ସିୟୁଜି ଫାର୍ସ: ଅଧାରୁ ଅଧିକ ଅଧିକାରୀ ଫୋନ୍‌ ଉଠାଉ ନାହାନ୍ତି

Advertisment
ଖଣ୍ଡଗିରିରୁ ହଟିବ ହିଞ୍ଜିିଡ଼ା ହାଟ

ଭୁବନେଶ୍ୱର: ମେ’ ୫ ତାରିଖ ୨୦୧୫। କମିସନରେଟ୍‌ ପୁଲିସ ପ୍ରଥମ ଥର ଲାଗି ସିୟୁଜି ମୋବାଇଲ୍‌ ଫୋନ୍‌ ବ୍ୟବସ୍ଥା ଲାଗୁ କରିଥିଲା। ଲକ୍ଷ୍ୟ ଥିଲା ପୁଲିସ ଅଧିକାରୀମାନେ ବଦଳି ଗଲେ ମଧ୍ୟ ମୋବାଇଲ୍‌ ନମ୍ବର ବଦଳିବ ନାହିଁ। ଫଳରେ ସାଧାରଣ ଲୋକ ପୁଲିସ ସହିତ ଉତ୍ତମ ଯୋଗାଯୋଗରେ ରହିବେ। ଯେଉଁ ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥା ପ୍ରଚଳନ ହୋଇଥିଲା, ତାହା ଏଯାଏ ପୂରଣ ହୋଇ ନାହିଁ। କାରଣ ଅଧାରୁ ଅଧିକ ପୁଲିସ ଅଧିକାରୀ ଏବେ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ଫୋନ୍‌ ନମ୍ବରରେ ଫୋନ୍‌ ଉଠାଉନାହାନ୍ତି। ଏପରିକି ଅଧାରୁ ଅଧିକ ଇନ୍ସପେକ୍ଟର ସେହି ମୋବାଇଲ୍‌ ନମ୍ବର ଫୋନ୍‌କୁ ଠିକ୍‌ ଭାବେ ବ୍ୟବହାର କରୁନାହାନ୍ତି। ଫଳରେ ଏହି ସିୟୁଜି (କ୍ଲୋଜଡ୍‌ ୟୁଜର ଗ୍ରୁପ୍‌) ବ୍ୟବସ୍ଥା ଫାର୍ସରେ ପରିଣତ ହୋଇଛି।

ଉଦ୍ଦେଶ୍ୟ ଥିଲା, କମିସନରେଟ୍‌ ପୁଲିସରେ ଥିବା ବରିଷ୍ଠ ପୁଲିସ ପଦାଧିକାରୀଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ବଦଳିବ ନାହିଁ। ସମସ୍ତଙ୍କର ଗୋଟିଏ ସ୍ଥାୟୀ ନମ୍ବର ରହିବ। ପୂର୍ବରୁ ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଡିସିପି, ଏସିପି ଓ ଇନ୍ସପେକ୍ଟରମାନେ ନିଜର ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ। କିନ୍ତୁ ସେମାନଙ୍କର ବଦଳି କିମ୍ବା ପଦୋନ୍ନତି ପରେ ଫୋନ୍‌ ନମ୍ବର ବଦଳି ଯାଉଥିଲା। ଏହି କାରଣରୁ ସାଧାରଣ ଲୋକ ଅନେକ ସମସ୍ୟାରେ ପଡ଼ୁଥିଲେ। ଏହା ଛଡ଼ା ଯେଉଁମାନେ ପୁଲିସ ଅଧିକାରୀମାନଙ୍କୁ ଗୁପ୍ତ ଖବର ଦେଉଥିଲେ, ସେମାନେ ମଧ୍ୟ ସମସ୍ୟାରେ ପଡ଼ୁଥିଲେ। ଥାନା ଅଧିକାରୀମାନଙ୍କୁ ସୋର୍ସ ସୃଷ୍ଟି କରିବାରେ ବିଳମ୍ବ ହେଉଥିଲା। ଆଉ ଏଭଳି ସମସ୍ୟା ହେବ ନାହିଁ ବୋଲି ଯୋଜନାର ଶୁଭାରମ୍ଭ ବେଳେ କୁହାଯାଇଥିଲା। ମାସକ ପରେ ବ୍ୟବସ୍ଥା ଆରମ୍ଭକୁ ୪ ବର୍ଷ ହେବ। ଇତି ମଧ୍ୟରେ ଯୋଜନା ଆରମ୍ଭ କରିଥିବ ତତ୍କାଳୀନ ପୁଲିସ କମିସନର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ତତ୍କାଳୀନ ଡିସିପି ସତ୍ୟବ୍ରତ ଭୋଇଙ୍କର ପଦୋନ୍ନତି ଘଟି ସାରିଛି। ବଦଳି ଯାଇଛନ୍ତି ଅନେକ ଥାନାର ଇନ୍ସପେକ୍ଟର। ଏଭଳି ସମୟରେ ଏହି ସିୟୁଜି ବ୍ୟବସ୍ଥା କେମିତି ଚାଲିଛି, ବରିଷ୍ଠ ପୁଲିସ ଅଧିକାରୀମାନେ ଫୋନ୍‌ ଉଠାଉଛନ୍ତି କିମ୍ବା ନାହିଁ ତାହା ଜାଣିବା ଲାଗି ‘ସମ୍ବାଦ’ ପକ୍ଷରୁ ସେହି ସିୟୁଜି ନମ୍ବରରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଉତ୍ତର ଥିଲା ଭିନ୍ନ। କାହାର ମୋବାଇଲ ଫୋନ୍‌ ସୁଇଚଅଫ୍‌ ଥିଲା ତ ଆଉ କାହାର ଅପହଞ୍ଚ ଦୂରତାରେ, ଏରର ଇନ୍‌ କନକେସନ୍‌, ଉପଲବ୍ଧ ନେହିଁହେ- ଭଳି ଉତ୍ତର ମିଳୁ ଥିଲା। ଏପରିକି କିଛି ମୋବାଇଲ୍‌ ଫୋନ୍‌କୁ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ରିଙ୍ଗ୍‌ ହୋଇ ହୋଇ କଟି ଯାଉଥିଲା। କିନ୍ତୁ କେହି ଫୋନ୍‌ ଉଠାଉ ନ ଥିଲେ। ଜଣେ ଇନ୍ସପେକ୍ଟର ଟ୍ରେନିଂରେ ଥାଇ ମଧ୍ୟ ଫୋନ୍‌ ଉଠାଇଥିଲେ। ଜଣେ ଏସିପିଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ। ୨୩ ଜଣ ଥାନା ଅଧିକାରୀଙ୍କ ମଧ୍ୟରୁ କେତେକେ ହାତ ଗଣତି ଥାନାର ଥାନାଧିକାରୀ ଫୋନ୍‌ ଉଠାଇଥିଲେ। କିନ୍ତୁ କିଛି ଇନ୍ସପେକ୍ଟର ନିଜ ନାମ ଗୋପନ ରଖି କହିଛନ୍ତି, ସେହି ଫୋନ୍‌କୁ କେହି ଫୋନ୍‌ କରୁନାହାନ୍ତି। ଆଉ କେହି ଇନ୍ସପେକ୍ଟର କହିଛନ୍ତି, କେତେଟା ଫୋନ୍‌ ପାଖରେ ରଖିବୁ। ଆମେ ନୂଆ ମୋବାଇଲ୍‌ ଫୋନ୍‌ କିଣି ନାହୁଁ, ରିଚାର୍ଜ କରିବାକୁ କିଏ ଟଙ୍କା ଦେବ ? ତେବେ ଯେଉଁ ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଥିଲା ତାହା ଏଯାଏ ପୂରଣ ହୋଇ ନ ଥିବା ଜଳ ଜଳ ହୋଇ ଦିଶୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe