ଜେଲ୍‌ ଗଲେ କୋଟିପତି ଅଙ୍ଗନବାଡ଼ି ଦିଦି

ଠାବ ହୋଇଥିବା ୪ କୋଟିର ସମ୍ପତ୍ତି, ଆୟଠାରୁ ୫ ଗୁଣ ଅଧିକ

ଜେଲ୍‌ ଗଲେ କୋଟିପତି ଅଙ୍ଗନବାଡ଼ି ଦିଦି

ଭୁବନେଶ୍ବର‌ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସ କୋରଡ଼କଣ୍ଟା ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କୁ ଗିରଫ କରିଛି। ଏ ନେଇ ଭୁବନେଶ୍ବର ଦୁର୍ନୀତି ନିବାରଣ ଶାଖା କେସ୍‌ ନଂ-୫ରେ ଦଫା ୧୩(୨), ଆର୍‌/ଡବ୍ଲ୍ୟୁ୧୩(୧)(ବି)/୧୨ ପିସି ଆକ୍ଟରେ ମାମଲା ରୁଜୁ କରିଛି। ବୁଧବାର ଏହି କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ୧୪ ଦିନିଆ ‌ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଗତକାଲି ଚଢ଼ଉ ବେଳେ କିବତାଙ୍କ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ଏହା ତାଙ୍କ ଆୟର ୫ ଗୁଣା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ କବିତାଙ୍କ ବିରୋଧରେ ଭିଜିଲାନ୍ସରେ ବାରମ୍ବାର ଅଭିଯୋଗ ହୋଇଥିଲା। ତେଣୁ ଏହାର ଯାଞ୍ଚ ପାଇଁ ୧୦ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ଏବଂ କର୍ମଚାରୀଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯାଇଥିଲା। ଆଉ ମଙ୍ଗଳବାର ଦିନ ଅଚାନକ ଏହି ୬ଟି ଟିମ୍‌ ଏକାସଙ୍ଗେ କବିତାଙ୍କ ଭୁବନେଶ୍ୱର କେଶୁରା ସ୍ଥିତ ଏକ ୩ ମହଲା ଘର, ଝାରପଡ଼ାରେ ଗୋଟିଏ ୪ମହଲା ଘର, ୨ଟି ୨ ମହଲା ଘର, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର ଓ ଜଗତସିଂହପୁର ବାଲିକୁଦା ସ୍ଥିତ ଘର ଏମିତି ମୋଟ ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କବିତାଙ୍କ ନାମରେ ଭୁବନେଶ୍ବରର ୧୦ଟି ପ୍ଲଟ, ଜଗତସିଂହପୁରରେ ୩ଟି ପ୍ଲଟ୍‌ ଏବଂ ବାଲିଅନ୍ତାରେ ଗୋଟିଏ ଜମି ସମତେ ମୋଟ ୧୪ଟି ଜମିକୁ ଠାବ କରାଯାଇଥିଲା। ଏହାଛଡ଼ା ତାଙ୍କ ବିଭିନ୍ନ ଘରୁ ତଦନ୍ତକାରୀ ଟିମ୍ ୨୧୨ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଗାଡ଼ି ଏବଂ ୨.୨ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ବଣ୍ଡ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe