ନନ୍ଦନକାନନ ବିକାଶରେ ‘କରୋନା’ କଣ୍ଟା: ଗଡ଼ିଲାନି ‘ଟଏ-ଟ୍ରେନ୍‌’, ଖୋଲିଲାନି ବହୁତଳ ପାର୍କିଂ

Advertisment

କଟକଣାରେ ୨୦୨୦-୨୧ରେ ୮ ଲକ୍ଷ ପର୍ଯ୍ୟଟକ ବୁଲିଲେ

କଟକଣାରେ ୨୦୨୦-୨୧ରେ ୮ ଲକ୍ଷ ପର୍ଯ୍ୟଟକ ବୁଲିଲେ

ନନ୍ଦନକାନନ ବିକାଶରେ ‘କରୋନା’ କଣ୍ଟା: ଗଡ଼ିଲାନି ‘ଟଏ-ଟ୍ରେନ୍‌’, ଖୋଲିଲାନି ବହୁତଳ ପାର୍କିଂ

ଭୁବନେଶ୍ବର: ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଓ ଆକ୍ବାରିୟମ୍ ମଧ୍ୟରେ ସ୍ଥାନ ହାସଲ ଲାଗି ‘ନନ୍ଦନକାନନ’କୁ ପ୍ରସ୍ତୁତ କରିବାକୁ ଚାଲିଛି ଯୋଜନା। ୬ ମାସ ତଳେ ଏନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡ୍ଏ) ନିଷ୍ପତ୍ତି ନେଇଥିଲେ। କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରାଣୀ ଉଦ୍ୟାନର ଭିତ୍ତିଭୂମି ଯାଞ୍ଚ କରିବା ସହ ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ତେବେ କାମ ଆରମ୍ଭ ହେଲା ବେଳକୁ କରୋନା ଦ୍ବିତୀୟ ଲହର ପୁଣିଥରେ ପ୍ରାଣୀ ଉଦ୍ୟାନର ମେରୁଦଣ୍ଡ ଭାଙ୍ଗିଦେଇଛି। ସବୁ କିଛି ଅଧା ପନ୍ତରିଆ ରହିଯାଇଛି। ଏପ୍ରିଲ ମାସ ସରିଯାଇଥିଲେ ମଧ୍ୟ ଟଏ-ଟ୍ରେନ୍ ଚାଲିପାରି ନାହିଁ କି ରୋପ୍‌-ୱେ କାମ ସରିଲାନି। ବହୁତଳ ପାର୍କିଂର ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ପାଖାପଖି ୧୪ ମାସ ହେଲା କରୋନା କବଳରେ ନନ୍ଦନକାନନ ରହିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ କମିନି। ୨୦୨୦-୨୧ ଆର୍ଥିକ ବର୍ଷରେ ୮ ଲକ୍ଷ ୨୦ ହଜାରରୁ ଅଧିକ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ଏବଂ ୭୨ ହଜାର ୮୨୦ ଜଣ ବଟାନିକାଲ ଗାର୍ଡେନ୍‌ ବୁଲିଥିବା ଜଣାପଡ଼ିଛି।

ଦେଶର ବୃହତ୍ତ ପ୍ରାକୃତିକ ଚିଡ଼ିଆଖାନା ଭାବେ ପ୍ରସିଦ୍ଧି ଲାଭ କରିଥିବା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ନେଇ ଗତ ଫେବ୍ରୁଆରି ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ବାରୋପ କରିଥିଲେ। ପ୍ରାଣୀ ଉଦ୍ୟାନ ସମେତ ଏହାର ଚାରିପାର୍ଶ୍ବ କ୍ଷେତ୍ର ପରିଦର୍ଶନ କରି ୮ ବର୍ଗ କିମି ଚୂଡ଼ଙ୍ଗଗଡ଼ ଜଙ୍ଗଲକୁ ନନ୍ଦନକାନନର ଏକ ଅଂଶ ଭାବେ ବନ୍ୟଜନ୍ତୁ ସଫାରି ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଜଙ୍ଗଲ ଜମି ଓ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ନିମନ୍ତେ ଜୁନ୍‌ ସୁଦ୍ଧା ଏହା ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କରିବାକୁ କହିଥିଲେ। ବଟାନିକାଲ ଗାର୍ଡେନ୍‌କୁ ସିଧାସଳଖ ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ସହ ସଂଯୋଗ ଲାଗି ତୁରନ୍ତ ଡିପିଆର ଓ ଖର୍ଚ୍ଚ ଆକଳନ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ। ତେବେ କାର୍ଯ୍ୟ ଆଗେଇପାରି ନାହିଁ। ଯେଉଁଠି ଯେମିତି ଥିଲା ସେଭଳି ରହିଛି। କରୋନା ଦ୍ବିତୀୟ ଲହର ଯୋଗୁଁ ସବୁ କିଛି ବନ୍ଦ ହୋଇଥିବାରୁ ଏହାର ବିକାଶ କାର୍ଯ୍ୟ କିଭଳି ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ଲାଗି ବହୁତଳ ଗାଡ଼ି ପାର୍କିଂର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଏଠାରେ ଏକ ସମୟରେ ୧୫୦୦ ଚାରିଚକିଆ ଓ ୬୦୦ ଦୁଇ ଚକିଆ ଯାନ ରହିପାରିବାର ବ୍ୟବସ୍ଥା ହୋଇଛି। ସବୁ କିଛି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ସେହିପରି ଏଠାକୁ ବୁଲିବାକୁ ଆସୁଥିବା ପିଲାଙ୍କ ଆବଶ୍ୟକତାକୁ ଆଖିରେ ରଖି ମାର୍ଚ୍ଚରେ ଟଏ-ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଧାରିତ ସମୟ ମଧ୍ୟରେ ତାହା ଚାଲିପାରି ନାହିଁ। ଏବେ କରୋନାର ଦ୍ବିତୀୟ ଲହର ପାଇଁ ପୁଣି ଥରେ ନନ୍ଦନକାନନ ବନ୍ଦ ରହିଥିବାରୁ ଟ୍ରେନ ଗଡ଼ିବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe