କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା: ଡାକ୍ତର ଓ ସଂସ୍ଥା ବିରୋଧରେ ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ

Advertisment
କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା: ଡାକ୍ତର ଓ ସଂସ୍ଥା ବିରୋଧରେ ବିଏମ୍‌ସିର କାର୍ଯ୍ୟାନୁଷ୍ଠାନ

The New Indian Express

ଭୁବନେଶ୍ବର: ବୁଲା କୁକୁର ବନ୍ଧ୍ୟାକରଣ ପାଇଁ ଦାୟିତ୍ବ ନେଇଥିବା ସଂସ୍ଥା ଓ ଚିକିତ୍ସକଙ୍କ ଦାୟିତ୍ବହୀନତା ପାଇଁ ବିଏମ୍‌ସି କଠୋର ହୋଇଛି। ସମ୍ପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଠିକ୍‌ ପଦ୍ଧତି ଅବଳମ୍ବନ ନକରି ବଡ଼ ନିର୍ଦ୍ଦୟ ଭାବେ ଅସ୍ତ୍ରୋପଚାର କରୁଥିବା ଚିକିତ୍ସକଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ନିଶ୍ଚେତକ ପ୍ରୟୋଗ ନ କରି ପ୍ରବଳ ଗରମରେ ଅସ୍ତ୍ରୋପଚାର କରିବା ଓ ପରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ନ ଦେଇ ଶହଶହ କୁକୁରଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେବା ଅଭିଯୋଗ ହେବା ପରେ ବିଏମ୍‌ସି ଏହି ପଦକ୍ଷେପ ଗ୍ରହଣ କରିଛି।

ସହିଦନଗରସ୍ଥିତ ପ୍ରାଣୀ ଚିକିତ୍ସାଳୟଠାରେ ବିଏମ୍‌ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଉଛି। ସେଥିପାଇଁ ଘରୋଇ ସଂସ୍ଥା ‘ମେସର୍ସ ପିୱାଇକେଇ ସେଣ୍ଟିନେଲ୍‌’କୁ ଦାୟିତ୍ବ ଦିଆଯାଇଛି। ଗୋଟିଏ କୁକୁର ପିଛା ୫ଶହ ଟଙ୍କା ହିସାବରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବନ୍ଧ୍ୟାକରଣ ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯିବା କଥା, ତାହା କରାଯାଉନାହିଁ। ସମ୍ପୃକ୍ତ ଡାକ୍ତର ବନ୍ଧ୍ୟାକରଣ ପୂର୍ବରୁ ନିଶ୍ଚେତକ ବ୍ୟବହାର କରୁନଥିଲେ। ଏହା ଏକ ମେଜର ଅପରେସନ୍ ହୋଇଥିଲେ ବି ସମ୍ପୃକ୍ତ ଡାକ୍ତର କୁକୁରମାନଙ୍କ ଯନ୍ତ୍ରଣା ‌ଉପଶମ ପାଇଁ କିଛି ବ୍ୟବସ୍ଥା ଗ୍ରହଣ କରୁନଥିଲେ।

ପ୍ରବଳ ଗରମ ଓ ଗୁଳୁଗୁଳି‌ରେ ବି ସେ କୁକୁରମାନଙ୍କୁ ବାରଣ୍ଡାରେ ବାନ୍ଧି ବଡ଼ ନିଷ୍ଠୁର ଭାବେ ଅସ୍ତ୍ରୋପଚାର କରୁଥିଲେ। ଏମିତିକି ଅସ୍ତ୍ରୋପଚାର ପରେ କୁକୁରମାନଙ୍କ ଯନ୍ତ୍ରଣା ଉପଶମ ପାଇଁ ଆଣ୍ଟିବାୟୋଟିକ୍‌, ପେନ୍‌ କିଲର୍ ଦିଆଯାଉନଥିଲା। ଫଳରେ କ୍ଷତ ଶୁଖୁନଥିଲା ଓ କୁକୁରମାନେ ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଥିଲେ। ଏନେଇ କିଛି ସାମାଜିକ କର୍ମୀ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କରି ଉଦ୍‌ବେଗ ପ୍ରକାଶ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଦିଗରେ ତ୍ବରିତ୍ ପଦକ୍ଷେପ ନେବା ପାଇଁ ସେ ନିବେଦନ କରିଥିଲେ।

ଏହାପରେ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅସ୍ତ୍ରୋପଚାର ଦାୟିତ୍ବରେ ଥିବା ଡାକ୍ତର ସରୋଜ ପ୍ରଧାନଙ୍କୁ ତୁରନ୍ତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ଏଥିସହ ସମ୍ପୃକ୍ତ ସଂସ୍ଥା ‘ମେମର୍ସ ପିଓ୍ବାଇକେଇ ସେଣ୍ଟିନେଲ୍‌’କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ସଂଧ୍ୟାରେ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe