ରାଜଧାନୀରେ ଦ୍ରୁତ ଗତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଦିନକୁ ହାରାହାରି ୨୧୯ ଆକ୍ରାନ୍ତ ଚିହ୍ନଟ, ଗୋଷ୍ଠୀ ସଂକ୍ରମଣ ଭୟ

Advertisment

ଅଗଷ୍ଟ ୩୧ ଟାର୍ଗେଟ୍‌ ୨୭ରେ ଟପିଲା, ଏବେଠୁ ଦିଶିଲାଣି ସେପ୍ଟେମ୍ବରର ଚିତ୍ର

ଅଗଷ୍ଟ ୩୧ ଟାର୍ଗେଟ୍‌ ୨୭ରେ ଟପିଲା, ଏବେଠୁ ଦିଶିଲାଣି ସେପ୍ଟେମ୍ବରର ଚିତ୍ର

ରାଜଧାନୀରେ ଦ୍ରୁତ ଗତିରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଦିନକୁ ହାରାହାରି ୨୧୯ ଆକ୍ରାନ୍ତ ଚିହ୍ନଟ, ଗୋଷ୍ଠୀ ସଂକ୍ରମଣ ଭୟ

କରୋନାକୁ ଖାତିର୍‌ ନାହିଁ, ୟୁନିଟ୍‌-୧ ପରିବା ହାଟରେ ଲୋକଙ୍କ ଗହଳି

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଛି। ପ୍ରତ୍ୟେକ ଦିନ ବିଏମ୍‌ସି ୩୦୦ରୁ ଅଧିକ ଆକ୍ରାନ୍ତଙ୍କ ତାଲିକା ଦେଉଛି। ଅଗଷ୍ଟରେ ୨୭ ଦିନରେ ମୋଟ୍‌ ୫୯୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଅର୍ଥାତ୍ ଦିନକରୁ ହାରାହାରି ୨୧୯ଜଣ ଆକ୍ରାନ୍ତ ବାହାରୁଛନ୍ତି। ଏବେ ଯେଉଁ ହାରରେ ଆକ୍ରାନ୍ତ ବାହାରୁଛନ୍ତି, ସେହି ଅନୁଯାୟୀ ଲୋକ ସୁସ୍ଥ ହେଉନାହାନ୍ତି। ଏପଟେ ବିଏମ୍‌ସି ଆକଳନ କରିଥିଲା ଯେ ଅଗଷ୍ଟ ୩୧ ବେଳକୁ ରାଜଧାନୀରେ ୩୪୨୯ଟି ଆକ୍ଟିଭ୍‌ କେସ୍‌ ଥିବ। କିନ୍ତୁ ବିଏମ୍‌ସି ଟାର୍ଗେଟ୍‌ର ୪ ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ଏହି ଅଙ୍କ ପାର୍‌ ହୋଇଯାଇଛି। ଆଜି ରାଜଧାନୀରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୩୪୭୮ରେ ପହଞ୍ଚିଛି।

ଅପରପକ୍ଷେ ସେପ୍ଟେମ୍ବର ୧୫ ବେଳକୁ ରାଜଧାନୀରେ ୫ ହଜାର ଆକ୍ଟିଭ୍ କେସ୍‌ ଥିବ ବୋଲି ଯେଉଁ ପୂର୍ବାନୁମାନ କରାଯାଉଛି, ତାହା ସେପ୍ଟେମ୍ବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଅତିକ୍ରମ କରିଯିବ ବୋଲି ଜଳଜଳ ଦିଶିଲାଣି। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଯେତିକି ଚିନ୍ତାଜନକ ହୋଇନି, ତାହାଠାରୁ ଅଧିକ ଚିନ୍ତାଜନକ ସ୍ଥାନୀୟ ସଂକ୍ରମଣ। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦୁଇଦିନ ହେଲା ସଙ୍ଗରୋଧରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ରହୁଥିବାରୁ ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲା କି ବୋଲି ପ୍ରଶ୍ନ ଉଠିଲାଣି। କାରଣ ସ୍ଥାନୀୟ ସଂକ୍ରମିତମାନେ କେଉଁଠୁ ସଂକ୍ରମିତ ହେଲେ ବିଏମ୍‌ସି ପାଖରେ ସେ ଖବର ନାହିଁ। ବିଏମ୍‌ସି ପାଖରେ ତଥ୍ୟ ରହିବା ଦୂର କଥା ଯିଏ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନେ ଜାଣିନାହାନ୍ତି ଯେ କାହା ସଂସ୍ପର୍ଶରେ ଆସିଲେ, କେମିତି କରୋନା ହେଲା। ବହୁ ପ୍ରତିଷେଧକ ନେବା ସତ୍ତ୍ବେ ବି କରୋନା ହୋଇଯାଇଥିବାରୁ ସେମାନେ ଚିନ୍ତାରେ।

ବୁଧବାର ୩୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୧୩୯ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୧ଜଣ ଥିଲେ। ସେହିପରି ଆଜି ଚିହ୍ନଟ ୩୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୩ଜଣ ସଙ୍ଗରୋଧରେ ଥିବା ବେଳେ ୨୦୩ଜଣ ସ୍ଥାନୀୟ ସଂକ୍ରମିତ। ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜଣାପଡ଼ିଲାଣି ଯେ ଏବେ ବି ବହୁ କରୋନା ଆକ୍ରାନ୍ତ ଚିକିତ୍ସିତ ନହୋଇ ବାହାରେ ବୁଲୁଛନ୍ତି। କିମ୍ବା ଯେଉଁମାନେ ସଙ୍ଗରୋଧରେ ରହିବା କଥା, ସେମାନେ ବାହାରେ ବୁଲୁଛନ୍ତି। ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୪୫% ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣ ଆରମ୍ଭର ଆଭାସ ମିଳିଗଲାଣି। ଏହି ୪୫% ଲୋକଙ୍କୁ କିପରି କରୋନା ହେଲା ସେମାନେ ଜାଣିନାହାନ୍ତି କି ବିଏମ୍‌ସି ପାଖରେ ବି ଖବର ନାହିଁ। ଯଦି ଗୋ‌ଷ୍ଠୀ ସଂକ୍ରମଣ ହୋଇ ନଥିବ, ତେବେ ବିଏମ୍‌ସି ନିୟନ୍ତ୍ରଣରୁ କରୋନା ପରିଚାଳନା ଖସୁଛି ବୋଲି କୁହାଯାଇପାରିବ।

ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଯେତେ ବଢ଼ିବ, ରାଜଧାନୀକୁ ବିପଦ ସେତେ ବଢ଼ିବ। ସବୁ ଅଞ୍ଚଳରୁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା, କେଉଁଠୁ ଜଣେ ଆକ୍ରାନ୍ତ ହେଲେ ତାହା ଜଣା ନପଡ଼ିବା ରାଜଧାନୀ ପାଇଁ ବଡ଼ ବିପଦ ସାଜିବ ବୋଲି କୁହାଯାଉଛି। ହାଟ, ବଜାର ଏବଂ ବିଭିନ୍ନ ସ୍ଥାନକୁ ଯାଉଥିବା ଲୋକଙ୍କୁ କରୋନା ହେଉଥିବାରୁ ସେପ୍ଟେମ୍ବର କେତେ ଭୟଙ୍କର ସାଜିବ ତାହା ଆକଳନ କରିବା କଷ୍ଟକର ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe