ଶ୍ରୀଲିଙ୍ଗରାଜ ମନ୍ଦିରରେ ଫାଟ ଘଟଣା: ବାଡ଼ା ବାନ୍ଧିଲା ଏଏସ୍‌ଆଇ

Advertisment
ଶ୍ରୀଲିଙ୍ଗରାଜ ମନ୍ଦିରରେ ଫାଟ ଘଟଣା: ବାଡ଼ା ବାନ୍ଧିଲା ଏଏସ୍‌ଆଇ

Times of India

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟ ଘଟଣାକୁ ଗୁରୁତ୍ବର ସହ ନେଇଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)। ଫାଟଗୁଡ଼ିକୁ ଅନୁଧ୍ୟାନ କରିବା ସହ ମରାମତି କରିବାକୁ ବାଡ଼ା ବାନ୍ଧିଛି ଏଏସ୍‌ଆଇ। ଏବେ ସିଂହଦ୍ବାର ଗୁମୁଟ (ପ୍ରବେଶ ପଥ)ରେ ଲୁହା ବାଡ଼ା ବାନ୍ଧିଛି। ପାରମ୍ପରିକ ଅଠା ଲଗାଇ ଫାଟ ମରାମତି କରିବା ସହ ଆବଶ୍ୟକସ୍ଥଳେ ପୁରୁଣା ପଥର ବାହାର କରାଯାଇ ନୂତନ ପଥର ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ମନ୍ଦିର ସିଂହଦ୍ବାରରେ ଅସ୍ଥାୟୀ କବାଟ ଲଗାଇବା ବେଳେ କାନ୍ଥରେ ଫାଟ ଦେଖାଯାଇଥିଲା। ଏହାବାଦ୍‌ ପୁରୁଣା ପିତଳ କବାଟ କିଳିଣି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ପର୍ଯ୍ୟନ୍ତ ଥିବା ଫାଟ ଓ ଗର୍ଭଗୃହ ଦ୍ବାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହାପରେ ଆଜି ଏଏସ୍ଆଇର ଅଧିକାରୀମାନେ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ପୂର୍ବରୁ ବେଶ୍‌ ଛୋଟଥିବା ଏହି ଫାଟ ଏବେ କ୍ରମଶଃ ମେଲି ମେଲି ଆଁ କରୁଥିବାରୁ ଏଏସ୍‌ଆଇ ତତ୍ପର ହୋଇଉଠିଛି। ଲୁହା ବାଡ଼ା ବାନ୍ଧି ମରାମତି କାମ ଆରମ୍ଭ କରାଯାଇଛି। ପ୍ରଥମେ ଫାଟଗୁଡ଼ିକ ବାବଦରେ ଅନୁଧ୍ୟାନ କରାଯିବ। କେଉଁ କେଉଁ ପଥରସବୁ ବାହାର କରାଯିବ, ତାହାକୁ ଚିହ୍ନଟ କରାଯାଇଛି। ତେବେ ଯେଉଁଠାରେ ଛୋଟ ଫାଟ ରହିଛି କିମ୍ବା ପଥର ବାହାର କରିବା ସମ୍ଭବ ହେବନାହିଁ, ସେଠାରେ ପ୍ରାକୃତିକ ଉପାୟରେ ଗ୍ରାଉଟିଙ୍ଗ୍‌ କରାଯିବ।

ଏଥିପାଇଁ ଝୁଣା, ଚୂନ, କଇଁଥ ଅଠା, ପଥରଗୁଣ୍ଡ, ପିଙ୍କ୍‌ ରଙ୍ଗ ମିଶି ଏକ ପ୍ରାକୃତିକ ଅଠା ତିଆରି କରି ଲଗାଯିବ। ପ୍ରକାଶ ଥାଉକି, ମନ୍ଦିର ସିଂହଦ୍ବାରର ପ୍ରବେଶ ପଥ ଉପରେ ଥିବା ମଝି କଳସ କଡ଼ ପଥରରେ ବଡ଼ ଫାଟ ରହିଛି। ଏହି ଫାଟ ଦିନକୁ ଦିନ ମେଲିମେଲି ବଡ଼ ହେଉଛି। ତେବେ ମନ୍ଦିରରେ ପାଣି ଗଳୁଥିବା ସମସ୍ୟା ସମାଧାନ ପାଇଁ ଏଏସ୍ଆଇ ପକ୍ଷରୁ କାମ ଚାଲିଛି। ରୋଷଘରେ ଗଛ ଉଠିଥିବା ବେଳେ ରୋଷଘରର ମରାମତି କାମ, କୋଠ ରୋଷ ଚୁଲି ତିଆରି ଓ କବାଟ ଲାଗିବା କାମ ଖୁବ୍‌ ଶୀଘ୍ର କରାଯିବ ବୋଲି ଏଏସ୍ଆଇ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe