ଦିନକରେ ରେକର୍ଡ ପଜିଟିଭ୍ : ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ଟପିଲା

Advertisment
ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ଦିନକରେ ୪୨୭୦ ପଜିଟିଭ୍, ୪୧୨୧ ସୁସ୍ଥ, ୧୧ ମୃତ

cidrap

ଭୁବନେଶ୍ୱର : ରାଜଧାନୀରେ ଗୋଟିଏ ଦିନକରେ ରେକର୍ଡ ସଂଖ୍ୟକ ୫୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୭୩ରେ ପହଞ୍ଚିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୮୨ରେ ପହଞ୍ଚି ଯାଇଛି। ୫୪୧ ଆକ୍ରାନ୍ତଙ୍କ ମଧ୍ୟରେ ୨୨୦ଜଣ ସଙ୍ଗରୋଧରୁ ଓ ୩୨୧ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।

ସଙ୍ଗରୋଧରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲର ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ପୁରୁଷଙ୍କ ସଂସ୍ପର୍ଶରେ ଆସି ହସ୍ପିଟାଲର ମାଲିକଙ୍କ ସମେତ ଅନ୍ୟ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ୧୬ଜଣ ପୁଲିସ, ଉତ୍କଳ ବିଶ୍ବବିଦ୍ୟାଳୟର ୯ଜଣ, ଝାରପଡ଼ା ମହାବୀର ନଗରରୁ ୬ଜଣ, ନୀଳାଦ୍ରି ବିହାର ପଣ୍ଡା ପାର୍କ ଅଞ୍ଚଳରୁ ୭ଜଣ, ୟୁନିଟ୍‌-୮ରୁ ୫, ୟୁନିଟ୍‌-୬ରୁ ୯ଜଣ ବାଦ୍ ଅନ୍ୟାନ୍ୟ ଅଞ୍ଚଳରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଲୋକାଲ କଣ୍ଟାକ୍ଟ ମଧ୍ୟରେ ଭୀମପୁର କେଳା ବସ୍ତିରୁ ୧୧ଜଣ, ସୁନ୍ଦରପଦା ୬ଜଣ, ଶୈଳଶ୍ରୀ ବିହାରରୁ ୧୦ଜଣ, ପଟିଆରୁ ୧୧ଜଣ, ଭିଏସ୍‌ଏସ୍ ନଗରରୁ ୫ଜଣ, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କ‌ଲୋନିରୁ ୪ଜଣ, ଚିନ୍ତାମଣିଶ୍ବରରୁ ଓ ନୂଆପଲ୍ଲୀ ନୂଆସାହିରୁ ୭ଜଣ ଲେଖାଏଁ, ୨ଜଣ ରିଜର୍ଭ ପୁଲିସ, ୟୁନିଟ-୯ରୁ ୫, ସୁନ୍ଦରପଦାରୁ ୬ ଓ ଅନ୍ୟାନ୍ୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ ସଂକ୍ରମିତ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଆଉ ଜଣେ ପରିଚାଳକ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। କିଛିଦିନ ପୂର୍ବରୁ ହସ୍ପିଟାଲର ଆଉ ଜଣେ ପରିଚାଳକ ସଂକ୍ରମିତ ହୋଇଥିଲେ। ଏହାକୁ ମିଶାଇ ହସ୍ପିଟାଲର ପ୍ରଶାସନିକ କାର୍ଯ୍ୟାଳୟର ୭ଜଣ କର୍ମଚାରୀ ଏ ପର୍ଯ୍ୟନ୍ତ ସଂକ୍ରମିତ ହୋଇ ସାରିଲେଣି। ତହିଁରୁ ୨ଜଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଉ ୫ଜଣଙ୍କ ଏବେ ବି ଚିକିତ୍ସା ଜାରି ରହିଛି। ତେବେ ଲଗାତାର ଭାବେ ହସ୍ପିଟାଲର କର୍ମଚାରୀ ସଂକ୍ରମିତ ହେବାକୁ ନେଇ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି।

ଏହାବାଦ୍ ହସ୍ପିଟାଲର କାଜୁଆଲ୍‌ଟିରୁ ୩ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରେ ଆଡମିସନ୍ ପୂର୍ବରୁ କୋଭିଡ୍‌ ପରୀକ୍ଷା ବାଧ୍ୟତାମୂଳକ ହୋଇଥିବାରୁ ବିଭିନ୍ନ ୱାର୍ଡରୁ ବହୁ ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଶେଷକରି ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି।

ହସ୍ପିଟାଲର ୪ କର୍ମଚାରୀ ଆକ୍ରାନ୍ତ
ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୨ ଜଣ ପୁରୁଷ କର୍ମଚାରୀ। ଗତ ଦୁଇ ଦିନ ତଳେ ସେମାନେ ସ୍ବାବ୍‌ ପରୀକ୍ଷା କରାଇଥିଲେ ଓ ଆଜି ମିଳିଥିବା ରିପୋର୍ଟରୁ ସେମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଗାଡ଼ିଚାଳକ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ବହୁ କର୍ମଚାରୀ ଆସିଛନ୍ତି ଓ ସେମାନେ ମଧ୍ୟ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ତେବେ ସମସ୍ତ ୪ ଜଣ ଆକ୍ରାନ୍ତ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏମାନଙ୍କ ପୂର୍ବରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା‌ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଗୃହ ସଂଗରୋଧରେ ରହି ସୁସ୍ଥ ହୋଇଛନ୍ତି। ଆଜି କରୋନା ପରୀକ୍ଷା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦିନକ ମଧ୍ୟରେ ୯୨ ଜଣଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିବାବେଳେ ୧୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଳକାଟି ଫାଣ୍ଡି ପୁଲିସ ପରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ କରୋନା ପଜିଟିଭ୍‌ ହେଉଥିବାରୁ ଏହି ଅଞ୍ଚଳରେ କରୋନା ଯୋଦ୍ଧାମାନେ ବି ସୁରକ୍ଷିତ ନୁହଁନ୍ତି ବୋଲି ଚର୍ଚ୍ଚା ହେଉଛି।

ଥାନାରୁ ୪, ଏସିପି ଅଫିସରୁ ୩ ପଜିଟିଭ୍
ଭୁବନେଶ୍ୱର : କମିସନରେଟ ପୁଲିସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ଖାରବେଳନଗର ଥାନାରୁ ୪ ଜଣ ପଜିଟିଭ୍ ବାହାରିଛନ୍ତି। ସେହିପରି କ୍ୟାପିଟାଲ ଥାନା ପରିସରରେ ଥିବା ଜୋନ୍-୧ ଏସିପି ଅଫିସରୁ ୩ ଜଣ କର୍ମଚାରୀ ପଜିଟିଭ୍ ବାହାରିଛନ୍ତି। ରାଜଧାନୀରେ ଏବେ ସୁଦ୍ଧା ପ୍ରାୟ ୩ ଶହରୁ ଅଧିକ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe