ଭୁବନେଶ୍ୱର : ରାଜ୍ୟ ସରକାର ଅଧିକାଂଶ କ୍ଷେତ୍ରରେ ଲକ୍ଡାଉନ୍ କଟକଣାକୁ କୋହଳ କରିଛନ୍ତି। କିନ୍ତୁ ମନ୍ଦିର, ସିନେମା ହଲ୍, ସ୍ବମିଂ ପୁଲ୍, ମନୋରଂଜନ ପାର୍କ ଭଳି ସର୍ବସାଧାରଣ ସ୍ଥାନରେ କଟକଣା ଏବେ ବି ବଳବତ୍ତର ରହିଛି। ତେବେ କଟକଣା ସତ୍ତ୍ବେ ଆଜି ଗହ୍ମାପୂର୍ଣ୍ଣିମା ଅବସରରେ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଲୋକଙ୍କ ଗହଳି ପରିଲକ୍ଷିତ ହୋଇଥିଲା। କେତେକ ଶିବ ମନ୍ଦିର ଆଗରେ ଭକ୍ତ ଠିଆ ହୋଇ ପ୍ରାର୍ଥନା କରିବା ସହ ଭୋଗ କରିବାକୁ ପୂଜକଙ୍କୁ ଥାଳି ଦେଉଥିବା ଦେଖିବାକୁ ମିଳିଥିଲା। ସେହିପରି ଅନନ୍ତ ବାସୁଦେବ ମନ୍ଦିରର ଆନନ୍ଦବଜାର ବନ୍ଦ ଥିବା ବେଳେ ଅବଢ଼ା ପାର୍ସଲ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। କେଦାରଗୌରୀ ସମେତ ଅନ୍ୟ କିଛି ମନ୍ଦିରରେ ଭକ୍ତମାନେ ଲୁଚି ଛପି ଠାକୁର ଦର୍ଶନ କରିଥିଲେ। ବିନ୍ଦୁସାଗର କୂଳରେ ଶ୍ରଦ୍ଧାଳୁ ତର୍ପଣ କରିଥିଲେ।
/sambad/media/post_attachments/wp-content/uploads/2020/08/IRC-Village-Road-Mitha-Dokan-Samukhare-Samajika-Duratare-Mitha-Kinuchhanty-loke-300x137.jpg)
ମିଠା ଦୋକାନରେ ଭିଡ଼
ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଲାଗି ଆଜି ସହରର ମିଠା ଦୋକାନରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୀର୍ଘ ଦିନ ପରେ ଦୋକାନ ଖୋଲିବାରୁ ବ୍ୟବସାୟୀମାନେ ମଧ୍ୟ ବେଶ୍ ଦୁଇ ପଇସା ରୋଜଗାର କରିଛନ୍ତି। ଆଇଆରସି ଭିଲେଜ୍, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ବାପୁଜୀନଗର, ଅଶୋକ ନଗର, ଜୟଦେବ ବିହାର, ସହିଦନଗରଠାରେ ଥିବା ମିଠା ଦୋକାନରେ ସାମାଜିକ ଦୂରତ୍ବ ରକ୍ଷା କରି ଗ୍ରାହକ ମିଠା କିଣୁଥିବା ଦେଖିବାକୁ ମିଳିଥିଲା। ଦୋକାନୀମାନେ ମଧ୍ୟ ମାସ୍କ, ସାନିଟାଇଜର୍ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧି ଆସି ନ ଥିଲେ ତାଙ୍କୁ ଫେରାଇ ଦେଉଥିଲେ। ଏମିତିକି ମିଠା ନେବା ଲାଗି ରାସ୍ତା ଉପରେ ଲମ୍ବା ଲାଇନ୍ରେ ୩ ଫୁଟ୍ ଦୂରତ୍ବ ରକ୍ଷା କରି ଗ୍ରାହକମାନେ ଛିଡ଼ା ହୋଇଥିବା ନଜରକୁ ଆସିଥିଲା।
ଚଳଚଞ୍ଚଳ ଶିକ୍ଷାନୁଷ୍ଠାନ
ଲକ୍ଡାଉନ୍ ହଟିବା ପରେ ଚଳଚଞ୍ଚଳ ହୋଇଉଠିଛି ଶିଳ୍ପାନୁଷ୍ଠାନ। ମଞ୍ଚେଶ୍ବର, ଚନ୍ଦକାରେ ଥିବା ଶତାଧିକ ଶିଳ୍ପସଂସ୍ଥା ପୁଣିଥରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକରେ ସାମାଜିକ ଦୂରତ୍ବ ରକ୍ଷା କରାଯିବା ସହ ମାସ୍କ ଓ ହାତ ଧୋଇବା ଉପରେ ଗୁରୁତ୍ବାରୋପ କରାଯାଇଛି। ଶ୍ରମିକମାନେ କମ୍ପାନି ଭିତରକୁ ପ୍ରବେଶ କରିବା ସମୟରେ ସେମାନଙ୍କ ତାପମାତ୍ରା ମପା ଯାଇଛି। କେତେକ କମ୍ପାନି ପ୍ରବେଶ ପଥରେ ବିଶୋଧନ ମେସିନ୍ ଲଗାଇଥିବା ଦେଖିବାକୁ ମିଳିଛି। ତେବେ ଅଧିକାଂଶ ସ୍ଥାନରେ ବାହାର ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି।
Follow Us