ରାଜଧାନୀରେ କରୋନା ଦ୍ବିତୀୟ ଲହରି ଆଶଙ୍କା : ଜୀବିକା ଚିନ୍ତାରେ ନିର୍ମାଣ ଶ୍ରମିକ

Advertisment

ଅଧିକାଂଶ ଦିନ ମିଳୁନି କାମ, ଖାଲି ହାତରେ ଫେରୁଛନ୍ତି

ଅଧିକାଂଶ ଦିନ ମିଳୁନି କାମ, ଖାଲି ହାତରେ ଫେରୁଛନ୍ତି

ରାଜଧାନୀରେ କରୋନା ଦ୍ବିତୀୟ ଲହରି ଆଶଙ୍କା : ଜୀବିକା ଚିନ୍ତାରେ ନିର୍ମାଣ ଶ୍ରମିକ

ଭୁବନେଶ୍ବର : କରୋନା ପରେ ସଙ୍କୁଚିତ ହୋଇଥିଲା ନିର୍ମାଣ ଶ୍ରମିକଙ୍କ ନିଯୁକ୍ତି ସୁଯୋଗ, ଠିକ୍‌ ସ୍ଥିତି ସାମାନ୍ୟ ହେବା ବେଳକୁ ଦ୍ବିତୀୟ ଲହରି ଆଶଙ୍କା ଯୋଗୁଁ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି ରାଜଧାନୀର ଶ୍ରମିକଙ୍କ ଭାଗ୍ୟ। କାମ ପାଇଁ ଲେବର ପଏଣ୍ଟକୁ ଆସୁଥିବା ଶ୍ରମିକ ବର୍ତ୍ତମାନ ଅଧିକାଂଶ ଦିନ ନିରାଶ ହୋଇ ଫେରୁଛନ୍ତି। ଗତବର୍ଷର ସ୍ଥିତି ଉତ୍ପନ୍ନ ହେଲେ ବଞ୍ଚିବା ବି ମୁସକିଲ ହୋଇଯିବ ବୋଲି କହିଛନ୍ତି ଅଧିକାଂଶ ଶ୍ରମିକ।

ଖୋର୍ଧା ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୨୯ ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଏଥିମଧ୍ୟରୁ ପ୍ରାୟ ଦେଢ ଲକ୍ଷରୁ ଊର୍ଧ୍ବ ରାଜଧାନୀରେ ରହନ୍ତି। ନୟାପାଲି ଦୁର୍ଗାପୂଜା ମଣ୍ଡପ, ବଢେଇ ବାଙ୍କ ଛକ, କଳ୍ପନା ଛକ, ସୁଭାଷ ବୋଷ ନଗର ଛକ, ଶୈଳେଶ୍ରୀ ବିହାର, ସାଲିଆସାହି ଛକ, ଚିଲି ପୋଖରୀ, ପଳାସୁଣି ଛକ ସମେତ ପ୍ରାୟ ୨୩ରୁ ଊର୍ଧ୍ବ ଲେବର ଷ୍ଟାଣ୍ଡିଂ ପଏଣ୍ଟରେ ପ୍ରତିଦିନ ସକାଳ ୭ଟାରୁ କାମ ପାଇଁ ୭୦୦ରୁ ୩ ହଜାର ପର୍ଯ୍ୟନ୍ତ ମହିଳା, ପୁରୁଷ ଶ୍ରମିକ ପହଞ୍ଚି ଯାଆନ୍ତି। ଘର ମାଲିକ, ଠିକାଦାର, ବ୍ୟବସାୟୀ ଯାହାର ଯେଉଁ କାମ ପାଇଁ ଶ୍ରମିକ ଆବଶ୍ୟକ ସେମାନେ ଏଠାକୁ ଆସି ସେମାନଙ୍କୁ ନେଇ ଯାଆନ୍ତି। ୨୦୨୦ ମସିହା କରୋନା ସମୟରେ ଶ୍ରମିକ ବଜାରକୁ ଧକ୍କା ଲାଗିଥିଲା। ନଭେମ୍ବର ମାସରୁ କାମ ମିଳିବା ଆରମ୍ଭ ହୋଇଥିଲେ ହେଁ ଦ୍ବିତୀୟ ଲହରି ଆଶଙ୍କା ଯୋଗୁଁ ବର୍ତ୍ତମାନ ପୁଣି ରୋଜଗାର ଆଶା ମଉଳିବାରେ ଲାଗିଛି। ବିଭିନ୍ନ ଲେବର ପଏଣ୍ଟକୁ ଆସୁଥିବା ଅଧିକାଂଶ ଶ୍ରମିକଙ୍କୁ ନିରାଶ ହୋଇ ଫେରିବାକୁ ହେଉଛି।

ଗଞ୍ଜାମ ଜିଲ୍ଲା ପୋଲସରାରୁ ଆସି ରାଜଧାନୀରେ କାର୍ଯ୍ୟ କରୁଥିବା ବନମାଳି ପ୍ରଧାନ(୪୮) କହନ୍ତି, ୨୦୨୦ ପରେ ୨୦୨୧ ମଧ୍ୟ ରୋଜଗାର ଦୃଷ୍ଟିରୁ ନିରାଶଜନକ ବର୍ଷ ହେଲାଣି। ମାର୍ଚ୍ଚ ମାସ ପରେ ବିଭିନ୍ନ ସ୍ଥାନରେ ଘର, ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଏ। ଏହି ସମୟରେ କାମ ବି ଅଧିକ ମିଳେ। କିନ୍ତୁ ଚଳିତ ବର୍ଷ ଅଧିକାଂଶ ଦିନ କାମ ମିଳୁନାହିଁ। ପୂର୍ବରୁ ଏହି ସମୟରେ ମାସକୁ ପ୍ରାୟ ୨୦ରୁ ୨୫ ଦିନ କାମ ମିଳିଯାଉଥିଲା। ଚଳିତ ବର୍ଷ ଅତି କଷ୍ଟରେ ୧୦ରୁ ୧୫ ଦିନ କାମ ମିଳୁଛି। ତାଙ୍କ ଭଳି ସୁଭାଷ ନଗର ଲେବର ପଏଣ୍ଟକୁ ଆସୁଥିବା ୭୦ରୁ ୮୦ ଶ୍ରମିକ ନିରାଶ ହୋଇ ଫେରି ଯାଉଛନ୍ତି। ୨୩ ବର୍ଷୀୟ ଗଣେଶ ଗୁରୁ କହନ୍ତି, ଗାଁରେ କାମ ନ ମିଳିବାରୁ ସାତ ମାସ ହେଲା ଏଠାକୁ ଆସିଛନ୍ତି। ଏଠି ବି ସ୍ଥିତି ଭଲ ନାହିଁ। ଯେଉଁ ଠିକାଦାର ଏପ୍ରିଲ ମାସରୁ କାମ ଆରମ୍ଭ କରିବେ ବୋଲି କହୁଥିଲେ ସେମାନେ ମଧ୍ୟ କୋଭିଡ ଭୟରେ କାମ ବନ୍ଦ କରି ଦେଇଛନ୍ତି। ସରକାରୀ ପ୍ରକଳ୍ପରେ ମଧ୍ୟ ସେହିଭଳି କାମର ସୁଯୋଗ ନାହିଁ। ଏକଦା ସୁରତ ସ୍ଥିତ ସୂତାକଳରେ କାର୍ଯ୍ୟ କରୁଥିବା ସୁବାସ ପ୍ରଧାନ କହନ୍ତି, ଆଖି ସମସ୍ୟା ହେବା ଯୋଗୁଁ ବାଧ୍ୟ ହୋଇ ଭୁବନେଶ୍ବର ଆସିବାକୁ ହେଲା। ୬ ବର୍ଷ ଧରି ଏଠାରେ ବିଭିନ୍ନ ସ୍ଥାନରେ ମଜୁରି କାର୍ଯ୍ୟ ମିଳିଥିଲା। ୨୦୨୦ ମସିହା ଲକଡାଉନରେ ଯେଉଁଭଳି ସ୍ଥିତି ହେଲା ବାଧ୍ୟ ହୋଇ ଶହେ ଟଙ୍କିଆ ବାଟ ରାସ୍ତାକୁ ୫୦୦ ଟଙ୍କା ଭଡ଼ା ଦେଇ ଗାଁକୁ ଗଲେ। ସେଠାରେ ମଧ୍ୟ ରହିବା ବେଳକୁ ଖର୍ଚ୍ଚ ଅନୁସାରେ ରୋଜଗାର ନ ମିଳିବାରୁ ବାଧ୍ୟ ହୋଇ ଫେରିବାକୁ ପଡ଼ିଲା। ବର୍ତ୍ତମାନ ଯେଭଳି ମାସକୁ ୧୫ ଦିନ କାମ ମିଳୁନି, ଚିନ୍ତା ବଢିବାରେ ଲାଗିଛି। କରୋନା ଦ୍ବିତୀୟ ଲହରି ଆସିଗଲେ, ରୋଗ ନୁହେଁ ବରଂ ରୋଜଗାର ଅଭାବରୁ ମରିବାକୁ ହେବ ବୋଲି କହନ୍ତି ବୁଦ୍ଧିଆ ସେଠି।

ସୂଚନା ଅନୁଯାୟୀ, ରାଜଧାନୀରେ କାର୍ଯ୍ୟରତ ଏହି ଶ୍ରମିକମାନେ ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କାମ ପାଇଁ ଏଠାକୁ ଆସନ୍ତି। ଏଠାରେ ସେମାନଙ୍କ ପାଖରେ ରାସନ କାର୍ଡ କିମ୍ବା ଶ୍ରମିକ ପରିଚୟପତ୍ର ନ ଥାଏ। ଏଥିଯୋଗୁଁ ଟଙ୍କାକିଆ ଚାଉଳଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସରକାରୀ ଯୋଜନାରୁ ସେମାନେ ବଞ୍ଚିତ। ବର୍ତ୍ତମାନ ଖାଇବା ତେଲ, ଡାଲି, ପେଟ୍ରୋଲ ସମେତ ଦରଦାମ ଯେଉଁଭଳି ବଢୁଛି; ସେମାନଙ୍କ ଅବସ୍ଥା ଆହୁରି ଦୁର୍ବିଷହ ହୋଇଯିବ ବୋଲି ସମସ୍ତେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe