ବାଉଁଶ କାରିଗରଙ୍କ ବେପାର ମାନ୍ଦା

ବାଉଁଶ କାରିଗରଙ୍କ ବେପାର ମାନ୍ଦା

ପୁରୁଣା ଭୁବନେଶ୍ୱର ମହାମାରୀ କରୋନା ମାଡ଼ରେ ପୂଜା ବଜାର ମାନ୍ଦା ହୋଇଯାଇଛି। ଗଣେଶ ପୂଜା ପାଇଁ ବଜାରରୁ କିଛି ରୋଜଗାର ଆଶା କରିଥିବା ବହୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ପୂଜାରେ କରୋନା କଟକଣା ଲାଗୁ ହୋଇଥିବାରୁ ମୂର୍ତ୍ତି କାରିଗର, ଟେଣ୍ଟ ହାଉସ୍‌, ମେଲୋଡ଼ି, ଫୁଲ ବ୍ୟବସାୟ ଆଦି ବିଶେଷ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ବାଉଁଶ କାରିଗରଙ୍କ ବେପାର ପୂରା ବୁଡ଼ି ଯାଇଛି। ପୂଜା ବଜାରରୁ ସେମାନଙ୍କ ରୋଜଗାର ଆଶା ମଉଳି ଯାଇଛି।

ଚଳିତବର୍ଷ ଗଣେଶ ପୂଜାରେ ବାଉଁଶ କାରିଗରମାନେ ହତାଶ ହୋଇଯାଇଛନ୍ତି। ଏହି ପୂଜା ପୂର୍ବରୁ ପ୍ରତିବର୍ଷ ବାଉଁଶ କାରିଗରମାନେ ବିଭିନ୍ନ ରକମର ବାଉଁଶ ଘର ତିଆରି କରି ବିକ୍ରି କରନ୍ତି। ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ ଓ ଶିଶୁ ଭବନ ଛକରେ ଏହି କାରିଗରଙ୍କ ହାଟ ବସେ ଓ ପୂଜା ପୂର୍ବରୁ ବେପାର ଜମେ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ସେମାନଙ୍କ ବେଉସା ବୁଡ଼ାଇ ଦେଇଛି। ମଣ୍ଡପ ପୂଜାରେ କଟକଣା ଲାଗୁ ହୋଇଛି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିବାରୁ ପୂଜା ସାଜସଜା ପାଇଁ ବାଉଁଶ ସାମଗ୍ରୀ ବିକ୍ରି ଠପ୍‌ ହୋଇଯାଇଛି। ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ପ୍ରାୟ ୧୨ଟି ପରିବାର ପ୍ରତିବର୍ଷ ଏହି ବେପାର କରନ୍ତି। କିନ୍ତୁ ଚଳିତ ବର୍ଷ ମାତ୍ର ଦୁଇ ପରିବାର ଏହି ବେପାରର ପସରା ଧରି ବସିଛନ୍ତି। ପ୍ରତିବର୍ଷ ୫୦ରୁ ଅଧିକ କାରିଗର କାମରେ ଲାଗିଥାନ୍ତି। କିନ୍ତୁ ଚଳିତ ବର୍ଷ ମାତ୍ର ୫/୭ ଜଣ କାରିଗର କାମ କରୁଥିବା ଦେଖାଯାଇଛି। ଗଣେଶ ପୂଜା ଯୋଗୁଁ ବଜାରର କିଛି ଅଂଶରେ ଭିଡ଼ ଥିଲେ ହେଁ ବାଉଁଶ କାରିଗରଙ୍କ ପାଖରେ ଗ୍ରାହକ ନାହାନ୍ତି। ଶିଶୁଭବନ ଛକରେ ବେପାର କରୁଥିବା ୱାଇ ଲକ୍ଷ୍ମୀଙ୍କ କହିବା କଥା ସେ ପ୍ରତିବର୍ଷ ୫୦ରୁ ଅଧିକ ବାଉଁଶ ଘର ବିକ୍ରି କରନ୍ତି। ଚଳିତ ବର୍ଷ ମାତ୍ର ୬ଟି ବିକ୍ରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe