ଭକ୍ତ-ଭଗବାନ ଏକାକାର: ରାମ ନାମରେ କମ୍ପିଲା ରାଜଧାନୀ

Advertisment
ଭକ୍ତ-ଭଗବାନ ଏକାକାର: ରାମ ନାମରେ କମ୍ପିଲା ରାଜଧାନୀ

ଭୁବ‌ନେଶ୍ବର: ୨ ବର୍ଷ ହେଲା ଏକପ୍ରକାର ନିରବି ଯାଇଥିବା ରାମ ମନ୍ଦିର ଆଜି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଗୁଣକୀର୍ତ୍ତନ ଓ ଭକ୍ତଙ୍କ କୋଳାହଳରେ ନୂଆ ସତ୍ତା ଖୋଜି ପାଇଥିଲା। ସକାଳୁ ସକାଳୁ ଚଳଚଞ୍ଚଳ ହୋଇପଡ଼ିଥିଲା ସାରା ସହର। ରାମନାମ ଧ୍ବନି ସହରକୁ ଭକ୍ତିମୟ କରି ଦେଇଥିଲା। ପବିତ୍ର ରାମଚରିତ ମାନସର ଗୁଞ୍ଜରିତ ପଙ୍‌କ୍ତି ରାଜଧାନୀରେ ସକାରାତ୍ମକତା ଭରି ଦେଇଥିଲା। ୨ବର୍ଷ ପରେ ପ୍ରଭୁଙ୍କୁ ଆଖି ପୂରାଇ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବାର ସୁଯୋଗ ମିଳିଥିବାରୁ ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିରରେ ଆଜି ଭକ୍ତଙ୍କ ଗହଳଚହଳ ଦେଖିବାକୁ ମିଳିଥିଲା।

ଭୋର୍‌ ୫ଟାରୁ ମନ୍ଦିର ସମ୍ମୁଖରେ ଭକ୍ତ ଜମା ହୋଇଯାଇଥିଲେ। ପରେ ସମୟ ବଢ଼ିବା ସହ ଭିଡ଼ ବଢ଼ିଥିଲା। ଗୋଟିଏ ପଟେ ଭଗବାନ୍‌ ରାମଚନ୍ଦ୍ରଙ୍କ ନୀତିକାନ୍ତି ଚାଲିଥିବା ବେଳେ ଭକ୍ତ ଓ ଭଜନମଣ୍ଡଳୀଙ୍କ ହରେ କୃଷ୍ଣ... ହରେ ରାମ ନାମ ଧରି ନୃତ୍ୟ‌‌ରେ ମଜି ଯାଇଥିଲେ। ପୂରା ପରିସର ଆଧ୍ୟାତ୍ମିକତାରେ ଭରି ଯାଇଥିଲା। ଭକ୍ତ-ଭଗବାନ ଏକାକାର ହୋଇଯାଇଥିଲେ। ବିଶେଷକରି ସଂକଟମୋଚନ ହନୁମାନଙ୍କ ବେଶରେ ଜଣେ ଭକ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବାହ୍ନ ୧୦ଟାରୁ ତାତି ବଢ଼ିବା ସହ ଝାଞ୍ଜି ବହିବା ଆରମ୍ଭ ହୋଇଯାଇଥିଲେ ହେଁ ରାମମନ୍ଦିର ଛକରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା।

ମିଳିଥିବା ସୂଚନାନୁଯାୟୀ, ୟୁନିଟ୍‌-୩ସ୍ଥିତ ରାମ ମନ୍ଦିରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନିର୍ଧାରିତ ନୀତିକାନ୍ତି ଅନୁଯାୟୀ ସକାଳ ସାଢ଼େ ୫ଟାରେ ମଙ୍ଗଳ ଆଳତି ପରେ ଠାକୁରଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ସକାଳ ୭ଟାରେ ଶୃଙ୍ଗାର ଆରତି, ସାଢ଼େ ୯ଟାରୁ ରାମଚରିତ ମାନସ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ଠାକୁରଙ୍କ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯାଇଥିଲା।
ଭକ୍ତଙ୍କ ଭିଡ଼କୁ ନଜରରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥଣ୍ଡା ପାନୀୟ ଓ ସରବତ ବ୍ୟବସ୍ଥା କରାଯାଇଥିଲା।

publive-image

ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଭକ୍ତଙ୍କ ସହଯୋଗ ପାଇଁ ସେଠାରେ ନିୟୋଜିତ ଥିଲେ। ଭକ୍ତଙ୍କ ସମାଗମକୁ ନଜରରେ ରଖି ମନ୍ଦିର ନିକଟରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସ୍ବତନ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଅପରାହ୍‌ଣ ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହୁଡ଼ ପଡ଼ିଥିଲା। ୪ଟାରୁ ଆରମ୍ଭ ହୋଇଯାଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଦର୍ଶନ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ବୋଲି ମନ୍ଦିର ପରିଚାଳନା କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି।

ସେହିପରି ସହରର ଅନ୍ୟତମ ପ୍ରମୁଖ ମନ୍ଦିର ସିଆର୍‌ପିସ୍ଥିତ ଇସ୍କନ୍‌କୁ ଫୁଲ ଓ ଆଲୋକମା‌ଳାରେ ସୁସଜ୍ଜିତ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯାଇଥିଲା। ପରେ ଉପାସ କରିଥିବା ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଭାବେ ଫଳ ଓ ସିଝା ପରିବା ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯାଇଥିଲା ବୋଲି ମନ୍ଦିରର ଅଧିକାରୀ ରାଧାକାନ୍ତ କହିଛନ୍ତି। ସଂଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢ଼େ ୧୦ ଯାଏ ଠାକୁରଙ୍କ ଦର୍ଶନ ପାଇଁ ଭିଡ଼ ଜମିଥିଲା।

ସେହିପରି ୧ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛ ପାର୍ଶ୍ୱରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିର ଓ ମଠରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତି ଯାଏ ଭକ୍ତଙ୍କ ଭିଡ଼ରେ ସହର ଉତ୍ସବମୁଖର ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe