ଆପାର୍ଟମେଣ୍ଟରେ ପଶିଲା କରୋନା, ତରୁ ଆପାର୍ଟମେଣ୍ଟରେ୧୦ ଆକ୍ରାନ୍ତ ଚିହ୍ନଟ ୧୦ ଦିନ ପାଇଁ ସିଲ୍‌

Advertisment
ଆପାର୍ଟମେଣ୍ଟରେ ପଶିଲା କରୋନା, ତରୁ ଆପାର୍ଟମେଣ୍ଟରେ୧୦ ଆକ୍ରାନ୍ତ ଚିହ୍ନଟ ୧୦ ଦିନ ପାଇଁ ସିଲ୍‌

ଭୁବନେଶ୍ବର: ରାଜଧାନୀରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ଓ ‌ହଷ୍ଟେଲ୍‌ ପରେ ଏବେ ଆପାର୍ଟମେଣ୍ଟରେ ମଧ୍ୟ ପଶିଗଲାଣି କରୋନା। ଟଙ୍କପାଣି ରୋଡ୍‌ରେ ଥିବା ତରୁ ଆପାର୍ଟମେଣ୍ଟରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଆଜି ବିଏମ୍‌ସି ପକ୍ଷରୁ ଏହି ଆପାର୍ଟମେଣ୍ଟକୁ ୧୦ଦିନ ପାଇଁ ସିଲ୍‌ କରିଦିଆଯାଇଛି।

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ, ତରୁ ଆପାର୍ଟମେଣ୍ଟରେ ତିନିଟି ଫ୍ଲାଟ୍‌ରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଏହାକୁ ସିଲ୍‌ କରାଯାଇଛି। ଏଠାରେ ୧୪ଟି ଫ୍ଲାଟ୍‌ ଥିବାବେଳେ ୨ଟିରେ କେହି ରହୁନାହାନ୍ତି। ୧୨ଟି ଫ୍ଲାଟ୍‌ ମଧ୍ୟରୁ ତିନିଟିରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଫ୍ଲାଟ୍‌ଗୁଡ଼ିକର ବାସିନ୍ଦା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି। ତେଣୁ ଏହାକୁ ସିଲ୍‌ କରାଯାଇଛି। ଏପ୍ରିଲ ୬ରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ଆପାର୍ଟମେଣ୍ଟ ଭିତରକୁ ବାହାର ଲୋକ ଯାଇପାରିବେନି କି ଆପାର୍ଟମେଣ୍ଟ ବାସିନ୍ଦା ବାହାରକୁ ଆସିବେନି। ସମସ୍ତ ଆକ୍ରାନ୍ତ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି। ଯଦି କେହି ଗୁରୁତର ହୁଅନ୍ତି କିମ୍ବା କୌଣସି ଡାକ୍ତରୀ ଚିକିତ୍ସା ଦରକାର କରନ୍ତି, ତେବେ ବିଏମ୍‌ସିର ୧୯୨୯ ନମ୍ବର କିମ୍ବା ୭୮୪୭୮୭୩୦୪୦ ନମ୍ବରରେ ଯୋଗାଯୋଗ କରିବେ। ଆପାର୍ଟମେଣ୍ଟର ବାକି ଫ୍ଲାଟ୍‌ର ବାସିନ୍ଦାଙ୍କୁ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ସେମାନଙ୍କ ନିକଟରେ ଯଦି କୌଣସି କୋଭିଡ୍‌ ଲକ୍ଷଣ ଦେଖାଯାଏ, ‌ତେବେ ଆର୍‌ଟିପିସିଆର୍‌ ପରୀକ୍ଷା କରିବାକୁ କୁହାଯାଇଛି।

ଆପାର୍ଟମେଣ୍ଟ ସିଲ୍‌ ହୋଇଥିବାରୁ ଏଠାରେ ରହୁଥିବା ବାସିନ୍ଦାଙ୍କର ଯେପରି କିଛି ସମସ୍ୟା ନହୁଏ, ସେଥିପାଇଁ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଆପାର୍ଟମେଣ୍ଟ ବାସିନ୍ଦା ୱାର୍ଡ-୫୬ର ୱାର୍ଡ ଅଫିସର ଚିତ୍ତରଂଜନ ନାୟକଙ୍କୁ ୯୯୩୭୧୪୯୭୫୧ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe