ନାକେଦମ୍‌ କଲେ କରୋନା ଆକ୍ରାନ୍ତ : ଆମ୍ବୁଲାନ୍ସରୁ ଡେଇଁ ଦୌଡ଼ିଲେ, ଛେପ ପକାଇ ପୁଲିସ୍‌କୁ ଡରାଇଲେ

Advertisment
ନାକେଦମ୍‌ କଲେ କରୋନା ଆକ୍ରାନ୍ତ : ଆମ୍ବୁଲାନ୍ସରୁ ଡେଇଁ ଦୌଡ଼ିଲେ, ଛେପ ପକାଇ ପୁଲିସ୍‌କୁ ଡରାଇଲେ

ଭୁବନେଶ୍ୱର : ପରିସ୍ରା ବାହାନାରେ ଆମ୍ବୁଲାନ୍ସରୁ ଓହ୍ଲାଇ ରାଜପଥରେ ଦୌଡ଼ିଲେ। ପୁଲିସ୍‌ ପଛେ ପଛେ ଯିବାରୁ ଛେପ ପକାଇ ଭୟଭୀତ କରାଇଲେ। ଏମିତିକି ଜବରଦସ୍ତି କଲେ ହାତ କାଟି ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଲେ। କୋଭିଡ୍‌ କେୟାର ସେଣ୍ଟର୍‌ ଯିବାକୁ ଅମଙ୍ଗ ଜଣେ କରୋନା ଆକ୍ରାନ୍ତ ଆଜି ଦିନ ଦି’ ପହରେ ୩ ଥାନାର ପୁଲିସ୍‌, ସ୍ଥାନୀୟ ସରପଞ୍ଚ, ଏଏନ୍‌ଏମ୍‌ କର୍ମୀ ଓ ବିଏମ୍‌ସି କର୍ମଚାରୀଙ୍କୁ ଏମିତି ନାକେଦମ୍‌ କରିଛନ୍ତି। ପ୍ରାୟ ଦେଢ଼ ଘଣ୍ଟା ଧରି ସେମାନଙ୍କ ମଧ୍ୟରେ ଏମିତି ଛକାପଞ୍ଝା ଚାଲିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବାଲିଅନ୍ତା ଅଞ୍ଚଳବାସୀଙ୍କ ଧମକ ଓ ପୁଲିସ୍‌ର ଲାଠିମାଡ଼ ଭୟରେ ଶେଷରେ ଆକ୍ରାନ୍ତଜଣଙ୍କ ସୁନା ପିଲା ପରି ଚୁପ୍‌ଚାପ୍‌ ଆମ୍ବୁଲାନ୍ସରେ ବସି କୋଭିଡ୍‌ କେୟାର୍‌ ସେଣ୍ଟରକୁ ଯାଇଥିଲେ। ଏହି ଘଟଣା ଆଜି ରାଜଧାନୀ‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ରାଜଧାନୀ ଉପକଣ୍ଠ କୋରଡ଼କଣ୍ଟା ଅଞ୍ଚଳରେ ଜଣେ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇଥିଲା। କଣ୍ଟାକ୍ଟ ଟ୍ରେସିଂ ବେଳେ ସେହି ଗ୍ରାମର ଯୋଗେନ୍ଦ୍ର ଜେନାଙ୍କ ଘରେ ରହୁଥିବା ଦୁଇଜଣ ଯୁବକଙ୍କ ସ୍ବାବ୍‌ ପରୀକ୍ଷା ହୋଇଥିଲା। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିବାରୁ ବିଏମ୍‌ସି ସେମାନଙ୍କୁ ଜାମୁଝରିସ୍ଥିତ କୋଭିଡ୍‌ କେୟାର୍‌ ସେଣ୍ଟର୍‌କୁ ନେବା ପାଇଁ ଆମ୍ବୁଲାନ୍ସ ପଠାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣେ କେୟାର ସେଣ୍ଟର୍‌ ଯିବାକୁ ଅମଙ୍ଗ ହୋଇଥିଲେ। ସରପଞ୍ଚ ହସ୍ତକ୍ଷେପ କରିବାରୁ ସେ ତାଙ୍କୁ ମଧ୍ୟ ଧମକାଇଥିଲେ। ଜବରଦସ୍ତି କଲେ ଏଇଠି ହାତ କାଟି ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ। ତେବେ ଯୁବକଜଣଙ୍କ ଦୀର୍ଘ ସମୟ ଧରି ନିଜ ଜିଦ୍‌‌‌ରେ ଅଟଳ ରହିବାରୁ ପୁଲିସ୍‌କୁ ଡକା ଯାଇଥିଲା। ଫଳରେ ଭୟରେ ସେ ଆମ୍ବୁଲାନ୍ସରେ ଚଢ଼ି ଯାଇଥିଲେ।

ତେବେ ବାଟରେ ପୁରୀ ବାଇପାସ୍‌ ନିକଟରେ ଯୁବକଜଣଙ୍କ ପୁଣିଥରେ ଗାଡ଼ି ଭିତରେ ଉତ୍ପାତ ଆରମ୍ଭ କରିଦେଇଥିଲେ। ବାହାରକୁ ପରିସ୍ରା ଯିବା ପାଇଁ କହିଥିଲେ। କିନ୍ତୁ ଗାଡ଼ି ନ ରଖିବାରୁ ଚାଳକ କାନରେ ପରିସ୍ରା କରିଦେ‌ବେ ବୋଲି କହି ଚାଳକ ସିଟ୍‌ ପଛକୁ ଚାଲି ଆସିଥିଲେ। ଭୟରେ ଚାଳକ ଗାଡ଼ି ରଖି ଦେବା ପରେ ଆକ୍ରାନ୍ତଜଣଙ୍କ ଗାଡ଼ିରୁ ଡିଆଁ ମାରି ଏକାନିଶ୍ବାସ‌କେ ପ୍ରାୟ ଦେଢ଼ କିଲୋମିଟର ଦୌଡ଼ି ଯାଇଥିଲେ। ପଛରେ ଥିବା ବିଏମ୍‌ସି ଓ ଏଏନ୍‌ଏମ୍‌ କର୍ମଚାରୀ ତାଙ୍କୁ ଗୋଡ଼ାଇଥିଲେ ହେଁ ଧରି ପାରି ନଥିଲେ। ତେଣୁ ସେମାନେ ବାଧ୍ୟ ହୋଇ ପୁଲିସ୍‌ର ସହାୟତା ନେଇଥିଲେ। ଘଟଣାସ୍ଥଳ ତିନୋଟି ଥାନାର ସୀମାରେ ଥିବାରୁ ପ୍ରଥମେ ମଞ୍ଚେଶ୍ବର ଥାନା, ପରେ ଲକ୍ଷ୍ମୀସାଗର ଓ ସହିଦନଗର ଥାନା ପୁଲିସ ପହଞ୍ଚି ଯାଇଥିଲେ। ସେମାନେ ଚାରିଆଡ଼ୁ ଘେରି ଧରିବା ପାଇଁ ଉଦ୍ୟମ କରିବାରୁ ଆକ୍ରାନ୍ତଜଣଙ୍କ ଟଙ୍କପାଣି ସାଇମନ୍ଦିର ରାସ୍ତା ଦେଇ ବାଲିଅନ୍ତା ଆଡ଼େ ପଳାଇ ଯିବାକୁ ଉଦ୍ୟମ କରିଥିଲେ। ଖବର ପାଇ କିଛି ସ୍ଥାନୀୟ ଲୋକ ଠେଙ୍ଗାବାଡ଼ି ଧରି ଗୋଡ଼ାଇବାରୁ ଆକ୍ରାନ୍ତଜଣଙ୍କ ସେଠାରୁ ଫେରି ଆସି ବାଇପାସ୍‌ ରାସ୍ତାର ଗୋଟିଏ ସ୍ଥାନରେ ବସି ଯାଇଥିଲେ। ସେତିକିବେଳେ ପୁଲିସ ଧରିବା ପାଇଁ ପାଖକୁ ଯିବାରୁ ସେ ଛେପ ପକାଇବାକୁ ଗୋଡ଼ାଇଥିଲେ। କିନ୍ତୁ ଏଥରକ ପୁଲିସ୍‌ ଲାଠି ବାହାର କରି ପିଟିବାକୁ ଉଦ୍ୟତ ହେବାରୁ ଆକ୍ରାନ୍ତଜଣଙ୍କ ସୁନା ପିଲା ପରି ଆମ୍ବୁଲାନ୍ସରେ ବସି ଯାଇଥିଲେ। ଫଳରେ ଜାତୀୟ ରାଜପଥରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ଚାଲିଥିବା ଏହି ଛକାପଞ୍ଝା ଅପରାହ୍‌ଣ ୨ଟା ବେଳେ ସରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe