କରୋନା ଲକଡାଉନ୍‌ ଓ ସଟଡାଉନ୍‌, ରୋଜଗାରରେ ମରୀଚିକା

Advertisment
କରୋନା ଲକଡାଉନ୍‌ ଓ ସଟଡାଉନ୍‌, ରୋଜଗାରରେ ମରୀଚିକା

ଭୁବନେଶ୍ବର: ଜୀବନ ଓ ଜୀବିକାର ଦୋଛକିରେ ମଣିଷକୁ ରୁନ୍ଧି ଦେଲାଣି କରୋନା। ଗୋଟେପଟେ ସଂକ୍ରମଣ ଭୟରେ ମଣିଷ ଆତଙ୍କିତ, ଅନ୍ୟପଟେ ବୁଡ଼ି ଯାଉଥିବା ଜୀବିକା ପାଇଁ ଚିନ୍ତିତ। ଲକଡାଉନ୍‌ ଓ ସଟଡାଉନ୍‌ର ଗୋଲକଧନ୍ଦାରେ ପେଷି ହୋଇଗଲେଣି ବ୍ୟବସାୟୀଙ୍କଠୁ ନେଇ ଶ୍ରମଜୀବୀ। କେବେ କଟକଣା ଜୀବିକାକୁ ଅଟକାଇ ଦେଉଛି ତ ପୁଣି କେବେ କୋହଳ ଘୋଷଣା ଆଶା ଦେଖାଉଛି। ରୋଜଗାର ଯେମିତି ସେମାନଙ୍କ ପାଇଁ ମରୀଚିକା ପାଲଟିଛି। ଯେବେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ଛାତିରେ ଛନକା ପଶିଗଲା। ହେଲେ ବ୍ୟବସାୟରେ ଯେ ବେଡ଼ି ପଡ଼ିବ, ସେ ଧାରଣା କାହାର ନଥିଲା। ପେଟପୂଜା ରେସ୍ତୋରାଁର ସ୍ବତ୍ତ୍ବାଧିକାରୀ ପ୍ରକାଶ ବେହେରାଙ୍କ କହିବା ମୁତାବକ, ପ୍ରଥମରୁ ଭାବିଥିଲି ମାସେ ଦୁଇ ମାସର କଥା। ସେୟା କହି ରେସ୍ତୋରାଁରେ କାମ କରୁଥିବା ପିଲାଙ୍କୁ ଘରକୁ ପଠେଇଦେଲି। ହେଲେ ୪ମାସ ବିତିଗଲା ପରେ ସ୍ଥିତି ସୁଧୁରିଲା ନାହିଁ। ପରେ ହୋଟେଲ୍‌ ଖୋଲିବାକୁ ଅନୁମତି ମିଳିଲା। ୧୦ଜଣ ପିଲା ୪ମାସ ହେଲା ରୋଜଗାର ‌ହରେଇ ଘରେ ବସି ରହିଥିବା ବେଳେ ରେସ୍ତୋରାଁ ଖୋଲିବା କଥା ଶୁଣି ଖୁସି ହେଲେ। କିନ୍ତୁ କେବଳ ପାର୍ସଲ ଦେବା କଥା କୁହାଯିବା ପରେ ଏହା ଆମ ପାଇଁ ପ୍ରହେଳିକା ପାଲଟିଗଲା। ସମସ୍ତଙ୍କୁ କାମ ଦେଇ ହେଲାନି। ୩-୪ଜଣରେ କାମ ଚଳାଇଲୁ। ପାର୍ସଲ ବ୍ୟବସ୍ଥାରେ ପ୍ରଥମେ ଅଳ୍ପ କିଛି ବେପାର ହେଲା। ପୁଣି କିଛି ଦିନ ଯାଇନି, ସେତକ ବି ବନ୍ଦ ହେଇଗଲା। ଆଉ କିଛି ଦିନ ପରେ ରାତି ୯ଟା ଯାଏ ଖୋଲିଲା। କିନ୍ତୁ ରାତି ଖାଇବା ସମୟ ପୂର୍ବରୁ ତାଲା ପଡ଼ୁଥିବାରୁ ଲୋକ ଆସିଲେନି। କେବେ ଲାଗୁଛି ସ୍ଥିତି ସୁଧୁରିଯିବ। ରେସ୍ତୋରାଁ ସମ୍ପୂର୍ଣ୍ଣ ଖୋଲିବାକୁ ସରକାର ଅନୁମତି ଦେବେ। ହେଲେ ଏଣେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ଦେଖି ମନ ମରିଯାଉଛି। ଏମିତିରେ ରେସ୍ତୋରାଁ ଖୋଲିବୁ ନା ବନ୍ଦ କରିଦେବୁ ଦ୍ବନ୍ଦ୍ବରେ ପଡ଼ୁଛୁ।

ଅଟୋ ଚାଳକଙ୍କର ବି ସମଦଶା। ସପ୍ତାହକୁ ୫ଦିନ ଅଟୋ ଚଳାଇବାର ଅନୁମତି ଅଛି। ଢେର୍‌ ଦିନ ପରେ ରୋଜଗାର ପାଇଁ କଟକଣା କୋହଳ ହୋଇଛି। ଅଥଚ ଯୋଉ ଆଶା ନେଇ ଅଟୋ ଧରି ଘରୁ ବାହାରୁଛନ୍ତି, ଷ୍ଟାଣ୍ଡ୍‌ରେ ପହଞ୍ଚିବା ପରେ ତାହା ମଉଳି ଯାଉଛି। ଅଟୋଚାଳକ ପ୍ରସନ୍ନ ନାୟକ କହିଛନ୍ତି, ଅଟୋ ନେଇ ସିନା ଘରୁ ବାହାରୁଛୁ, ହେଲେ ଲୋକ ଯିବାକୁ ଡରୁଛନ୍ତି। ଦୁଇଜଣରୁ ଅଧିକ ଲୋକ ଅଟୋରେ ବସୁନାହାନ୍ତି। ଏଣେ ଦୁଇଜଣ ଲୋକ ନେଇ ଭଡ଼ା କଲେ ଭଡ଼ା ଉଠୁନାହିଁ। ତେଣୁ ରୋଜଗାର ପାଇଁ ବାଟ ଖୋଲିଥିଲେ ବି କିଛି ଲାଭ ହେଉନାହିଁ ବୋଲି ସେ କହିଛନ୍ତି। ୪ନମ୍ବର ମାଛ ମାର୍କେଟ୍‌ର ମାଛ ବ୍ୟବସାୟୀ ସେକ୍‌ ହୁସେନ୍‌ କହିଛନ୍ତି, ଆମିଷବାରିର ମୁଖ୍ୟ ଦିନ ହେଉଛି ରବିବାର। କିନ୍ତୁ ରବିବାର ସଟ୍‌ଡାଉନ୍‌। ଅନ୍ୟ ଦିନରେ ଲୋକ ଆଗରୁ ଯେପରି ୪ନମ୍ବର ହାଟକୁ ମାଛ କିଣିବାକୁ ଆସୁଥିଲେ, ଏବେ ସେତେ ପରିମାଣରେ ଆସୁ ନାହାନ୍ତି। ଫଳ‌ରେ କିଛି ଲୋକଙ୍କୁ ଫୋନ୍‌ କରି ମାଛ ନେବାକୁ କହିବାକୁ ପଡ଼ୁଛି।

ଏତେ ସବୁ ଭିତରେ ଆହୁରି ଦ୍ବନ୍ଦ୍ବ ବଢ଼ାଇ ଦେଉଛି କ‌ରୋନା ଟିକାକୁ ନେଇ ଚାଲିଥିବା ଚର୍ଚ୍ଚା। କରୋନା ପାଇଁ ଟିକା ବାହାରିବା ନେଇ କେବେ ଆଶା ଉଜ୍ଜୀବିତ ହେଉଛିତ ପୁଣି କେବେ ଏଥିରେ ସତ୍ୟତା ନାହିଁ ବୋଲି ଜାଣିବା ପରେ ମଉଳି ଯାଉଛି। ପ୍ରଥମେ କୁହାଯାଉଥିଲା, ଜୁଲାଇ ସାଂଘାତିକ ହେବ। ପରେ କୁହାଗଲା ଅଗଷ୍ଟ ଭୟଙ୍କର ହେବ। ତେବେ ସେପ୍ଟେମ୍ବର ବେଳକୁ ପୁଣି କ’ଣ ହେବ, ଏଯାଏ କିଛି ସତର୍କବାଣୀ ହୋଇନାହିଁ। ଅନ୍ୟପକ୍ଷରେ ଆଜି କୁହାଯାଇଛି ଯେ ଭାରତକୁ ୭୩ ଦିନ ଭିତରେ କୋଭିସିଲ୍‌ଡ ନାମକ ଭାରତର ପ୍ରଥମ ଟିକା ଆସିବ। ଏହା କିଛି ପରିମାଣରେ ବ୍ୟବସାୟୀ ଓ ଶ୍ରମଜୀବୀଙ୍କୁ ଆଶ୍ବସ୍ତ କରିଛି। ମାତ୍ର ଏବେ ବି ସେମାନଙ୍କ ମନରୁ ମରୀଚିକାର ଭ୍ରମ ଦୂର ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe