ଉପକଣ୍ଠରେ ପା‌ନ ଓ ପରିବା ଫସଲ ନଷ୍ଟ: ଚିନ୍ତାରେ ପରିବା ଚାଷୀ

Advertisment
ଉପକଣ୍ଠରେ ପା‌ନ ଓ ପରିବା ଫସଲ ନଷ୍ଟ: ଚିନ୍ତାରେ ପରିବା ଚାଷୀ

ବାଲିପାଟଣା: ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଏଥର କିଛି କମ୍ କ୍ଷତି କରିନାହିଁ। ବିଶେଷ କରି ସ୍ଥାନୀୟ ପରିବା ଚାଷୀଙ୍କ ପାଇଁ ବର୍ଷା କାଳ ପାଲଟିଛି। ବାଲିପାଟଣାର ପ୍ରାୟ ଶହେ ହେକ୍ଟର ଜମିରେ ପରିବା ଚାଷ ପାଣିରେ ବୁଡ଼ି ରହିଛି। ତିନି ଦିନ ଧରି ପାଣି ବୁଡ଼େଇ ରଖିଥିବାରୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବହୁ ପରିବାଗଛ ପାଣିରେ ପଚି ସଢ଼ିଯାଇଛି। ତେଣୁ ଧାରକରଜ କରି ପରିବା ଚାଷ କରିଥିବା ଚାଷୀର ମୂଳଧନ ସହ ପରିଶ୍ରମ ସବୁ ପାଣିରେ ଧୋଇଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ବାଲିପାଟଣା ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେଣୁ ଗହୀର ସବୁ ପାଣିରେ ବୁଡ଼ି ଯାଇଛି। ଧାନ ଓ ପାନବରଜ ବୁଡ଼ି ରହିଥିଲେ ବି ତାହା ବିଶେଷ କ୍ଷତିଗ୍ରସ୍ତ ହେବ ନାହିଁ। କିନ୍ତୁ ବାଇଗଣ, କଲରା, ଜହ୍ନି, ଲଙ୍କା, ପୋଟଳ, ଝୁଡ଼ଙ୍ଗ. କଖାରୁ ଆଦି ପରିବା ପଚିଯାଇଛି। ବର୍ଷା, ପବନ ମାଡ଼ରେ ଅମୃତ ଭଣ୍ଡା ଓ କଦଳୀ ଗଛ ଭାଙ୍ଗି ପଡ଼ିଛି। ତେଣୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀମାନେ ଏବେ ପ୍ରମାଦ ଗଣୁଛନ୍ତି। ଫଳନ୍ତି ଗଛ ଆଖି ଆଗରେ ପଚିସଢ଼ି ଯାଇଥିବାରୁ ବହୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବ୍ଲକ୍‌ ଉଦ୍ୟାନ ବିଭାଗ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସୂଚନାନୁସାରେ ପ୍ରାୟ ୧ ଶହ ହେକ୍ଟର ପରିବା ଚାଷ ପାଣିରେ ବୁଡ଼ି ରହିଥିବା ନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ପାଣି ଛାଡ଼ିବା ପରେ କ୍ଷୟକ୍ଷତିର ଆକଳନ କରାଯିବ।

ଚିନ୍ତାରେ ପରିବା ଚାଷୀ
ତ୍ରିଶୁଳିଆ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାରଙ୍ଗ ଅଞ୍ଚଳର ବହୁ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ଗାଁ ଗଣ୍ଡାର ରାସ୍ତାଘାଟ ବୁଡ଼ି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ପରିବା ଚାଷୀମାନେ। ଲଗାଣ ବର୍ଷାରେ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି। ବାଇଗଣ, ଝୁଡ଼ଙ୍ଗ, ଭେଣ୍ଡି, ଜହ୍ନି, ପୋଟଳ କିଆରି ବୁଡ଼ି ରହିଛି। ଆରମ୍ଭରୁ କମ୍ ଦରରେ ବିକି ଆସିଥିବା ପରିବା ଚାଷୀମାନେ ଦର ବୃଦ୍ଧି ସମୟ ବେଳକୁ ବିଲରେ ବର୍ଷା ଜଳରେ ପରିବା ହରାଇଛନ୍ତି। ଏବେ ବି ଏହି ବ୍ଲକର ବହୁ ଖାଲୁଆ ଅଞ୍ଚଳରେ ପାଣି ଜମି ରହିଛି। ରାସ୍ତା ଉପରେ ୨/୩ ଫୁଟ ଉଚ୍ଚରେ ପାଣି ଜମି ରହିଛି ବା କେଉଁଠି କେଉଁଠି ସୁଅ ଛୁଟିଛି। ତେଣୁ ଲୋକମାନେ ଯିବା ଆସିବା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ କେତେକ ଗାଁ ଦାଣ୍ତରେ ପାଣି ଜମି ରହିଛି। ନନ୍ଦନକାନନ ଛକର ମୁଖ୍ୟ ରାସ୍ତା, ତ୍ରିଶୁଳିଆ ମୁଖ୍ୟ ରାସ୍ତା, କଣ୍ଟାପାଟଣା ମୁଖ୍ୟ ରାସ୍ତାରେ ବି ପାଣି ଜମି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe