‌ହୋଲ୍‌ଡିଂ ଟିକସ ଆଦାୟରେ କେଳେଙ୍କାରୀ: ୨୧ ହଜାର ରସିଦର ହିସାବ ମିଳୁନି

Advertisment

ଆପତ୍ତି ଉଠାଇଲେ ଅଡିଟ୍‌, ରସିଦ ନାହିଁ କି ଟିକସ ନାହିଁ

ଆପତ୍ତି ଉଠାଇଲେ ଅଡିଟ୍‌, ରସିଦ ନାହିଁ କି ଟିକସ ନାହିଁ

‌ହୋଲ୍‌ଡିଂ ଟିକସ ଆଦାୟରେ କେଳେଙ୍କାରୀ: ୨୧ ହଜାର ରସିଦର ହିସାବ ମିଳୁନି

BSCL :: Bhubaneswar Smart City Limited

ଭୁବନେଶ୍ବର: ହୋଲ୍‌ଡିଂ ଟିକସ ଆଦାୟକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦରେ ବିଏମ୍‌ସି ଛନ୍ଦି ହେବାରେ ଲାଗିଛି। ମୋଟ ୧ଲକ୍ଷ ୨୦ ହଜାର ଘର ମଧ୍ୟରୁ ମାତ୍ର ୬୦ ହଜାର ଘରୁ ହୋଲ୍‌ଡିଂ ଟିକସ ଆଦାୟ ହେଉଛି ବୋଲି ଏକ ତଥ୍ୟ ନିକଟ ଅତୀତରେ ପଦାକୁ ଆସିବା ପରେ ବିଏମ୍‌ସି ଅକଳରେ ପଡ଼ିଥିଲା। ଏବେ, ହୋଲଡିଂ ଟିକସ ଅର୍ଥ ବାଟମାରଣା ହୋଇଛି ବୋଲି ଆଉ ଏକ ଚାଞ୍ଚଲ୍ୟକର କଥା ପଦାକୁ ଆସିଛି। ଟିକସ ଆଦାୟ‌ରେ ଆଗରୁ ବ୍ୟବହୃତ ହେଉଥିବା ପାଖାପାଖି ୨୧ ହଜାର ୮ଶହ ରସିଦ୍‌ର ହିସାବ ମିଳୁନି। ନା ରସିଦ ଅଛି, ନା ସେ ବାବଦରେ ଲୋକଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ବିଏମ୍‌ସି ଆକାଉଣ୍ଟରେ ଡିପୋଜିଟ୍‌ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ୍‌ ବେଳେ ଏହି ସାଂଘାତିକ ତଥ୍ୟ ପଦାକୁ ଆସିଛି। ତେଣୁ ଏହି ଟିକସ ଅର୍ଥରେ କିଛି ଅଧିକାରୀ ଓ କର୍ମଚାରୀ ନିଜ ପକେଟ୍‌ ଗରମ କରିଛନ୍ତି ବୋଲି ଅଡିଟ୍‌ ଅନୁମାନ କରୁଛି। ତେବେ କେତେ କୋଟି ଟଙ୍କା ବାଟମାରଣା ହୋଇଛି, ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି। ଏକ ହିସାବ ମୁତାବକ, ଯଦି ଗୋଟିଏ ରସିଦ୍‌ରେ ୧୦୦୦ ଟଙ୍କା ବି ଆଦାୟ ହୋଇଥାଏ, ତେବେ ୨ କୋଟି ୧୮ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଆଶଙ୍କା କରାଯାଉଛି।

ଅଡିଟ୍‌ଙ୍କ ଆପତ୍ତି ମୁତାବକ, ଗୋଟିଏ ରସିଦ୍‌ ବହିରେ ଶହେଟି ରସିଦ୍‌ ଥାଏ। ୨୦୧୮ରୁ ଅନ୍‌ଲାଇନ୍‌ ହେବା(୨୦୨୦) ପର୍ଯ୍ୟନ୍ତ ପ୍ରଶାନ୍ତ କୁମାର ନାଥ, ଉମାକାନ୍ତ ନାୟକ, କ୍ଷେତ୍ରମୋହନ ଦାସ, ଭୁବନାନନ୍ଦ ପାଢ଼ୀ, ଦେବୀପ୍ରସାଦ ଦାସଙ୍କ ନାମରେ ୨୧୮ ବହି ବା ୨୧ ହଜାର ୮ଶହ ରସିଦ୍‌ ଇସ୍ୟୁ ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍‌ ବେ‌ଳେ ମଧ୍ୟ ଏପରି ସମାନ ଧରଣର ଅଭିଯୋଗ ଆସିଥିଲା। ୨୦୨୧ ସୁଦ୍ଧା ଏହାର ହିସାବ ରଖିବାକୁ ଅଡିଟ୍‌ ସୁପାରିସ କରିଥିଲେ। କିନ୍ତୁ ପରବର୍ତ୍ତୀ ଅଡିଟ୍‌ ବା ୨୦୨୦-୨୧ର ଅଡିଟ୍‌ ବେଳେ ମଧ୍ୟ ବିଏମ୍‌ସି ଏହାର ହିସାବ ଦେଖାଇ ପାରିନଥିଲା। ବର୍ଷ ବର୍ଷ ଧରି ଟ୍ୟାକ୍ସ କଲେକ୍ଟରମାନେ ଗୋଟିଏ ଜାଗାରେ ରହିଥିଲେ ମଧ୍ୟ କାହିଁକି ହିସାବ ଦେଖାଇପାରିଲେ ନାହିଁ? ଏହି ରସିଦ୍‌ ସବୁ କୁଆଡ଼େ ଗଲା? ଯଦି ଟିକସ ବଦଳରେ ଲୋକଙ୍କୁ ଦିଆଯାଇନାହିଁ, ତେବେ ବିଏମ୍‌ସିକୁ ରସିଦ୍‌ଗୁଡ଼ିକ ଅକ୍ଷତ ଫେରି ଆସିବା କଥା। ଯଦି ଲୋକଙ୍କୁ ଦିଆଯାଇଛି, ତେବେ ଲୋକଙ୍କ ନାମ ସହିତ ଆଦାୟ ଅର୍ଥର ପରିମାଣର ଅବିକଳ ନକଲ ଫେରିବା କଥା। ହେଲେ ନା ରସିଦ୍‌ ଫେରିଛି ନା ଟିକସ ଅର୍ଥ ଆସିଛି।

ବିଭିନ୍ନ ସମୟରେ ହୋଲ୍ଡିଂ ଟିକସ ବାଟମାରଣା ଅଭିଯୋଗରେ ପୂର୍ବରୁ କେତେକ ଟ୍ୟାକ୍ସ କଲେକ୍ଟରଙ୍କୁ ଏଠାରୁ ବଦଳି କରାଯାଇଛି। ହୋଲ୍ଡିଂ ଟିକସ କମାଇଦେବା ପାଇଁ ଲାଞ୍ଚ ନେବା ବେଳେ କେତେକଙ୍କୁ ଭିଜିଲାନ୍ସ ବି ଧରିଛି। ଏଭଳି ଘଟଣାର ନିୟମିତ ପୁନରାବୃତ୍ତି ହେବା ପରେ ଏହି ବ୍ୟବସ୍ଥାକୁ ୨୦୨୦ ମସିହାରେ ଅନ୍‌ଲାଇନ୍‌ କରାଯାଇଛି। କୌଣସି ପରିସ୍ଥିତିରେ କାଗଜ ରସିଦ୍‌ ବ୍ୟବହାର ହେଉ ନାହିଁ। ନଗଦ ଆଦାୟ କରାଯାଉନାହିଁ। କିନ୍ତୁ ପୂର୍ବରୁ ବିଏମ୍‌ସି ଇସ୍ୟୁ କରିଥିବା ରସିଦ୍‌ର ହିସାବକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ନିକଟ ଅତୀତରେ ଏକାଧିକ ଟ୍ୟାକ୍ସ କଲେକ୍ଟର ଅବସର ନେଇଛନ୍ତି। ସେମାନଙ୍କଠାରୁ ବିଏମ୍‌ସି ଏହି କାଗଜ ରସିଦ୍‌ର ହିସାବ ମାଗିନାହିଁ, ସମସ୍ତ ଅବସର ସୁବିଧା ଯୋଗାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe