ଚଳଚଞ୍ଚଳ ଉତ୍ତର ଭୁବନେଶ୍ବର

Advertisment
ଚଳଚଞ୍ଚଳ ଉତ୍ତର ଭୁବନେଶ୍ବର

YouTube

ଚନ୍ଦ୍ରଶେଖରପୁର: ଘୋଷଯାତ୍ରା ପାଇଁ ଉତ୍ତର ଭୁବନେଶ୍ବର ଚଳଚଞ୍ଚଳ ହୋଇଉଠିଛି। ସ୍ଥାନୀୟ ଅଞ୍ଚଳର ପ୍ରମୁଖ ୪ ଶ୍ରୀଜଗନ୍ନାଥ ମନ୍ଦିରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାତି ପାହିବା ବେଳକୁ ପଟିଆ, ଚନ୍ଦ୍ରଶେଖରପୁର, ନାଲ୍‌କୋ ଛକ, ଶୈଳଶ୍ରୀବିହାର ଓ ଶିଖରଚଣ୍ଡୀ ଅଞ୍ଚଳରେ ସୃଷ୍ଟି ହୋଇସାରିଥିବା ଆଧ୍ୟାତ୍ମିକ ପରିବେଶ।

କିସ୍ ଶ୍ରୀବାଣୀ କ୍ଷେତ୍ରରେ ତିନି ଠାକୁରଙ୍କ ପାଇଁ ତିନି ରଥ ପ୍ରସ୍ତୁତ ହୋଇଛି। ଶ୍ରୀକ୍ଷେତ୍ର ଢାଞ୍ଚାରେ ଏଠାରେ ନନ୍ଦିଘୋଷରେ ୧୬ , ତାଳଧ୍ବଜରେ ୧୪ ଓ ‌ଦେବଦଳନ ରଥରେ ୧୨ ଚକ ଖଞ୍ଜା ଯାଇଛି। ଏଠାରେ କେବଳ ମହିଳାମାନେ ହିଁ ସୁଭଦ୍ରାଙ୍କ ରଥ ଟାଣିବା ପରମ୍ପରା ରହିଛି। ସକାଳ ୧୦ଟା ସୁଦ୍ଧା ତିନି ଠାକୁରଙ୍କ ପହଣ୍ଡି ହେବ ଏବଂ ଅପରାହ୍ଣ ୪ଟାରେ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛେରା ପହଁରା କରିବେ। ସାଢ଼େ ୪ଟାରେ ରଥଟଣା ହେବ। ଶିଖରଚଣ୍ଡୀ ପାହାଡ଼ ପାଦଦେଶରେ ଥିବା ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ସଂଧ୍ୟା ସୁଦ୍ଧା ପହଞ୍ଚ‌ିବେ। ସେହିଭଳି ‌ଶୈଳଶ୍ରୀବିହାରରେ ସକାଳ ୧୦ଟାରେ ପହଣ୍ଡି ହେବ ଏବଂ ଅପରାହ୍ଣରେ ଛେରା ପହଁରା ପରେ ପରେ ରଥ ଗଡ଼ିବ। ଏଠାରେ ରଥର ଗୋଟିଏ ଦଉଡ଼ିକୁ ପୁରୁଷ ଓ ଅନ୍ୟ ଦଉଡ଼ିକୁ ମହିଳାମାନେ ଟାଣିବା ବିଧି ରହିଛି।

ନାଲ୍‌କୋ ଛକସ୍ଥିତ ଆର୍‌ସି‌ଏମ୍‌ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତିନି ରଥ ପ୍ରସ୍ତୁତ କରାଯାଇଛି। ଏଠାରେ ରଥ ଟଣା ବେଳେ ସାନ୍ତାଳୀମାନେ ପାରମ୍ପରିକ ପୋଷାକ ପିନ୍ଧି, ଢୋଲ, ମହୁରୀର ତାଳେତାଳେ ରଥ ଆଗରେ ନୃତ୍ୟ ପରିବେଷଣ କରିବେ। ଏଠାରେ ମଧ୍ୟ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବେ। ସେହିଭଳି ପଟିଆ ଗ୍ରାମରେ ୩୨ ଫୁଟ୍‌ ଉଚ୍ଚତାର ରଥ ପ୍ରସ୍ତୁତ ହୋଇ ରହିଛି। ସକାଳ ୧୦ଟା ସୁଦ୍ଧା ବାଜା, ବାଣ, ‌ରୋଶଣୀ କରି ତିନି ଠାକୁରଙ୍କ ପହଣ୍ଡି ନୀତି ସମ୍ପନ୍ନ ହେବ। ପଟିଆ ଗଡ଼ ରାଜା ଦିବ୍ୟସଂହ ଦେବ ରଥ ଛେରା ପହଁରା କରିବେ। ଏହି ପ୍ରମୁଖ ୪ ରଥଯାତ୍ରା ବାଦ୍‌ ରଙ୍ଗମାଟିଆ, ବିଡିଏ କଲୋନି, କଳାରାହାଙ୍ଗ, ପଥରଗାଡ଼ିଆ, କଳାଝରୀ, ଗାଡ଼କଣ, ମଞ୍ଚେଶ୍ବର ରେଲ୍‌ୱେ କଲୋନିରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe