Zee News
ଭୁବନେଶ୍ବର : ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ କୋଭିଡ ଟିକା ଦେବା ପାଇଁ ଲୋକସେବା ଭବନରେ ହେବ ଟିକାକରଣ କେନ୍ଦ୍ର। ଏନେଇ ଲୋକସେବା ଭବନ ପରିସରରେ ଆବଶ୍ୟକ ସ୍ଥାନ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।
ଏବେ ସରକାରୀ କର୍ମଚାରୀମାନେ ବିଧାନସଭା ଡିସ୍ପେନ୍ସେରିରେ କୋଭିଡ ଟିକା ନେଉଛନ୍ତି। ଏଥିପାଇଁ ସେମାନଙ୍କୁ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ୁଛି। ଫଳରେ ଅଫିସ କାମ ମଧ୍ୟ ବ୍ୟାହତ ହେଉଛି। ମହିଳା କର୍ମଚାରୀ ଓ ବୟସ୍କ ଅଧିକାରୀମାନଙ୍କୁ ମଧ୍ୟ ଠିଆ ହେବାକୁ ପଡ଼ୁଛି। ବିଧାନସଭା ଡିସ୍ପେନ୍ସେରି ଛୋଟିଆ ସ୍ଥାନ ହୋଇଥିବାରୁ ବିଭିନ୍ନ ବିଭାଗର କର୍ମଚାରୀମାନେ ସେଠାରେ ଏକାଠି ହେଉଥିବାରୁ କୋଭିଡ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ଉପଲବ୍ଧି କରି ଗତ ୫ତାରିଖରେ ଓଡ଼ିଶା ସଚିବାଳୟ ସେବା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଲୋକସେବା ଭବନ ପରିସରରେ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଥିଲା। ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ଜଣାଇଥିଲେ, ଲୋକସେବା ଭବନ ପରିସରରେ ଗୋଟିଏ ଡିସ୍ପେନ୍ସେରି ରହିଛି। ସେଠାରେ ଟିକାକରଣ କରିବା ପାଇଁ ଭିତ୍ତିଭୂମି ଓ ସୁବିଧା ବି ରହିଛି। ଲୋକସେବା ଭବନ ପରିସରରେ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବାକୁ ପର୍ଯ୍ୟାପ୍ତ ସ୍ଥାନ ବି ରହିଛି।
Follow Us