ଏଣିକି କଟକଣା କଡ଼ାକଡ଼ି, ନିୟୋଜିତ ହେଲେ ୧୦ କେନ୍ଦ୍ରୀୟ ଟିମ୍‌, ୨୦ ଅଫିସର

ଏଣିକି କଟକଣା କଡ଼ାକଡ଼ି, ନିୟୋଜିତ ହେଲେ ୧୦ କେନ୍ଦ୍ରୀୟ ଟିମ୍‌, ୨୦ ଅଫିସର

ଭୁବନେଶ୍ବର : ରାଜଧାନୀରେ କୋଭିଡ୍‌ କଟକଣା କଡ଼ାକଡ଼ି କରିଛି କମିସନରେଟ୍‌ ପୁଲିସ। ଗତକାଲି ମୁଖ୍ୟମନ୍ତ୍ରୀ ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କାରିବା ପରେ ପୁଲିସ ପକ୍ଷରୁ ଚଢ଼ଉ ବ୍ୟାପକ କରାଯାଇଛି। ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ କମିସନର ରେଖା ଲୋହାନୀ ଓ ଡିସିପି ଉମାଶଙ୍କର ଦାଶଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସହରସାରା ବୁଲି ସଚେତନ କରାଇଛନ୍ତି। ମାର୍କେଟ୍‌ ବିଲ୍ଡିଂ ସମେତ ମାଷ୍ଟର କ୍ୟାଣ୍ଟିନ୍‌, ରେଳଷ୍ଟେସନ, ବିମାନବନ୍ଦର, ବଡ଼ ବଡ଼ ମଲ ପ୍ରଭୃତି ବୁଲି ସ୍ଥିତି ପରଖିଛନ୍ତି। ଏ ନେଇ କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ପ୍ରତ୍ୟେକ ଥାନା ଅଧୀନରେ ଦୁଇଟି ଦୁଇଟି ଟିମ୍‌ ଗଠନ କରାଯାଇଥିବା ବେଳେ ୨୦ ଅଫିସର ଓ ଫୋର୍ସଙ୍କୁ ନେଇ ୧୦ଟି କେନ୍ଦ୍ରୀୟ ଟିମ୍‌ ଗଠିତ ହୋଇଛି। ପ୍ରତ୍ୟେକ ପିସିଆାରକୁ ମଧ୍ୟ ଦାୟିତ୍ବ ଦିଆଯାଇଛି। ଏମାନେ ଆଇନଶୃଙ୍ଖଳା ସହ କୋଭିଡ୍‌ ଉଲ୍ଲଂଘନ ଉପରେ କଡ଼ା ନଜର ରଖିବେ। କେଉଁ କେଉଁ ସ୍ଥାନରେ ଗହଳି ହେଉଛି ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ଏହି ସ୍ବତନ୍ତ୍ର ଦଳ ଏହି ସବୁ ସ୍ଥାନଗୁଡ଼ିକ ଉପରେ ନଜର ରଖି‌ବା ସହ କୋଭିଡ୍‌ ନିୟମ ଉଲ୍ଲଂଘନ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କୌଣସି ସ୍ଥିତିରେ କୋଭିଡ୍‌ କଟକଣା ଉଲ୍ଲଂଘନକାରୀକୁ କ୍ଷମା କରାଯିବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କମିସନରଙ୍କ ଆଦେଶ କ୍ରମେ ପ୍ରତ୍ୟେକ ଥାନାରେ ଗଠିତ ଟିମ୍‌ କାର୍ଯ୍ୟାନୁଷ୍ଠାନ ସହ ସଚେତନତା ଜାରି ରଖିଛି। ଗତକାଲି ଥାନାଞ୍ଚଳରେ ଥିବା ହାଟ ଓ ବଜାର କମିଟି ସଦସ୍ୟଙ୍କ ସହ ଆଲୋଚନା କରି କୋଭିଡ୍‌ କଟକଣାକୁ ନେଇ ସଚେତନ କରାଯାଇଛି। ଗ୍ରାହକଙ୍କ ସହ ବ୍ୟବସାୟୀମାନେ କିଭଳି ମାସ୍କ, ସାମାଜିକ ଦୂରତା ଓ ହାତ ସାନିଟାଇଜ୍‌ କରିବା ନେଇ ତତ୍ପର ରହିବେ ସେ ନେଇ ବୁଝା ଯାଉଛି। ବଡ଼ ବଡ଼ ମଲ୍‌ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହି କଟକଣାକୁ ନିଶ୍ଚିତ କରିବା ପାଇଁ ସ୍ବତନ୍ତ୍ର ଭଲ୍ୟୁଣ୍ଟିୟର ରଖିବାକୁ କୁହାଯାଇଛି। ଏ ସବୁ ହେଉଛି କି ନାହିଁ ନିୟମିତ ତଦାରଖ କରୁଛି ଏହି ସ୍ବତନ୍ତ୍ର ଟିମ୍‌। କେବଳ କାର୍ଯ୍ୟାନୁଷ୍ଠାନ ହେଲେ କୋଭିଡ୍‌ ମୁକାବିଲା ସମ୍ଭବ ହେବ ନାହିଁ। ଏଣୁ ଲୋକମାନଙ୍କର ସହଯୋଗ ଏକାନ୍ତ ଜରୁରୀ ବୋଲି ସେ କହିଛନ୍ତି।

ତୁରନ୍ତ ହଷ୍ଟେଲ୍‌ ଖାଲି କର: ବିଏମ୍‌ସି
ଭୁବନେଶ୍ବର : ରାଜଧାନୀର ସମସ୍ତ +୨ ଓ ଡିଗ୍ରି କଲେଜ କର୍ତ୍ତୃପକ୍ଷ ତୁରନ୍ତ ହଷ୍ଟେଲ୍ ଖାଲି କରିବାକୁ ବିଏମ୍‌ସି ଆଜି ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀଙ୍କର ପରୀକ୍ଷା ସରିଲାଣି ବା ଏବେ ପରୀକ୍ଷା ନାହିଁ; ସେମାନଙ୍କୁ ତୁରନ୍ତ ହଷ୍ଟେଲରୁ ଘରକୁ ପଠାଯାଉ। ଯେଉଁ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଅଛି ସେମାନଙ୍କୁ ବି ଯଥା ସମ୍ଭବ ଶୀଘ୍ର ହଷ୍ଟେଲ ଛାଡ଼ିବାକୁ କୁହାଯାଉ। ଏ ନେଇ ସେମାନଙ୍କ ଅଭିଭାବକଙ୍କୁ ତୁରନ୍ତ ଜଣାଯାଉ। ଯଦି ଆଗକୁ ପରୀକ୍ଷା ଥିବା ଛାତ୍ରଛାତ୍ରୀ ହଷ୍ଟେଲରେ ରହିବେ, ତେବେ ଗୋଟିଏ ରୁମ୍‌ରେ ଜଣେ ଅନ୍ତେବାସୀ ରହିବାର ବ୍ୟବସ୍ଥା କରାଯିବ। ଏହାସହ ସଦାବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ, କରିଡର ଓ କମନ୍‌ ରୁମ୍‌ରେ ହାତ ଧୋଇବା ବ୍ୟବସ୍ଥା ହେବା ଦରକାର। ଯେଉଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ଘରକୁ ପଠାଯିବ ସେମାନଙ୍କ ଅଭିଭାବକଙ୍କୁ ଆଗୁଆ ସୂଚନା ଦେବାକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍‌ କଟକଣା କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe