ରାଜଧାନୀ @ ୭୫: ମାଡ଼ିଆସୁଛି ବିପଦ

ରାଜଧାନୀ @ ୭୫: ମାଡ଼ିଆସୁଛି ବିପଦ

ଭୁବନେଶ୍ବର: ଦିନ ଥିଲା ସବୁଜିମାରେ ହସି ଉଠୁଥିଲା ଭୁବନେଶ୍ବର। ଭଳି କି ଭଳି ଗଛଲତାରେ ପରିପୂର୍ଣ୍ଣ ଥିଲା। ଯୁଆଡ଼େ ଅନେଇଲେ କେବଳ ଗଛ ହିଁ ଗଛ। ଧଉଳି, ଖଣ୍ଡଗିରି, ଉଦୟଗିରି, ଶିଖରଚଣ୍ଡୀ, ଜୟଦେବ ବାଟିକା ଘଞ୍ଚ ଅରଣ୍ୟମୟ ହୋଇଥିଲା। ହେଲେ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି। ଏବେ ନା ଅଛି ଘଞ୍ଚ ଜଙ୍ଗଲ ନା ଦେଖିବାକୁ ମିଳୁଛନ୍ତି ବାଘ, ଭାଲୁ, ହାତୀ। ବିକାଶର ଦ୍ବାହି ଦେଇ ମଣିଷ ନଷ୍ଟ କରିଚାଲିଛି ଜଙ୍ଗଲ। ସହରରେ ଏବେ ବର ଗଛ ଛାଇ ସାତ ସପନ ପାଲଟିଛି। ଆମ୍ବ, ପଣସ, ଜାମୁ, ପିଜୁଳି ପରି ଦେଶୀ ଗଛ ଲୋପ ପାଇବାକୁ ବସିଛି। ତା’ ଜାଗା ନେଉଛି ଅନ୍ୟ ରାଜ୍ୟରୁ ଆମଦାନୀ ଗଛ। ଫଳରେ ଫେବ୍ରୁଆରିରୁ ତାତି ଅସହ୍ୟ ହେଉଛି। ଏପ୍ରିଲରେ ପାରଦ ୪୦ ଡିଗ୍ରି ଡେଇଁବାରୁ ଛଟପଟ ହେଉଛନ୍ତି ସହରବାସୀ। ଦିନ ଦିପହରରେ ରାସ୍ତାରେ ମରିଚୀକାର ଭ୍ରମ ସୃଷ୍ଟି ହେଉଛି। ଯୁଆଡେ ଚାହିଁଲେ କେବଳ ଧୂଆଁ ଦେଖିବାକୁ ମିଳୁଛି। ସନ୍ଧ୍ୟାରେ ବି ଆଉ ଶୀତଳ ପବନ ବହୁନାହିଁ। ଏସବୁ ଭବିଷ୍ୟତ ପାଇଁ ବିପଦ ହେବାକୁ ଯାଉଛି। ଯଦି ଏବେଠାରୁ ସତର୍କ ନ ହେବା ତା’ହେଲେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ ହେବ।

କଂକ୍ରିଟ୍ ଖାଉଛି ସବୁଜିମା

publive-image

ରାଜଧାନୀ ପ୍ରତିଷ୍ଠା ସମୟରେ ଘଞ୍ଚ ଜଙ୍ଗଲ ରହିଥିଲା। କିନ୍ତୁ ଏବେ ଗଛ ଛାଇ ଖୋଜି ପାଇବା ମୁସ୍କିଲ୍ ହୋଇପଡ଼ିଛି। ୯୦ ଦଶକ ପରେ ବିକାଶ ନାଁରେ ଭୁବନେଶ୍ବରର ସବୁଜିମାକୁ ବିନାଶ କରାଯାଉଛି। ଗତ ତିନି ଦଶନ୍ଧି ମଧ୍ୟରେ ଲକ୍ଷାଧିକ ମୂଲ୍ୟବାନ ଗଛ ରାଜଧାନୀରୁ ବିଲୁପ୍ତ ହୋଇଯାଇଛି। ଯେଉଁଥିରେ ଅଧିକ ପରିମାଣର ବରଗଛ, ଓସ୍ତଗଛ ଓ ନିମ୍ବଗଛ ରହିଛି। ଗଛକୁ ଗୋଟିଏ ଜାଗାରୁ ମୂଳ ସହ ଉପାଡ଼ି ନେଇ ଅନ୍ୟ ସ୍ଥାନରେ ରୋପଣ କରାଯିବାର ଆଧୁନିକ ଜ୍ଞାନକୌଶଳ ବାହାରିଥିଲେ ହେଁ ତା’ର ଉପଯୋଗ କରାଯାଇ ନାହିଁ। ବିଧାୟକ କଲୋନି, ୟୁନିଟ୍-୧, ୟୁନିଟ୍-୨, ୟୁନିଟ୍-୯, ୟୁନିଟ୍-୪, ଆଇଆରସି ଭିଲେଜ୍ ପରି ଅଞ୍ଚଳରେ ଦେଖିବାକୁ ମିଳୁଥିବା ଆମ୍ବ, ଜାମୁ ଓ ପଣସ ଗଛ ପ୍ରତି ଏବେ ବିପଦ ମାଡ଼ି ଆସିଛି। ପୁରୁଣା ଘର ଭଙ୍ଗାଯାଇ ନୂଆ ଅଟ୍ଟାଳିକା ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବାରୁ ରାଜଧାନୀ ହୃତପିଣ୍ଡରୁ ଉକ୍ତ ଦେଶୀ ଗଛ କଟିବା ଏକପ୍ରକାର ଥୟ।

ବରଗଛ ଏବେ ଇତିହାସ

publive-image myUpchar

ଭୁବନେଶ୍ବରକୁ ପ୍ରବେଶ କରିବା କ୍ଷଣି ଯାତ୍ରୀଙ୍କୁ ସ୍ବାଗତ କରୁଥିଲା ବରଗଛ। କଟକରୁ ଆସୁଥିବା ଯାତ୍ରୀମାନେ ହଂସପାଳ, ପଳାସୁଣି ପାଖରେ ଥିବା ବରଗଛ ତଳେ ଟିକିଏ ସମୟ ଛିଡ଼ା ହୋଇ ଥକ୍କା ମେଣ୍ଟାଉଥିଲେ। ପୁରୀ ଆଡ଼ୁ ଆସୁଥିବା ଯାତ୍ରୀଙ୍କୁ ଶାନ୍ତି ଦେଉଥିଲା କଳ୍ପନା ଛକର ବରଗଛ। ସିଆର୍‌ପିସ୍ଥିତ ଆଦିବାସୀ ସଂଗ୍ରହାଳୟ ସମ୍ମୁଖ ହେଉ ଅଥବା ଖଣ୍ଡଗିରି ଛକ, ପୁରୁଣା ଷ୍ଟେସନ୍ ରୋଡ୍ ହେଉ କି ରାଜମହଲ ଛକ; କେଉଁ କାଳରୁ ଛିଡ଼ା ହୋଇଥିବା ବରଗଛକୁ ଆଜି ବି ଅନେକେ ମନେ ରଖିଛନ୍ତି। ଆଜି ସେ ବୁଢ଼ା ବରଗଛ ଆଉ ନାହିଁ କି ତା ଶୀତଳ ଛାଇ ମିଳୁନି। ରାସ୍ତା ଚଉଡ଼ା ଆଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ବଳି ପଡ଼ିଛି କେଉଁ ପୁରୁଷରୁ ଛିଡ଼ା ହୋଇଥିବା ଅନେକ ବୁଢ଼ା ବରଗଛ। ଏବେ ଓୟୁଏଟି ସମେତ ହାତଗଣତି ଆଉ କେତେକ ସ୍ଥାନରେ ବରଗଛ ବଞ୍ଚି ରହିଛି। ଗୋଟିଏ ବରଗଛ ତା’ର ଜୀବନକାଳ ଭିତରେ ୨୫ ଲକ୍ଷ ଟଙ୍କାର ଅମ୍ଳଜାନ ଦିଏ। ପୁଣି ଯଦି ୨ କଡ଼ରେ ଗଛ ଥାଏ, ସେଠି ତାପମାତ୍ରା ୭ରୁ ୧୦ ଡିଗ୍ରି ସେଲ୍‌ସିୟସ କମ୍ ଅନୁଭୂତ ହୁଏ।

କଟୁଛି ଦେଶୀ, ଲାଗୁଛି ବିଦେଶୀ

publive-image ଆଲୋକମାଳାରେ ଝଲସୁଛି ଖାରବେଳ ଭବନ

ବିକାଶ ଲାଗି ବିଗତ ଦୁଇ ଦଶନ୍ଧି ମଧ୍ୟରେ ଲକ୍ଷାଧିକ ଗଛ ବଳି ପଡ଼ିଛି। ମାତ୍ର ବାତ୍ୟା ‘ଫନି’ ପ୍ରଭାବରେ ସହରର ସବୁଜିମା ସମ୍ପୂର୍ଣ୍ଣ ଉଜୁଡ଼ି ଗଲା। ୩୦ ହଜାର ଗଛ ଭାଙ୍ଗି ପଡ଼ିଥିବା ବେଳେ ପାଖାପାଖି ୧୦ ହଜାର ଗଛ ପୁନରୁଦ୍ଧାର ଦିଗରେ ପ୍ରଶାସନ ପଦକ୍ଷେପ ନେଇଥିଲା। ସେଥିରୁ ଅଳ୍ପ ଗଛ ବଞ୍ଚିଥିବା ବେଳେ ଅଧିକାଂଶ ଗଛ ମରିଯାଇଥିଲା। ସବୁଜିମାକୁ ଫେରାଇ ଆଣିବା ଲାଗି ବାତ୍ୟା ପରେ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ୧୨ରୁ ୧୫ ଫୁଟ ଉଚ୍ଚତାର ଗଛ ଅଣାଯାଇ ରାସ୍ତା ପାର୍ଶ୍ବରେ ପୋତାଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମ, ବନ ବିଭାଗ, ବିଏମ୍‌ସି ଓ ବିଡିଏ କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ୬୦ ହଜାରରୁ ଅଧିକ ବଉଳ, ନିମ୍ବ, କରଞ୍ଜ, ପାଟୁଳି ଭଳି ବିଦେଶୀ ପ୍ରଜାତିର ଗଛ ଲାଗିଥିଲେ ମଧ୍ୟ ତାହା ସହରବାସୀଙ୍କ ଉପଯୋଗୀ ହୋଇପାରି ନାହିଁ।

ଉଜୁଡ଼ିଗଲାଣି ଚାଷ ଜମି

ଭୁବନେଶ୍ବର ଆଇଆଇଟି ନେତୃତ୍ବରେ ୪ ବର୍ଷ ପୂର୍ବେ ୨୦୦୦ ଓ ୨୦୧୪ ମସିହାର ସାଟେଲାଇଟ୍ ତଥ୍ୟକୁ ତର୍ଜମା କରାଯାଇ ପ୍ରସ୍ତୁତ ରିପୋର୍ଟରେ ସହରରେ ଚାଷ ଓ ଜଙ୍ଗଲ ଜମି କରୁଥିବାର ତଥ୍ୟ ସାମ୍ନାକୁ ଆସିଥିଲା। ୨୦୦୦ରେ ଭୁବନେଶ୍ବର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚାଷ ଓ ଜଙ୍ଗଲ ଜମି ୪୩.୧୦ ବର୍ଗ କିମି ରହିଥିଲା। ତେବେ ୨୦୧୪ ବେଳକୁ ଜମି ପରିମାଣ ବହୁ ପରିମାଣରେ ହ୍ରାସ ପାଇ ୭.୪୬ ବର୍ଗ କିମିରେ ପହଞ୍ଚିଥିଲା। ଗତ ୮ ବର୍ଷ ମଧ୍ୟରେ ସହରୀକରଣ ବଢ଼ିବା ଫଳରେ ସହରରେ ଚାଷ ଜମି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ବିଏମ୍‌ସି ଅଞ୍ଚଳର କୌଣସି ବି ସ୍ଥାନରେ ଆଉ ଚାଷ ହେଉ ନାହିଁ। ଉପକଣ୍ଠରେ ବିଲ୍‌ଡରଙ୍କ ପତିଆରା ପରେ ସେଠାରୁ ବି ଚାଷ ଜମି ଉପୁଡ଼ିବାରେ ଲାଗିଛି। ଖୋର୍ଧା, ବାଲିଅନ୍ତା, ବାଲିପାଟଣା, ପିପିଲି ବ୍ଲକରେ ବି ସହରୀକରଣ ଛାପ ବାଜିଛି। ୨୦୦୦ ମସିହାରେ କଟକ-ଭୁବନେଶ୍ବର ଟୁଇନ୍ ସିଟି ମଝିରେ ଖାଲି ପଡ଼ିଥିବା ଚାଷ ଜମି ଓ ଗଛଗୁଡ଼ିକ କଟାଯାଇ ଏବେ ବିଶାଳ କୋଠାମାନ ଛିଡ଼ା ହୋଇଛି। ସ୍ଥିତି ଏମିତି ହୋଇଛି ଯେ ବର୍ଷା ଜଳ ନିଷ୍କାସନ ଲାଗି ବାଟ ନାହିଁ। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେଠାରୁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଅଭୟାରଣ୍ୟକୁ ବି ଧସେଇ ପଶିଲେଣି

publive-image Travel Mail

ସହରକୁ ଲାଗିରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଉପରେ ଏବେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ସହରୀକରଣ ନାରା ଦେଇ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଧସେଇ ପଶୁଛନ୍ତି ରାଜ୍ୟ ସରକାର। ଶାଗ ମାଛ ଦରରେ ବିଭିନ୍ନ ସଂସ୍ଥା ହାତକୁ ଟେକି ଦେଉଛନ୍ତି ଜଙ୍ଗଲ ଜମି। ସେ ଶିଖରଚଣ୍ଡୀ ପାହାଡ଼ ନିକଟ ହନୁମାନ ମୁଣ୍ଡିଆ ହେଉ ଅଥବା ଭରତପୁର ଜଙ୍ଗଲ ଜମିରେ ୨୦୦ ଫୁଟିଆ ରାସ୍ତା। ଭବିଷ୍ୟତ ପିଢ଼ିଙ୍କ କଥା ଚିନ୍ତା ନ କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ଏହାଦ୍ବାରା ବିକାଶ ହେଉଥିବା କଥା ସତ। ମାତ୍ର ପ୍ରଭାବ ଏବେଠାରୁ ବାରି ହୋଇପଡ଼ିଲାଣି। ଗ୍ରୀଷ୍ମ ଦିନେ ରାଜ୍ୟର ଅନ୍ୟାନ୍ୟ ସହର ତାପମାତ୍ରା ୪୦ ଡିଗ୍ରି ଭିତରେ ଥିବା ବେଳେ ଭୁବନେଶ୍ବର ୪୧ ଡିଗ୍ରିରେ ଆଉଟୁପାଉଟୁ ହେଉଛି। ବିଶେଷଜ୍ଞମାନଙ୍କ କହିବା କଥା ହେଉଛି ଏଥିପାଇଁ ଆମେ ନିଜେ ହିଁ ଦାୟୀ। ଘର କରରିବାକୁ ଗଛ କାଟୁଛୁ। ମାତ୍ର ଗଛ ଲଗାଉ ନାହୁଁ। ଏବେ ସ୍ଥିତି ଏମିତି ହେଲାଣି ଯେ ନୂଆ ଗଛ ଲଗାଇବାକୁ ଭୁବନେଶ୍ବରରେ ଜାଗା ହିଁ ନାହିଁ। ଏବେଠାରୁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ବିଲ୍‌ଡିଂ କିମ୍ବା ରାସ୍ତା ପ୍ଲାନ ଅନୁମୋଦନ ସମୟରେ ଗଛ ଲଗାଇବା ଲାଗି ଜାଗା ରଖିବା ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି। କିଛି ନ ହେଲେ ଘର ଛାତ ଉପରେ କିଛି ସ୍ଥାନରେ କୁଣ୍ଡିଆରେ ଗଛ ପୋତି ରଖାଯାଇପାରେ। ଫଳରେ ଗ୍ରୀଷ୍ମ ଦିନେ ଘର ଭିତରକୁ ସେତେଟା ଖରା ପ୍ରଭାବ ପଡ଼ିବ ନାହିଁ। ଛାତ ଉପର ସବୁଜିମା ରହିବା ଦ୍ବାରା ଉପକାର ମଧ୍ୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe