ଝାରପଡ଼ା ଜେଲ୍‌ରେ ମାଡ଼ିଲା କରୋନା; ଅଧୀକ୍ଷକ, ଜେଲର ସମେତ ୬ ୱାର୍ଡର ଆକ୍ରାନ୍ତ

Advertisment
ଝାରପଡ଼ା କାରାଗାରରୁ ତିଆରି ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

image source-odisha bytes

ଜାମିନରେ ମୁକୁଳିଥିବା ୨ ଅଭିଯୁକ୍ତ ପଜିଟିଭ୍‌
କଏଦୀଙ୍କ ସଂଖ୍ୟା ପାଖାପାଖି ହଜାରେ
ସାଂଘାତିକ ହୋଇପାରେ ସ୍ଥିତି
ଆଜିଠୁ ବିଶୋଧନ, ସବୁ କଏଦୀଙ୍କର ହେବ କୋଭିଡ୍ ପରୀକ୍ଷା

ଭୁବନେଶ୍ବର : ଝାରପଡ଼ା ଜେଲ୍ ଅଧୀକ୍ଷକ ଡି.ଏନ୍. ବାରିକ ଓ ଜେଲର ସନ୍ତୋଷିନୀ ଦାସଙ୍କ ସମେତ ୬ ୱାର୍ଡର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜାମିନରେ ମୁକୁଳିଥିବା ଦୁଇ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଏସବୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆହୁରି ଅନେକ କଏଦୀ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିବା ପରେ ଜେଲ୍‌ ବିଭାଗ ଅଧିକାରୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଜେଲର କ୍ଷମତା ୭୫୦ ରହିଥିବା ବେଳେ ଏବେ କଏଦୀଙ୍କ ସଂଖ୍ୟା ପ୍ରାୟ ହଜାରେ ପାଖାପାଖି ରହିଛି। ତେଣୁ ଏଭଳି କରୋନା ସ୍ଥିତି ବିସ୍ଫୋରକ ରୂପ ନେବାର ଆଶଙ୍କା କରାଯାଉଛି। ଆସନ୍ତାକାଲି ଠାରୁ ପୂରା ଜେଲ୍‌କୁ ବିଶୋଧନ କରାଯିବା ସହ ସମସ୍ତ କଏଦୀଙ୍କର କୋଭିଡ୍ ପରୀକ୍ଷା ହେବ ବୋଲି ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନୂଆପଲ୍ଲୀରେ ଜଣେ ବ୍ୟକ୍ତିଙ୍କ ଘର ଖାଲି କରିବାକୁ ଧମକଚମକ ଦେବା ଓ ଭିତରେ ପଶି ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଗତ ୧୦ ତାରିଖରେ ତିନି ଜଣ ଜାମିନ ପାଇଥିଲେ। ସେମାନେ ଗୃହ ସଂଗରୋଧରେ ରହିବା ସହ ୧୧ ତାରିଖ ପୂର୍ବାହ୍ନରେ କରୋନା ପରୀକ୍ଷା କରାଇଥିଲେ। ଆଜି ସେହି ତିନି ଜଣଙ୍କ ଭିତରୁ ଦୁଇ ଜଣଙ୍କର କରୋନା ପଜିଟିଭ୍ ବାହାରିଥିଲା। ସେହିପରି ସନ୍ଧ୍ୟାରେ ଅଧୀକ୍ଷକ ଓ ଜେଲରଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଚିନ୍ତା ଆହୁରି ବଢ଼ିଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେଲା ଝାରପଡ଼ା ଜେଲରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ କଏଦୀ ରହୁଛନ୍ତି। ଗୋଟିଏ ଗୋଟିଏ ଵାର୍ଡରେ କଏଦୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତରୁ ଅଧିକ ରହିଛି। ଗତ କିଛିଦିନ ହେଲା କିଛି କଏଦୀଙ୍କ ଠାରେ କରୋନା ଲକ୍ଷଣ ମଧ୍ୟ ଦେଖା ଦେଇଥିଲା। ମାତ୍ର ପଜିଟିଭ୍ ଅଛି କି ନାହିଁ ଜେଲ୍ ପକ୍ଷରୁ କୌଣସି ସୂଚନା ଦିଆଯାଉ ନ ଥିଲା। ଏପରିକି କଏଦୀଙ୍କ ପରିବାର ପକ୍ଷରୁ ଫୋନ୍ ଆସିଲେ ମଧ୍ୟ ସବୁ ଠିକଠାକ୍ ଅଛି ବୋଲି କୁହାଯାଉଥିଲା। ଏବେ ପଜିଟିଭ୍ ବାହାରିବା ପରେ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ବିପୁଳ ସଂଖ୍ୟାରେ କଏଦୀ ରହୁଥିବାରୁ ସ୍ଥିତି ବିଗିଡ଼ିବା ନେଇ କିଛିଦିନ ପୂର୍ବରୁ ‘ସମ୍ବାଦ’ରେ ‘ବାରୁଦ ଗଦାରେ ଝାରପଡ଼ା ଜେଲ୍’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏବେ ପ୍ରଶ୍ନ ଉଠୁଛି, ଯଦି ପରୀକ୍ଷା ପରେ ବହୁ ସଂଖ୍ୟକ କଏଦୀଙ୍କ ପିଜିଟିଭ୍ ବାହାରେ ସେମାନଙ୍କୁ ଚିକିତ୍ସା କରାଯିବ କେମିତି? ବଳକା କଏଦୀଙ୍କୁ ଜେଲରୁ କେଉଁଠାକୁ ସ୍ଥାନାନ୍ତର କରାଯିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe