କରୋନା ପଜିଟିଭ୍‌ ବାହାରିବା ପରେ ଆଜି ଟିକିଏ ଆଶ୍ବସ୍ତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe