facebook.com
ବାଲିଅନ୍ତା : ଗତକାଲି ସ୍ଥାନୀୟ ନୀଳାଚଳ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ପରେ ଶବ ସତ୍କାର ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ମୃତଦେହ ହସ୍ପିଟାଲରେ ୨୪ ଘଣ୍ଟା ପଡ଼ି ରହିବାରୁ ଆତ୍ମୀୟମାନେ ପାଟିତୁଣ୍ଡ କରିଥିଲେ। ଏହା ଶବ ପ୍ରତି ଅପମାନ ବୋଲି ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ହୋ-ହଲ୍ଲା କରିଥିଲେ।
ସୂଚନାନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟାବେଳେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ସ୍ଥାନୀୟ ନୀଳାଚଳ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। କରୋନା ଆକ୍ରାନ୍ତ ଏହି ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କିନ୍ତୁ ଆଜି ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ବିଏମ୍ସି ସ୍ବର୍ଗରଥ ପଠାଇନଥିଲା। ତେଣୁ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ। ଅପରାହ୍ନ ୩ଟା ପରେ ସ୍ବର୍ଗରଥ ପହଞ୍ଚିଥିଲା ଓ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ଅଭିଯୋଗ ଅନୁସାରେ କେବଳ ଏହା ଗୋଟିଏ ଘଟଣା ନୁହେଁ। ଏହି ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କରୋନା ଆକ୍ରାନ୍ତମାନଙ୍କ ଶବ ଏମିତି ଦିନ ଦିନ ଧରି ପଡ଼ି ରହୁଛି। ଫଳରେ ସମ୍ପର୍କୀୟମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏତେ ସମୟ ଧରି ଶବ ହସ୍ପିଟାଲରେ ପଡ଼ି ରହୁଥିବାରୁ ଏହା ମୃତକଙ୍କ ପ୍ରତି ଅନ୍ୟାୟ ଓ ଅସମ୍ମାନ ବୋଲି ଅଭିଯୋଗ ହେଉଛି। ବିଏମ୍ସି କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
Follow Us