ଛାତ ଉପରେ ଉନ୍ମତ୍ତ ଯୁବକର ଉତ୍ପାତ : ୪ ଘଣ୍ଟା ପରେ କାବୁ କଲା ଅଗ୍ନିଶମ ବାହିନୀ

Advertisment
ଛାତ ଉପରେ ଉନ୍ମତ୍ତ ଯୁବକର ଉତ୍ପାତ : ୪ ଘଣ୍ଟା ପରେ କାବୁ କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର : ଆଜି ଅପରାହ୍‌ଣରେ ବରମୁଣ୍ଡା ଗାଁ ଭିତରେ ଜଣେ ଉନ୍ମତ୍ତ ଯୁବକର ଉତ୍ପାତ ସମଗ୍ର ଗାଁରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଯୁବକଜଣକ କଟକର ସେକ୍‌ ଜମୀର ଓରଫ୍ ରାଜା ବୋଲି ଜଣାପଡ଼ିଛି। ଛାତ ଉପରେ ଚଢ଼ି ଯୁବକଜଣକ ଏଣୁତେଣୁ ଗାଳିମନ୍ଦ କରିବା ସହ ଲୋକଙ୍କୁ ଟେକାପଥର ମାଡ଼ ମାରିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଗାଁର ଉକ୍ତ ଦାଣ୍ଡ ବା ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଥିଲା। ପାଖ ପଡ଼ୋଶୀମାନେ ଭୟରେ ଘର କବାଟ ବନ୍ଦ କରି ଦେଇଥିଲେ। ଗ୍ରାମବାସୀମାନେ ତାକୁ ଆୟତ୍ତ କରିବାରେ ବିଫଳ ହେବା ପରେ ପୁଲିସ ଓ ଅଗ୍ନିଶମ ବାହିନୀର ସହଯୋଗ ଲୋଡ଼ା ପଡ଼ିଥିଲା। ଦୀର୍ଘ ୪ ଘଣ୍ଟାର ଅପରେସନ୍‌ ପରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତାକୁ କାବୁ କରିଥିଲେ। ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେ ନିଶାସକ୍ତ ଏବଂ ମାନସିକ ବିକା‌ରଗ୍ରସ୍ତ ବୋଲି ତାକୁ ଜାଣିଥିବା କିଛି ଲୋକ ଆଲୋଚନା କରୁଛନ୍ତି।

publive-image

ଗ୍ରାମବାସୀଙ୍କ କହିବା ଅନୁସାରେ, ଆଜି ରାଜା ହଠାତ୍ ଏକ ଘରର ଛାତ ଉପରେ ଚଢ଼ି ବଡ଼ ପାଟିରେ ଚିତ୍କାର କରିଥିଲା। ଉକ୍ତ ଘରେ ତାକୁ ଧୋକା ଦେଇଥିବା ପ୍ରେମିକା ରହୁଛି ଓ ତାକୁ ଆଜି ମାରିବି ବୋଲି କହିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ମଧ୍ୟ ସେ ଗାଳିଗୁଲଜ କରିଥିଲା। କିଛି ଯୁବକ ତଳେ ଥାଇ ପ୍ରତିବାଦ କରିବାରୁ ସେ ଉପରୁ ଟେକା ମାଡ଼ କରିଥିଲା। ତେଣୁ ଭୟରେ ଲୋକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। କିଛି ପାଖ ପଡ଼ୋଶୀ ଘଟଣା କ’ଣ ଜାଣିବା ପାଇଁ ବାହାରକୁ ଆସିଥିଲେ। ରାଜା ସେମାନଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳି କରିଥିଲା ଓ ଟେକା ଫୋପାଡ଼ିଥିଲା। ଖବର ପାଇ ଗାଁର କିଛି ଯୁବକ ସେଠାରେ ପହଞ୍ଚି ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ସେ ଟେକା ମାଡ଼ କରିବାରୁ ଯୁବକମାନେ ବାଉଁଶ ଆଣି ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଛାତକୁ ବାଉଁଶ ପଡ଼ିବା ଦେଖି ସେ ଗୋଟିଏ ଛାତରୁ ଅନ୍ୟ ଛାତକୁ ଡେଇଁ ଅଧିକ ଉତ୍ପାତ କରିଥିଲା। କେହି ତାକୁ ଧରିବାକୁ ଚେଷ୍ଟା କଲେ, ସେ ନିଜ ବେକକୁ ବ୍ଲେଡ୍‌ରେ କାଟି ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା। ତେଣୁ ଗାଁ ଯୁବକମାନେ ତା’ ନିକଟକୁ ଯିବାକୁ ଡରିଥିଲେ।

ଶେଷରେ ଖଣ୍ଡଗିରି ଥାନା ପୁଲିସ ଓ ବରମୁଣ୍ଡା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ପରେ ସେଠାରେ ପ୍ରବଳ ଜନଗହଳି ସୃଷ୍ଟି ହୋଇଥିଲା। ତେବେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ କୌଶଳ କରି ରାଜାକୁ ଧରିଥିଲେ। ପୁଲିସ ସୂଚନାନୁସାରେ, ସେ ମାନସିକ ବିକାରଗ୍ରସ୍ତ ଭଳି ଜଣାପଡ଼ୁଛି। ପରିବାରଲୋକଙ୍କୁ ଖବର ଦିଆଯାଇଛି ଓ ସେମାନଙ୍କଠାରୁ ତା’ ବାବଦରେ ଅଧିକ ତଥ୍ୟ ମିଳିବା ପରେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe