କରୋନା କଟକଣା: ରୁକୁଣା ପରେ ଚନ୍ଦନ ଯାତ୍ରା ବି ବନ୍ଦ

Advertisment
କରୋନା କଟକଣା: ରୁକୁଣା ପରେ ଚନ୍ଦନ ଯାତ୍ରା ବି ବନ୍ଦ

ପୁରୁଣା ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା ବନ୍ଦ ପରେ ଏବେ ଚନ୍ଦନଯାତ୍ରାକୁ ମଧ୍ୟ ବନ୍ଦ କରାଯାଇଛି। ଟ୍ରଷ୍ଟବୋର୍ଡର ସଭ୍ୟମାନଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରାଯାଇଛି।

ଏନେଇ ଆଜି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗର ଟ୍ରଷ୍ଟବୋର୍ଡ ସଭ୍ୟ, ଆଇନଜୀବୀ ମାନସ ମହାପାତ୍ର, ବିଏମ୍‌ସି ଅତିରିକ୍ତ କମିସନର ଅବନୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ସଭିଏଁ ଫୋନ୍‌ ଯୋଗ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସହ କଥା ହୋଇଥିଲେ। ଚନ୍ଦନଯାତ୍ରା ସମ୍ପର୍କରେ ଟ୍ରଷ୍ଟବୋର୍ଡ ବୈଠକ କରିବାକୁ କହିଥିଲେ। ତେବେ ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ କୌଣସି ଧାର୍ମିକ କାର୍ଯ୍ୟ ହୋଇ ପାରିବ ନାହିଁ। ୫ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଛି। ଏହି ଯାତ୍ରା ହେଲେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବା ସହ ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବ। ଫଳରେ ଭିଡ଼ ଜମିବ। ଯାତ୍ରା ହେବା ଦ୍ବାରା ସରକାରଙ୍କ ନିର୍ଦେଶକୁ ଅବମାନନା ହେବ। ଏଣୁ ଚନ୍ଦନଯାତ୍ରା ବନ୍ଦ କରିବା ପାଇଁ ଜିଲ୍ଲାପାଳ କହିଥିଲେ ବୋଲି ଟ୍ରଷ୍ଟବୋର୍ଡର ସଭ୍ୟ କହିଛନ୍ତି। ପ୍ରକାଶ ଯେ, ଆସନ୍ତା ୨୬ତାରିଖ ଅକ୍ଷୟ ତୃତୀୟା ଠାରୁ ୨୨ ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe