ଅସାମାଜିକଙ୍କ କବ୍‌ଜାରେ ସଂସ୍କୃତିଭବନ ପରିସର: ଜମୁଛି ମଦ ଆସର, ସଂସ୍କୃତି ଭବନକୁ ଯିବାକୁ ଡରୁଛନ୍ତି କର୍ମଚାରୀ

ସଂସ୍କୃତି ଭବନ ପରିସରରେ ଅପସଂସ୍କୃତି। ଅସାମାଜିକ ବ୍ୟକ୍ତି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଠାରୁ ଆରମ୍ଭ କରି ଯାବତୀୟ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସଂସ୍କୃତି ବିଭାଗ ଫାଟକଠାରୁ ଭଞ୍ଜକଳାମଣ୍ଡପ...

ssdxcxc

ଭୁବନେଶ୍ବର: ସଂସ୍କୃତି ଭବନ ପରିସରରେ ଅପସଂସ୍କୃତି। ଅସାମାଜିକ ବ୍ୟକ୍ତି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଠାରୁ ଆରମ୍ଭ କରି ଯାବତୀୟ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସଂସ୍କୃତି ବିଭାଗ ଫାଟକଠାରୁ ଭଞ୍ଜକଳାମଣ୍ଡପ ଓ ସଂସ୍କୃତି ଭବନ ଚାରିପାଖରେ ଖୋଲାଖୋଲି ଭାବରେ ଚାଲିଛି ନିଶା ସେବନ। ଦିନରୁ ରାତି ଯାଏ ଏମାନଙ୍କର ଉତ୍ପାତ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଅସାମିଜଙ୍କ ଦୌରାତ୍ମରେ ସଂସ୍କୃତି ବିଭାଗରେ କାମ କରୁଥିବା କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏମିତିକି ଭଞ୍ଜକଳାମଣ୍ଡକୁ ବିଭିନ୍ନ କାର୍ଯ୍ୟକ୍ରମରେ ଆସୁଥିବ‌ା ଲୋକେ ମଧ୍ୟ ଅପ୍ରୀତିକର ପରିସ୍ଥିତିର ସାମନା କରୁଛନ୍ତି। ଏଥିପ୍ରତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଚୁପ୍‌ ଥିବା ବେଳେ ପୁଲିସ ମଧ୍ୟ ନିଦା ବିଷ୍ଣୁ ସାଜିଛି। 

ଭଞ୍ଜକଳାମଣ୍ଡପ ଓ ସଂସ୍କୃତି ଭବନ ମଝିରେ ଥିବା ସ୍ଥାନରେ ସକାଳୁ ରାତି ଯାଏ କିଛି ଅସାମିଜ ଲୋକ ଆଡ୍ଡା ଜମାଉଛନ୍ତି। ଯାହାଦ୍ବାରା ସଂସ୍କୃତି ଭବନରେ କାମ କରୁଥିବା ମହିଳା କର୍ମଚାରୀମାନେ ଯିବାଆସିବାକୁ ଭୟ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଅଫିସ ସମୟରେ ଗାଡ଼ି ଉପରେ ବୋତଲ ରଖି ଖୋଲାଖୋଲି ମଦ ପିଉଛନ୍ତି। ଗଞ୍ଜେଇ ଟାଣି ଲୋକଙ୍କ ମୁହଁକୁ ଧୂଆଁ ଛାଡ଼ୁଛନ୍ତି। ସନ୍ଧ୍ୟାବେଳେ ଏମାନଙ୍କ ଉତ୍ପାତ ଅଧିକ ବଢ଼ି ଯାଉଛି। ସଂସ୍କୃତି ଭବନ ପଛ ପାଖରେ ବ୍ରାଉନସୁଗାର ସେବନ ହେଉଛି। ଅଧିକ ନିଶା ହୋଇଗଲେ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଏମିତିକି ସେହି ବାଟ ଦେଇ ଯାଉଥିବା ଲୋକେ ଯଦି ଖାଲି ଚାହିଁ ଦେଉଛନ୍ତି, ଚିହିଁଙ୍କି ଉଠୁଛନ୍ତି ଏହି ନିଶାଡ଼ିମାନେ। 

ପ୍ରାୟତଃ ଭଞ୍ଜକଳାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ହେଲେ ଏଠାକୁ ଆସୁଥିବା ଅତିଥି, କଳାକାର ଓ ସଂଗଠକମାନେ ଏଥିପାଇଁ ବଡ଼ ସମସ୍ୟାରେ ପଡ଼ୁଛନ୍ତି। ମହିଳା କଳାକାରଙ୍କୁ କମେଣ୍ଟ ମରାଠାରୁ ଆରମ୍ଭ କରି ଖରାପ ଶବ୍ଦ ବ୍ୟବହାର କରୁଛନ୍ତି। ସଂସ୍କୃତି ଭବନ ନିକଟରେ ଥିବା ଏକ ଘରେ ନିୟମିତ ଭୋଜି ସାଙ୍ଗକୁ ନିଶା ଆସର ଜମୁଛି। ଏଭଳି ଘଟଣା ମାସ ମାସ ଧରି ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ନିଶାଡ଼ିଙ୍କୁ ଭୟ କରୁଛନ୍ତି। କିଛି ଦିନ ତଳେ ବିଭାଗର ମହିଳା କର୍ମଚାରୀମାନେ ଏ ସମ୍ପର୍କରେ ସଚିବଙ୍କୁ ଜଣାଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି। ଅନ୍ୟପଟେ ବଡ଼ଗଡ଼ ପୁଲିସ ଏଠାରେ ପାଟ୍ରୋଲିଂ କରୁନଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ ନୟମିତ ଯା’ଆସ ପାଇଁ ସଂସ୍କୃତି ବିଭାଗ କାର୍ଯ୍ୟାଳୟକୁ ଲୋକସେବା ଭବନ ପରିସରରେ ନ ରଖି ଏଠାରେ ରଖାଯାଇଛି। ପ୍ରତିଦିନ ସଂସ୍କୃତି ଭବନକୁ ଶହ ଶହ କଳାକାର, ସାଂସ୍କୃତିକ ଅନୁଷ୍ଠାନ ଆସୁଛନ୍ତି। କିନ୍ତୁ ଏଠାରେ ଏଭଳି ଅପସଂସ୍କୃତି ଅନେକଙ୍କୁ ବ୍ୟଥିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe