ବାଲିଅନ୍ତାରେ ୧୪୫ କରୋନା ସନ୍ଦିଗ୍ଧ : ସଙ୍ଗରୋଧ କେନ୍ଦ୍ର ଖାଲି, ପଡ଼ିନି ବେଡସିଟ୍‌, ଜମୁଛି ଯୁବକଙ୍କ ଖଟି

Advertisment
ବାଲିଅନ୍ତାରେ ୧୪୫ କରୋନା ସନ୍ଦିଗ୍ଧ : ସଙ୍ଗରୋଧ କେନ୍ଦ୍ର ଖାଲି, ପଡ଼ିନି ବେଡସିଟ୍‌, ଜମୁଛି ଯୁବକଙ୍କ ଖଟି

ବାଲିଅନ୍ତା : କରୋନା ଭୂତାଣୁ ସଂକ୍ରମଣକୁ ଦ୍ବିତୀୟ ସୋପାନରେ ହିଁ ସଂପୂର୍ଣ୍ଣ ଦମନ କରିଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ଅନ୍ତତଃ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ବା କ୍ବାରାଣ୍ଟିନ୍‌ରେ ରହିବା ପାଇଁ କୁହାଯାଉଛି। ସନ୍ଦିଗ୍ଧମାନଙ୍କୁ ସଙ୍ଗରୋଧରେ ରଖିବା ଲାଗି ପ୍ରତି ପଞ୍ଚାୟତ‌ରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରତି କେନ୍ଦ୍ରରେ ୨୦ରୁ ୫୦ଟି ଶଯ୍ୟା ପକାଯାଇଛି। ସେହିପରି କେନ୍ଦ୍ରର ପରିଚାଳନା ଲାଗି ଅସ୍ଥାୟୀ କର୍ମଚାରୀ ଭାବେ ୬ଜଣ ଜଗୁଆଳି, ଦୁଇଜଣ ସୁଇପର୍‌, ୧୦ଜଣ ସ୍ବେଚ୍ଛାସେବୀ ଓ ରୋଗୀଙ୍କ ଖାଇବା ପିଇବା ଯୋଗାଡ଼ କରିବା ଲାଗି ରୋଷେୟା ଓ ସହଯୋଗୀ ନିଯୁକ୍ତ କରାଯାଇଛି। ସରକାରଙ୍କ ପକ୍ଷରୁ ଏଭଳି ସୁବିଧା ଯୋଗାଇ ଦିଆଯିବା ସତ୍ତ୍ବେ ବାଲିଅନ୍ତା ବ୍ଲକର ୧୬ରୁ ୧୫ଟି ପଞ୍ଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ଏବେ ଖାଲି ପଡ଼ିଛି। ଏଥିରେ ଜଣେ ହେଲେ ସନ୍ଦିଗ୍ଧ ନାହାନ୍ତି। କେବଳ ଉମାଦେଇ ବ୍ରହ୍ମପୁର ପଞ୍ଚାୟତରେ ୨ ସନ୍ଦିଗ୍ଧ ରହିଛନ୍ତି। ସନ୍ଦିଗ୍ଧମାନଙ୍କୁ ଏହି କେନ୍ଦ୍ରକୁ ଆଣିବାରେ ସରପଞ୍ଚମାନେ ଅବହେଳା ଓ ଖାମଖିଆଲ ମନୋଭାବ ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ନିଜ ଉପରୁ ଦାୟିତ୍ବ ଖସାଇ ସନ୍ଦିଗ୍ଧମାନଙ୍କୁ ତାଙ୍କ ପରିବାରଲୋକଙ୍କ ସହ ଛାଡ଼ି ଦେଇଛନ୍ତି। ଅପରପକ୍ଷେ ସନ୍ଦିଗ୍ଧମାନେ ମଧ୍ୟ କୌଣସି କଟକଣାକୁ ଖାତିର ନ କରି ବାହାରେ ବୁଲାବୁଲି କରୁଛନ୍ତି। ଏହାଦ୍ବାରା ସେମାନେ ନିଜ ସହ ହଜାର ହଜାର ଲୋକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଉଛନ୍ତି।

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କ ସୂଚନାନୁସାରେ, ବାଲିଅନ୍ତା ଅଞ୍ଚଳରେ ମୋଟ ୧୪୫ ଜଣ ସନ୍ଦିଗ୍ଧ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ଘର ଆଗରେ ପୋଷ୍ଟର ଲଗାଯାଇଛି। କିନ୍ତୁ ସନ୍ଦିଗ୍ଧମାନେ ନା ଘରେ ନା ପଞ୍ଚାୟତରେ ହୋଇଥିବା କ୍ବାରାଣ୍ଟିନ୍‌ କେନ୍ଦ୍ର‌ରେ ରହୁଛନ୍ତି। କୌଣସି କଟକଣାକୁ ଖାତିର ନ କରି ସେମାନେ ବାହାରେ ବୁଲାବୁଲି କରୁଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ସଙ୍ଗରୋଧ ଉଲ୍ଲଙ୍ଘନକାରୀଙ୍କୁ ତାଗିଦ୍‌ କରୁଛି। କିନ୍ତୁ ପୁଲିସ ଚାଲିଯିବା ପରେ ପରିସ୍ଥିତି ‘ଯଥା ପୂର୍ବଂ ତଥା ପରଂ’। ଏନେଇ ଅନେକ ସମୟରେ ଗ୍ରାମ‌ରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି।

ଅନ୍ୟପକ୍ଷରେ ଉମାଦେଇକୁ ଛାଡ଼ିଦେଲେ ବାକି ୧୫ଟି ପଞ୍ଚାୟତରେ ଖୋଲିଥିବା କେନ୍ଦ୍ରରେ ସବୁ ବେଡ୍‌ ଫାଙ୍କା ପଡ଼ିଛି। ବେଡ୍‌ ଉପରେ ବେଡସିଟ୍‌ ପଡ଼ିନି। ଜେନେରେଟର୍‌ କିଣାଯିବା ପାଇଁ ନିୟମ ଥିଲେ ମଧ୍ୟ ଇନ୍‌ଭର୍ଟର୍‌ରେ କାମ ଚଳାଯାଉଛି। ସବୁଠୁ ବଡ଼ ବିଡ଼ମ୍ବନା ହେଲା, ରାତି ହେଲେ ଏହି କେନ୍ଦ୍ରରେ ପଡ଼ିଥିବା ବେଡ୍‌ ଉପରେ ଗାଁ ଯୁବକଙ୍କ ଖଟି ଜମୁଛି। ନିଶାଡ଼ି ବି ରୁଣ୍ଡ ହେଉଛନ୍ତି। ହେଲେ ସେମାନଙ୍କୁ ତାଗିଦ କରିବାକୁ କେହି ନାହିଁ। ଥାନା ପୁଲିସ ବି ନିରବ। କେତେକ କେନ୍ଦ୍ରରେ ସଂଧ୍ୟାରୁ ତାଲା ପଡ଼ି ଯାଉଛି। ଏ ଦିଗରେ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂପର୍କରେ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଓ ବିଡିଓ ଆଦିକନ୍ଦ ବେହେରାଙ୍କୁ ପଚାରିବାରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ୩୫ଜଣ ସନ୍ଦିଗ୍ଧ ନିର୍ଦ୍ଧାରିତ ଦିନ ଅତିକ୍ରାନ୍ତ କରିଯିବା ପରେ ସନ୍ଦେହମୁକ୍ତ ହୋଇଥିବା ଜଣାଇଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ ତହବିଲ୍‌ରୁ ପ୍ରତି ପଞ୍ଚାୟତକୁ ୫ଲକ୍ଷ ମଂଜୁର ହୋଇଥିବା ବେଳେ କାହା ପାଇଁ ଏହି କ୍ବାରାଣ୍ଟିନ୍‌ କେନ୍ଦ୍ର ଖୋଲା ଯାଇଛି। ସରପଞ୍ଚମାନେ ନିଜ ପଞ୍ଚାୟତର କେବଳ ସନ୍ଦିଗ୍ଧଙ୍କ ତାଲିକା ବିଡିଓଙ୍କୁ ଧରାଇ ଚୁପ୍‌ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe