Image Source: The Times of India
ଚନ୍ଦ୍ରଶେଖରପୁର,: ଗାଁ’ଠାରୁ ସହର ସବୁଆଡ଼େ ଲକ୍ଡାଉନ୍। ଯୁଆଡ଼େ ବି ଚାହିଁଲେ ରାସ୍ତାଘାଟ ଖାଁଖାଁ। ଘରୁ ଗୋଡ଼ କାଢ଼ିଲେ ପୁଲିସ୍ ପିଟୁଛି। ଏପଟେ ଦିନକୁ ଦିନ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ତା’ ଭିତରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଭଳି ସମୟରେ ରାଜଧାନୀରେ ଚାକଚକ୍ୟ ଭିତରେ ରହିବାକୁ ଚାହୁଁନାହାନ୍ତି ଲୋକେ। ସହର ଛାଡି ନିଜ ନିଜ ଗାଁକୁ ଚାଲିଯିବା ପାଇଁ ବାହାରିଛନ୍ତି।
ରାଜଧାନୀରେ ରହି ହନ୍ତସନ୍ତ ହେବା ଅପେକ୍ଷା ଗାଁକୁ ଚାଲିଯିବା ଠିକ୍ ହେବ। ମୋତେ ଖଣ୍ଡେ ଫିଟ୍ନେସ୍ ପ୍ରମାଣପତ୍ର ଓ ଗାଡ଼ି ପାସ୍ କରାଇ ଦିଅନ୍ତୁ। ମୁଁ ପରିବାର ନେଇ ଗାଁ’କୁ ପଳାଇବି। ଏପରି ମାନସିକତା ଥିବା ଲୋକେ ଏବେ ଥାନାରେ ଦେଖିବାକୁ ମିଳୁଛନ୍ତି। ପ୍ରତିଦିନ ସଂଧ୍ୟାରେ ଥାନା ବାବୁଙ୍କ ନିକଟରେ ଅଯୁକ୍ତିକର କଥା ନେଇ ଆକୁଳ ନିବେଦନ କରୁଛନ୍ତି। ଫଳରେ ଥାନା ବାବୁମାନେ ଲୋକଙ୍କୁ ବୁଝାଇ ବୁଝାଇ ଥକିଗଲେଣି। ଇନ୍ଫୋସିଟି ଥାନା ଅଧୀନରେ ଥିବା ଅନେକ ବସ୍ତି ଅଞ୍ଚଳର ଲୋକେ ଏବେ କୌଣସି ପ୍ରକାର ବାହାନା ଦେଖାଇ ଗାଁକୁ ପଳାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ବାଇକ୍ କିମ୍ବା କୌଣସି ପ୍ରକାର ଗାଡ଼ିରେ ରାତାରାତି ରାଜଧାନୀ ଛାଡ଼ି ଗାଁକୁ ଚାଲିଯିବା ପାଇଁ ଥାନାକୁ ଅନୁମତି ପତ୍ର ପାଇଁ ଆସୁଛନ୍ତି।
ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଘଟଣା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଫକିର ଦଳାଇ ଓ ତାଙ୍କ ପତ୍ନୀ ସଂଧ୍ୟାରେ ଇନ୍ଫୋସିଟି ଥାନାରେ ପହଞ୍ଚି ପୁଲିସ ବାବୁଙ୍କୁ ଗାଁକୁ ଚାଲିଯିବା ପାଇଁ ଫିଟ୍ନେସ ପ୍ରମାଣପତ୍ର ମାଗିଥିଲେ। ପୁଲିସ ଅଧିକାରୀ ସେମାନଙ୍କୁ ଡାକ୍ତରଖାନା ଯାଇ ଶାରୀରିକ ପରୀକ୍ଷା କରି ସୁସ୍ଥ ପ୍ରମାଣପତ୍ର ନେବା ପାଇଁ ପରାମର୍ଶ ଦେବାରୁ ଅଜବ ଉତ୍ତର ମିଳିଥିଲା। ଡାକ୍ତରଖାନାକୁ ଗଲେ ୧୪ ଦିନ କ୍ୱାରାଣ୍ଟିନରେ ରହିବା ପାଇଁ ଡାକ୍ତର କହୁଛନ୍ତି। ଗାଁକୁ ଗଲେ ଗ୍ରାମବାସୀ ଭୁବନେଶ୍ବରରୁ ଫେରୁଥିବାରୁ ଜବରଦସ୍ତି ୧୪ ଦିନ କ୍ବାରାଣ୍ଟିନରେ ରଖାଇ ଦେଉଛନ୍ତି। ତେଣୁ ପୁଲିସ ଚାହିଁଲେ ସେମାନଙ୍କୁ ସାହାଯ୍ୟ କରିବ ବୋଲି ଥାନାରେ ଯୁକ୍ତି କରିଥିଲେ। ମାତ୍ର ଏହି ଖବର ଇନ୍ଫୋସିଟି ଥାନା ଅଧିକାରୀ ବିଶ୍ବଜିତ୍ ମହାନ୍ତିଙ୍କ ନିକଟରେ ପହଞ୍ଚିବାରୁ ସେ ଉକ୍ତ ଦମ୍ପତିଙ୍କୁ ଏକ ଘଣ୍ଟାରୁ ଅଧିକ ସମୟ ବୁଝାଇବା ପରେ ଦମ୍ପତି ଫେରି ଯାଇଥିଲେ।
Follow Us