କରୋନା ବୃଦ୍ଧି ଓ ସ୍ଥାନୀୟ ସଂକ୍ରମଣ ହାରରେ ରାଜ୍ୟକୁ ପଛରେ ପକାଇଲା ରାଜଧାନୀ

Advertisment

ହସ୍ପିଟାଲ ଲିଙ୍କ୍‌ରେ ୭ ଆକ୍ରାନ୍ତ ଚିହ୍ନଟ

ହସ୍ପିଟାଲ ଲିଙ୍କ୍‌ରେ ୭ ଆକ୍ରାନ୍ତ ଚିହ୍ନଟ

କରୋନା ବୃଦ୍ଧି ଓ ସ୍ଥାନୀୟ ସଂକ୍ରମଣ ହାରରେ ରାଜ୍ୟକୁ ପଛରେ ପକାଇଲା ରାଜଧାନୀ

Intelligent Living

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସ୍ଥିତି ଦିନକୁ ଦିନ ବିଗଡ଼ିବାରେ ଲାଗିଛି। କରୋନାର ବୃଦ୍ଧି ହାର ଓ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ହେଲେ ଭୁବନେଶ୍ବର ଏହି ଦୁଇ କ୍ଷେତ୍ରରେ ରାଜ୍ୟକୁ ପଛରେ ପକାଇ ଦେଇଛି। ରାଜ୍ୟରେ ଗତ ୧୨ଦିନରେ କରୋନା ବୃଦ୍ଧି ହାରାହାରି ୫.୬୫ ପ୍ରତିଶତ ରହୁଥିବା ବେଳେ ରାଜଧାନୀରେ ଏହା ୬.୬ ପ୍ରତିଶତ ରହିଛି। ସେହିପରି ସ୍ଥାନୀୟ ସଂକ୍ରମଣ ରାଜ୍ୟରେ ହାରାହାରି ୩୧ ପ୍ରତିଶତ ରହୁଥିବା ବେଳେ ରାଜଧାନୀରେ ଏହା ୩୯ ପ୍ରତିଶତ ରେକର୍ଡ କରାଯାଇଛି।

ଜୁଲାଇ ମାସରେ ରାଜଧାନୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସାରା ଭୁବନେଶ୍ବରରୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜୁଲାଇ ୧ତାରିଖ ବେଳକୁ ବୃଦ୍ଧି ହାର ୩.୯୧ ପ୍ରତିଶତ ରହୁଥିବା ବେଳେ ୧୧ତାରିଖ ସୁଦ୍ଧା ୧୦ ପ୍ରତିଶତ ଛୁଇଁଥିଲା। ସେହିପରି ସ୍ଥାନୀୟ ସଂକ୍ରମଣ ୩୮ ପ୍ରତିଶତ ଚଳିତମାସ ଆରମ୍ଭରେ ଥିବା ବେଳେ ୧୨ତାରିଖ ବେଳକୁ ଏହା ୭୧ ପ୍ରତିଶତରେ ପହଞ୍ଚିଛି। ଏପରିକି ଖୋର୍ଧା ଜିଲ୍ଲାରେ ଯେତିକି ସଂଖ୍ୟକ ରୋଗୀ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ତାହାର ଅଧାରୁ ଅଧିକ ରୋଗୀ କେବଳ ରାଜଧାନୀରୁ ରହିଛନ୍ତି। ସଂଖ୍ୟା ବୃଦ୍ଧି ପାଇ ୫୩.୭୪ ପ୍ରତିଶତରେ ପହଞ୍ଚି ଯାଇଛି। ଯଦି ଏହିଭଳି ଧାରାରେ ରାଜଧାନୀରେ କରୋନା ବୃଦ୍ଧି ଜାରି ରହେ, ତାହାଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ ବୋଲି ଆଶଙ୍କା ଦେଖା ଦେଲାଣି।

publive-image

ବିଶେଷକରି ହସ୍ପିଟାଲ ଗୁଡ଼ିକ ହଟସ୍ପଟ୍ ପାଲଟିଛି। ପରିସ୍ଥିତି ଏପରି ହୋଇଛି ଯେ, ଏମ୍‌ସ କର୍ତୃପକ୍ଷ ନିଜର ଓପିଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏସ୍‌ଓପି ପାଳନ କରିବାରେ ବିଫଳ ହେବା ଯୋଗୁଁ ଏମ୍‌ସରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଏହାସହ ଗୋଟିଏ ଘରୋଇ ହସ୍ପିଟାଲରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାକୁ ସିଲ୍‌ କରି ଦିଆଯାଇଥିଲା। ହସ୍ପିଟାଲ ଗୁଡ଼ିକରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଲୋକମାନେ ଆତଙ୍କିତ ହୋଇ ପଡ଼ିଲେଣି। ବିଶେଷକରି ହଟ୍‌ସ୍ପଟ୍‌ ଜିଲ୍ଲାଗୁଡ଼ିକରୁ ବହୁ ସଂଖ୍ୟାରେ ରୋଗୀ ରାଜଧାନୀକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଠାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏପରିକି ଚିକିତ୍ସା ପାଇଁ ଯାଉଥିବା ରୋଗୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ଯଦି ଆଗକୁ ଏଭଳି ପରିସ୍ଥିତି ଲାଗି ରହିବ ତାହାଲେ ରାଜଧାନୀରେ ଅନେକ ହସ୍ପିଟାଲ ନିଜର ସେବା ବନ୍ଦ କରିଦେବା ଭଳି ପରିସ୍ଥିତି ଉପୁଜିପାରେ। ଯାହାଫଳରେ ଅନ୍ୟ ସାଧାରଣରେ ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସେହିପରି ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବା ଓ ଏହି ଅଞ୍ଚଳକୁ ଗସ୍ତ କରିଥିବା ଅନେକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ରାଜଧାନୀରୁ ପ୍ରତ୍ୟେକ ଦିନ ହଜାର ହାଜର ଲୋକ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ କିଏ କେଉଁ ସ୍ଥାନକୁ ଯାଉଛନ୍ତି ତାହାକୁ ଟ୍ରାକ୍ କରିବା ସମ୍ଭବ ହେଉନାହିଁ। ରାଜଧାନୀରେ କରୋନା ପାଇଁ ସଟ୍‌ଡାଉନ୍‌ଠାରୁ ଆରମ୍ଭ କରି ଘରକୁ ଘର ବୁଲି ସ୍କ୍ରିନିଂ ଜାରି ରହିଛି। ତଥାପି ରାଜଧାନୀରେ ଏ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସିପାରି ନାହିଁ।

ହସ୍ପିଟାଲ ଲିଙ୍କ୍‌ରେ ୭ ଆକ୍ରାନ୍ତ ଚିହ୍ନଟ
ରାଜଧାନୀରେ ଦିନକୁ ଦିନ ହସ୍ପିଟାଲରେ ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହାର ଅଧା ହସ୍ପିଟାଲ ଲିଙ୍କରେ ଚିହ୍ନଟ ହୋଇଛନ୍ତି।

୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ବେଳେ ୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। କାନନବିହାର ଫେଜ୍-୨ ଓ ବମିଖାଲ ଜୟଦୁର୍ଗା ନଗରରୁ ୭୫ ଓ ୪୦ବର୍ଷର ୨ଟି କେସ୍ ରହିଛି। ଏହାସହ କ୍ୟାପିଟାଲ ହସ୍ପିଟାଲରୁ ୨ଜଣ, ପାତ୍ରପଡ଼ାରୁ ଏମ୍‌ସର ଓ ଘରୋଇ ହସ୍ପିଟାଲର ଜଣେ ଲେଖାଏ କର୍ମଚାରୀ ଅଛନ୍ତି। ଏହାବାଦ୍ ନୂଆପଲ୍ଲୀ ମହିମା ଢାବା ନିକଟ, ୟୁନିଟ୍‌-୬ ରାଧାକୃଷ୍ଣ ତଳ ବସ୍ତି, ୟୁନିଟ୍‌-୯ର ରୋଡ୍‌-୮ରୁ ପଜିଟିଭ୍ ବାହାରିଛନ୍ତି।

ସେହିପରି ସଙ୍ଗରୋଧରୁ ବାହାରିଥିବା ୪ଜଣଙ୍କ ମଧ୍ୟରୁ ଜଣେ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି। ୟୁନିଟ୍‌-୬ ଓ ୟୁନିଟ୍‌-୫ କେଶରୀନଗର ଅଞ୍ଚଳରୁ ୨ଜଣ ପଜିଟିଭ୍ ହୋଇଛନ୍ତି। ଏହି ୪ଜଣ ଆକ୍ରାନ୍ତ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ଏବେ ୩୫୩ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe