ରାଜଧାନୀରେ କରୋନା ସଂକ୍ରମଣ ନେଇ ହଇଚଇ: ନୋଭେଲ ନୁହେଁ, ନିମୋନିଆ

Advertisment

ହସ୍ପିଟାଲ ଦେଲା ସ୍ପଷ୍ଟୀକରଣ, ଅଯଥାରେ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ଅନୁରୋଧ

ହସ୍ପିଟାଲ ଦେଲା ସ୍ପଷ୍ଟୀକରଣ, ଅଯଥାରେ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗର ଅନୁରୋଧ

ଆରମ୍ଭ ହେଲା ପାଥୋଲୋଜି ପାଇଁ ଇଣ୍ଟିଗ୍ରେଟେଡ୍ ବ୍ୟବସ୍ଥା : ଗୋଟିଏ ସ୍ଥାନରେ ପଞ୍ଜୀକରଣ ଓ ରିପୋର୍ଟ

OrissaPOST

ଭୁବନେଶ୍ବର: ରାଜଧାନୀରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ ନେଇ ହଇଚଇ ସୃଷ୍ଟି ହୋଇଛି। ଆକ୍ରାନ୍ତ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କଠାରୁ ଚିହ୍ନଟ ହୋଇଥିବା ଭୂତାଣୁ ଚୀନ୍‌ରୁ ବିଶ୍ବକୁ ବ୍ୟାପିଥିବା ନୋଭେଲ କରୋନା ଭୂତାଣୁ ନୁହେଁ। ତେଣୁ ଏହାକୁ ଲୋକମାନେ ଅଯଥାରେ ଆତଙ୍କିତ ନ ହେବା ପାଇଁ ସଂପୃକ୍ତ ହସ୍ପିଟାଲ ସମେତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚୀନ୍‌ରେ ନୋଭେଲ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ଭାରତରେ ଏ ପର୍ଯ୍ୟନ୍ତ ୩ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତେଣୁ ଦେଶବ୍ୟାପୀ ଯେପରି ଏହି ଭୂତାଣୁ ସଂକ୍ରମିତ ନ ହୁଏ ସେଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ଯେଉଁ ସନ୍ଦିଗ୍ଧ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ହସ୍ପିଟାଲ କିମ୍ବା ଘରେ ଆଇସୋଲେସନ୍‌ରେ ରଖାଯାଉଛି। ତେବେ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହେବାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ସଂପୃକ୍ତ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ହସ୍ପିଟାଲର ଲାବୋରେଟାରି‌ ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଯାହାଫଳରେ ଏହି ରିପୋର୍ଟ ସାମାଜିକ ଗଣମାଧ୍ୟମରେ ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୂରି ବୁଲିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ଘନ ଘନ ଫୋନ୍ କରି ସ୍ପଷ୍ଟ ଚିତ୍ର ମାଗିଥିଲେ। ମାତ୍ର ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ତାଙ୍କ ନିକଟରେ ଏଭଳି କୌଣସି ରିପୋର୍ଟ ନ ଥିବା କୁହିଛନ୍ତି।

ପରେ ସଂପୃକ୍ତ ହସ୍ପିଟାଲ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ସଂପୃକ୍ତ ବ୍ୟକ୍ତି ନିମୋନିଆରେ ଆକ୍ରାନ୍ତ। ତାଙ୍କଠାରେ ନୋଭେଲ କରୋନା କିମ୍ବା ମର୍ସ ବା ମିଡିଲ ଇଷ୍ଟ ରେସ୍ପିରୋଟାରି ସିଣ୍ଡ୍ରୋମ୍‌ର କୌଣସି ଲକ୍ଷଣ ନାହିଁ। ଲାବୋରେଟାରିରେ ପରୀକ୍ଷା ସମୟରେ ଭାରତୀୟଙ୍କଠାରେ ସାଧାରଣଭାବେ ଦେଖିବାକୁ ମିଳୁଥିବା କରୋନା ଭୂତାଣୁ ଚିହ୍ନଟ ହୋଇଥାଏ। ତେଣୁ ଲୋକମାନେ ଅଯଥାରେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଛନ୍ତି, ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଦେଶରେ ଏନ୍‌ଆଇଭି ପୁନେ ଓ ଉତ୍ତର ପୂର୍ବ ରାଜ୍ୟର ଆଇସିଏମ୍‌ଆରରେ ସୁବିଧା ରହିଛି। ରାଜ୍ୟରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ଆରଏମ୍‌ଆରସି ଭୁବନେଶ୍ବର ଜରିଆରେ ଏନ୍‌ଆଇଭିକୁ ପରୀକ୍ଷା ପାଇଁ ପଠାଯାଉଛି। ତେଣୁ ଓଡ଼ିଶାରେ ଏହି ଭୂତାଣୁ ଚିହ୍ନଟ କରିବ‌ାର କୌଣସି ବ୍ୟବସ୍ଥା ନାହିଁ। ବଜାରରେ ଏହାର କିଟ୍ ଉପଲବ୍ଧ ହେଉନାହିଁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହିଁ ଏହାର କିଟ୍ ପ୍ରଦାନ କରୁଛି। ତେଣୁ ଏହି ଖବରରେ କୌଣସି ସତ୍ୟତା ନାହିଁ। ହୁଏତ ତାହା ସାଧାରଣଭାବେ ଶରୀରରେ ଚିହ୍ନଟ ହେଉଥିବା କରୋନା ଭୂତାଣୁ ହୋଇପାରେ। ଯଦି ଏଭଳି କୌଣସି ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୁଅନ୍ତି ତେବେ ସଂପୃକ୍ତ ହସ୍ପିଟାଲ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରିଥାନ୍ତେ ବୋଲି ପ୍ରଫେସର ଡା.ମହାନ୍ତି କହିଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୯୬ଜଣ ନୋଭେଲ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇଛି। ତହିଁରୁ ୬୪ଜଣ ଘରେ ଆଇସୋଲେସନ୍‌ରେ ରହିଛନ୍ତି। ୩ଜଣ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ରହିଥିବା ବେଳେ ପରୀକ୍ଷା ପାଇଁ ପଠାଯାଇଥିବା ୭ ନମୁନା ନେଗେଟିଭ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe