ରାସ୍ତା ଉପରେ ଦମ୍ପତି ଗଡ଼ାପଡ଼ା, ପରକୀୟା ପ୍ରୀତି ଅଭିଯୋଗ କରିବାରୁ ଛେଚା ଖାଇଲେ ପତ୍ନୀ

ରାସ୍ତା ଉପରେ ଦମ୍ପତି ଗଡ଼ାପଡ଼ା, ପରକୀୟା ପ୍ରୀତି ଅଭିଯୋଗ କରିବାରୁ ଛେଚା ଖାଇଲେ ପତ୍ନୀ

ଭୁବନେଶ୍ବର : ସ୍ଥାନ ଲୋୟର ପିଏମ୍‌ଜି। ସମୟ ଅପରାହ୍‌ଣ ୧୨ଟା ୧୫। ବିଧାନସଭା ଚାଲିବା ସମୟର ଗହଳିଚହଳି ନାହିଁ। ରାସ୍ତା ଫାଙ୍କା। ଜଣେ ଯୁବକ, ଜଣେ ମହିଳା ଓ ଗୋଟିଏ ଶିଶୁପୁତ୍ର ଯାଉଥିଲେ ଚାଲି ଚାଲି। ଲାଗୁଥିଲା ଗୋଟିଏ ପରିବାର ଭଳି। ହଠାତ୍‌ ମହିଳାଜଣଙ୍କ ଉପରେ ପଡ଼ିଲା ମାଡ଼। ପୁରୁଷଜଣଙ୍କ ମହିଳାଙ୍କ ଚୁଟିକୁ ଧରି ପିଠିରେ ବିଧା ଅଣ୍ଟାକୁ ଗୋଇଠା ମାରୁଥାନ୍ତି। ମହିଳା ଜଣକ ପଡ଼ି ଯାଉଥାନ୍ତି, ପୁଣି ଉଠୁଥାନ୍ତି ଆଉ ଚିତ୍କାର କରୁଥାନ୍ତି। ଶିଶୁପୁତ୍ରଟି କଣ କରିବ କିଛି ବୁଝି ପାରୁ ନ ଥାଏ। କିଛି ସମୟ ମହିଳାଙ୍କ ଗୋଡ଼କୁ କୁଣ୍ଢାଇ କାନ୍ଦୁଥାଏ ତ’ ଆଉ କିଛି ସମୟ ପୁରୁଷଙ୍କ ଗୋଡ଼ ଜାବୁଡ଼ି ଧରି କାନ୍ଦୁଥାଏ। ସେହି ବାଟ ଦେଇ ଯାଉଥିବା ଗାଡ଼ି ଚାଳକ ଅଟକି ଯାଉଥାନ୍ତି ଏଭଳି ଏକ ବିଚିତ୍ର ଦୃଶ୍ୟ ଦେଖି। ଦୀର୍ଘ ୧୦ ମିନିଟ୍‌ ଏଭଳି ଚାଲିବା ପରେ ଖଣ୍ଡେ ଦୂରରେ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷରେ ବସିଥିବା ଜଣେ ପୁଲିସ କର୍ମଚାରୀ ତାଙ୍କ ପାଖରେ ପହଞ୍ଚିଥିଲେ। ଯୁବକଙ୍କୁ ଅଟକାଇଲେ। ମହିଳାଙ୍କ ଚୁଟି ଛାଡ଼ିଦେଲେ। ପୁଲିସ କର୍ମଚାରୀଙ୍କୁ ଚାହି ସମ୍ପୃକ୍ତ ମହିଳା କହିଲେ, ‘ବାବୁ, ଇଏ ଗୋଟାଏ ପିଲାର ବାପା ହେଇ ରାସଲୀଳା କରୁଛନ୍ତି। ପ୍ରତିବାଦ କଲେ ମାଡ଼ ମାରୁଛନ୍ତି। ବାହା ତ ହେଇଛି, କଣ ଆଉ କରିବି ଯେ?’ ସେତେବେଳକୁ ୨୦ରୁ ୩୦ ଜଣ ଦେଖଣାହାରୀ ପୁଲିସ କର୍ମଚାରୀଙ୍କ ପଛେ ପଛେ ଯାଇ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଯୁବକଜଣକ ପୁଲିସ କର୍ମଚାରୀଙ୍କଠାରୁ କୌଣସି ପରାମର୍ଶ ଆଶା ନ କରି ଚାଲି ଯାଇଥିଲେ। ମହିଳାଜଣକ ମଧ୍ୟ ଯୁବକଙ୍କ ଉପରେ ପୁଲିସଠାରୁ କୌଣସି କାର୍ଯ୍ୟାନୁଷ୍ଠାନର ଆଶା ରଖି ନ ଥିଲେ।

publive-image

ପଚରା ଉଚରାରୁ ଜଣାପଡ଼ିଥିଲା ଯେ ଉଭୟ ପତି-ପତ୍ନୀ। ଲୋୟର ପିଏମ୍‌ଜିରେ ଏକ ଅସ୍ଥାୟୀ ଘର କରି ଦୀର୍ଘ ଦିନ ହେବ ରହି ଆସୁଛନ୍ତି। ଶିଶୁପୁତ୍ରର ବୟସ ୭ରୁ ୮ ବର୍ଷ ହେବ। ଯୁବକଜଣକ ବସ୍‌ରେ ସହାୟକ ଭାବରେ କାମ କରନ୍ତି। ସୀମିତ ରୋଜଗାରରେ ଛୋଟ ପରିବାର ବେଶ୍‌ ଭଲରେ ଚଳିଯାଏ। କିଛି ଦିନ ହେବ ସ୍ତ୍ରୀ ସ୍ବାମୀଙ୍କର ମତିଗତିରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ। ସେଥିପାଇଁ ସେ ସ୍ବାମୀଙ୍କ ଉପରେ ନଜର ରଖିଥିଲେ। ଗତ ରାତିରେ ସେ ଅନ୍ୟଜଣେ ଯୁବତୀଙ୍କ ସହ ସ୍ବାମୀଙ୍କ ଶାରୀରିକ ସମ୍ପର୍କ ବାବଦରେ ପ୍ରମାଣ ପାଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ରାତିରେ କଥା ଥମି ଯାଇଥିଲା‌। ଆଜି ସପରିବାର ବଜାରରୁ ଫେରିବା ବେଳେ ପୁଣି ସେଇ ପରକୀୟାପ୍ରତି କଥା ଉଠିଥିଲା। ଗୋଟାଏ ପିଲାର ବାପା, ପୁଣି ପରକୀୟା ପ୍ରୀତି!’ ପତ୍ନୀଙ୍କର ଏଭଳି କେଇ ପଦ କଥା ଯୁବକଙ୍କ ଦେହରେ ଛୁଞ୍ଚି ଭଳି ଫୋଡ଼ି ହୋଇ ଯାଇଥିଲା। ସ୍ବାମୀ ରାସ୍ତା, ଘାଟ, ବଜାର କିଛି ମାନି ନ ଥିଲେ। ପତ୍ନୀଙ୍କ ଚୁଟି ଧରି ପିଟି ଚାଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe