ରାଜଧାନୀର ଘରୋଇ ହସ୍ପିଟାଲରେ ବଢ଼ୁଛନ୍ତି କରୋନା ରୋଗୀ

ରାଜଧାନୀର ଘରୋଇ ହସ୍ପିଟାଲରେ ବଢ଼ୁଛନ୍ତି କରୋନା ରୋଗୀ

Empactis

ଭୁବନେଶ୍ବର : ରାଜଧାନୀର ଘରୋଇ ହସ୍ପିଟାଲରେ ଗତ କିଛି ଦିନ ହେବ କରୋନା ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଭୁବନେଶ୍ବରର ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲରେ ୨ ଦିନରେ ୭ରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତହିଁରୁ କେତେକ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ବେଳେ ଚିହ୍ନଟ ହୋଇଥିବା କୁହାଯାଉଛି।

ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ରାଜ୍ୟ ସରକାର ମଧ୍ୟ କରୋନା ନିୟମାବଳୀକୁ କଡ଼ାକଡ଼ି କରିବା ଲାଗି ଜିଲ୍ଲାପାଳ ଓ ନଗର ନିଗମଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ବିଶେଷକରି ଗହଳି ହେଉଥିବା ସ୍ଥାନଗୁଡ଼ିକ ଉପରେ ନଜର ରଖିବା ଲାଗି ନିର୍ଦେଶ ଦିଆଯାଇଛି। ରାଜଧାନୀରେ ଏବେ କେବଳ ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ଜାରି ରହିଛି। ତେବେ ଏହି ଦୁଇ ହସ୍ପିଟାଲରେ କେତେ ସଂଖ୍ୟକ ରୋଗୀ ଚିକିତ୍ସିତ ହେଉଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ମାତ୍ର ଅନ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକରେ କରୋନା ସଂକ୍ରମିତ ଚିହ୍ନଟ ଜାରି ରହିଛି। ବିଶେଷକରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ନମୁନା ପରୀକ୍ଷା ସମୟରେ ସଂକ୍ରମିତ ଥିବା ଜଣାପଡ଼ୁଛି। ଗତ ବର୍ଷ ରାଜଧାନୀରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ସମୟରେ ରାଜଧାନୀର ସବୁ ଘରୋଇ ହସ୍ପିଟାଲରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏପରିକି କିଛି ନିର୍ଦ୍ଦି‌ଷ୍ଟ ଘରୋଇ ହସ୍ପିଟାଲ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟି ଯାଇଥିଲା।

ଅପରପକ୍ଷେ ରାଜଧାନୀରେ ଗତ ୨୪ ଘଣ୍ଟାରେ ୩ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସଙ୍ଗରୋଧରେ ଥିବା ସମୟରେ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୯୫୪କୁ ବୃଦ୍ଧି ପାଇଛି। ୬ଜଣ ରୋଗୀ ସୁସ୍ଥ ହେବା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୧,୬୧୦କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୫ ରହିଛି, ଯାହାକି ସମୁଦାୟ ସଂକ୍ରମିତଙ୍କ ୦.୨୩ ପ୍ରତିଶତ। କରୋନାରେ ସମୁଦାୟ ୨୪୮ଜଣ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe