ଦୁର୍ବୃତ୍ତ ଭାଙ୍ଗିଦେଲେ ଭିତ୍ତି ଫଳକ

Advertisment
ଦୁର୍ବୃତ୍ତ ଭାଙ୍ଗିଦେଲେ ଭିତ୍ତି ଫଳକ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ବିଶୁନିଆପଡ଼ା-ପୁରୋହିତପୁର ଗ୍ରାମ ଉନ୍ନୟନ ବିଭାଗର ରାସ୍ତା ନବୀକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଫଳକକୁ ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ବିଧାୟକ ତଥା ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟଗ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ , ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାନୁଆରି ମାସ ୯ ତାରିଖରେ ଉପରୋକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ କାମ ନସରୁଣୁ ବିରୋଧୀ ଗୋଷ୍ଠୀ ଫଳକ ଭାଙ୍ଗି ଦେଇଛନ୍ତି। ଆଜି ଅପରାହ୍ଣରେ ମନ୍ତ୍ରୀଙ୍କ ସମେତ ଉପରୋକ୍ତ ଅତିଥିବର୍ଗ ଏଠାରେ ଆୟୋଜିତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେବାକୁ ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବାରୁ ସେମାନଙ୍କ ଗସ୍ତକୁ ବିରୋଧ କରି ବିଜେଡିର ଏକ ଅସନ୍ତୁଷ୍ଟ ଗୋଷ୍ଠୀର ସଦସ୍ୟମାନେ ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ ଫଳକରେ କାହିଁକି ବିଶୁନିଆପଡ଼ା ଲେଖାହେଲା ବୋଲି କହି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ହୀନ ଭାବନା ଫଳକ ଭାଙ୍ଗିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ମଧ୍ୟ କେତେଜଣ ବ୍ୟକ୍ତି କହିଛନ୍ତି। ଏନେଇ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଳକାଟି ଫାଣ୍ଡି ପୁଲିସ ସନ୍ଧ୍ୟାରେ ଉକ୍ତ ପଞ୍ଚାୟତ ରୋଡ୍‌ ଛକରେ ଡେରା ପକାଇ ନଜର ରଖିଥିବା ଦେଖାଯାଇଛି। ଶେଷ ସୂଚନାନୁଯାୟୀ ମନ୍ତ୍ରୀ କୌଣସି କାର୍ଯ୍ୟରେ ବ୍ୟସ୍ତଥିବାରୁ କିମ୍ବା ଖାସ୍‌କରି ରାଜନୈତିକ ଗୋଷ୍ଠୀ ବିବାଦ ଯୋଗୁ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନୀ ସଭାରେ ଯୋଗ ଦେବାକୁ ଆସି ନଥିବା ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନାଯୋଗ୍ୟ ୫ କିମି ବିଶିଷ୍ଟ ଉକ୍ତ ରାସ୍ତା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨. ୩୦୦ କିମି ନବୀକରଣ ପାଇଁ ୨୦ ଲକ୍ଷ ୨୦ ହଜାର ଟଙ୍କା ମଂଜୁର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe